ଭାରତୀୟ କ୍ରିକେଟ୍ ପ୍ରତି ଧୋନିଙ୍କ ସେବା ଅତୁଳନୀୟ: କପିଳ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ୍‌ର ଯେତିକି ସେବା କରିଛନ୍ତି, ଅନ୍ୟ କେହି ବି କରି ନାହାନ୍ତି। ସେ ଅତୁଳନୀୟ। ଏକ ଘରୋଇ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ଏହା କହିଛନ୍ତି। କପିଳ ଏହି ଅବସରରେ ମତ ରଖିଛନ୍ତି ଯେ ଧୋନିଙ୍କ ବିଷୟରେ ମୁଁ କିଛି କହିବା ଦରକାର ନାହିଁ। ମୁଁ ଭାବୁଛି ସେ ଭଲ ଭାବରେ ଦେଶର ସେବା କରିଛନ୍ତି ଏବଂ ଆମେ ତାଙ୍କୁ ସମ୍ମାନ କରିବା କଥା। ବିଶ୍ବକପ୍ ପରେ ଧୋନି ଅବସର ନେବେ ବୋଲି ହେଉଥିବା ଚର୍ଚା ଉପରେ ପ୍ରତିକ୍ରିୟା ପ୍ରକାଶ କରି କପିଳ କହିଥିଲେ ସେ କେତେ ଦିନ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି, କେହି କହି ପାରିବେ ନାହିଁ। ତାଙ୍କ ଶରୀର ଆଉ କେତେ ଦିନ ପର୍ଯ୍ୟନ୍ତ ଚାପ ସମ୍ଭାଳି ପାରିବ କେବଳ ସେ କହିପାରିବେ। ହେଲେ ଦେଶକୁ ଦୁଇଟି ବିଶ୍ବକପ୍‌ (ଦିନିକିଆ ଓ ଟ୍ବେଣ୍ଟି-୨୦) ଭେଟି ଦେଇଥିବା ଧୋନିଙ୍କ ଭଳି ଆଉ କେହି ନାହାନ୍ତି। ଆମେ ସମସ୍ତେ ତାଙ୍କୁ ଶୁଭଚ୍ଛା ଜଣାଇବା କଥା। ଆଶା କରୁଛି ସେ ଆଉ ଏକ ବିଶ୍ବକପ୍ ଜିତିବେ। ଭାରତୀୟ ବିଶ୍ବକପ୍ ଦଳକୁ ଏକ ସନ୍ତୁଳିତ ଦଳ ଭାବେ ବର୍ଣ୍ଣନା କରିଥିଲେ। ତେବେ ବିଶ୍ବକପ୍ ଜିତିବା ସେତେଟା ସହଜ ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ।

ସମ୍ବନ୍ଧିତ ଖବର