ଆଉ ୩୫ ଦିନ, ଭାରତ ସେମିଫାଇନାଲ୍ ଖେଳିବ: ଭାସ୍‌

ମୁମ୍ବାଇ: ମେ’ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ବକପ୍‌ରେ ଭାରତ ନିଶ୍ଚିତ ସେମିଫାଇନାଲ୍‌ ଖେଳିବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଶ୍ରୀଲଙ୍କା ଦ୍ରୁତ ବୋଲର ଚାମିନ୍ଦା ଭାସ୍‌। ବିରାଟ କୋହଲିଙ୍କ ଦଳ ବେଶ ସନ୍ତୁଳିତ ଏବଂ ଫର୍ମରେ ରହିଥିବାରୁ ଏଭଳି ସମ୍ଭାବନା ରହିଛି‌ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବିଗତ ୩ ଦଶନ୍ଧୀ ଧରି ଭାରତୀୟ କ୍ରିକେଟ୍‌ ପ୍ରାଧାନ୍ୟ ବିସ୍ତାର କରି ଆସିଛି। ଏଥର ଦଳ ନିକଟରେ ଭଲ ଦ୍ରୁତ ବୋଲର ମଧ୍ୟ ରହିଛନ୍ତି। ଏହି ଦଳ ନିଶ୍ଚିତ ଆଶ୍ଚର୍ଯ୍ୟ ସୃଷ୍ଟି କରିବ। ମୋ ମତରେ ଭାରତ ଭଲ କରିବ ଏବଂ ସେମିଫାଇନାଲ୍ ଖେଳିବ ବୋଲି ଭାସ୍ ପ୍ରକାଶ କରିଛନ୍ତି। ଭାସ୍ ଏବଂ ତାଙ୍କ ପୂର୍ବତନ ଦଳୀୟ ସାଥୀ ରଙ୍ଗନା ହେରାଥ ମଙ୍ଗଳବାର ଏକ ସ୍ଥାନୀୟ ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାକୁ ମୁମ୍ବାଇ ଆସିଥିବା ବେଳେ ଏଭଳି ମତ ଦେଇଥିଲେ। ହେରାଥ୍‌ କହିଥିଲେ, ଭାରତୀୟ ସ୍ପିନରମାନେ ମଧ୍ୟ ଭଲ କରିବେ। ଡାହାଣହାତୀ ୟୁଜବେନ୍ଦ୍ର ଚହଲ ଏବଂ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କ ନିକଟରେ ୱିକେଟ ଦଖଲ ଦକ୍ଷତା ରହିଛି। ଶ୍ରୀଲଙ୍କା ପାଇଁ ୪୩୩ ଟେଷ୍ଟ୍ ୱିକେଟ୍‌ ନେଇଥିବା ହେରାଥ୍‌ଙ୍କ ମତରେ ଆଗାମୀ ବିଶ୍ବକପ୍‌ରେ ସ୍ପିନରମାନେ ନିଶ୍ଚିତ ନିର୍ଣ୍ଣାୟକ ଭୂମିକା ତୁଲାଇବେ। ବିଶ୍ବକପ୍‌ ଇଂଲଣ୍ଡର ବିଭିନ୍ନ ଭାଗରେ ଖେଳାଯିବ। କିଛି ଶୁଷ୍କ ପିଚ୍‌ ମଧ୍ୟ ମିଳିବ। ସ୍ପିନରମାନେ ଗୋଟିଏ ପର୍ଯ୍ୟାୟରେ ଭଲ ସୁ‌ଯୋଗ ପାଇବେ।

ଶ୍ରୀଲଙ୍କାର ସମ୍ଭାବନା ସମ୍ପର୍କରେ ଭାସ୍ କିନ୍ତୁ ବିଶେଷ କିଛି ସ୍ପଷ୍ଟ କରିନଥିଲେ। ବିଗତ କିଛି ମାସ ହେବ ଶ୍ରୀଲଙ୍କା ଭଲ କରୁନାହିଁ। କିନ୍ତୁ ବିଶ୍ବକପ୍‌ ପାଇଁ ମନୋନୀତ ଦଳ ଭଲ ରହିଛି। ଦେଶ ପାଇଁ ଭଲ ଖେଳିବା ଏବେ ଖେଳାଳିଙ୍କ ଉପରେ ନିର୍ଭର କରୁଛି। ଲସିଥ୍ ମାଲିଙ୍ଗା ଶ୍ରୀଲଙ୍କାର ଶ୍ରେଷ୍ଠ ଏବଂ ବିଶ୍ବର ଅନ୍ୟତମ ଶ୍ରେଷ୍ଠ। ଦଳ ତାଙ୍କୁ ଜଣେ ଭଲ ବୋଲର ଭାବେ ଦେଖୁଛି ଏବଂ ଭଲ ନେତୃତ୍ବ ଅପେକ୍ଷା କରିଛି। ଆମେ ଦେଖିଛୁ ସେ ବଡ଼ ସଙ୍କଳ୍ପବଦ୍ଧତାର ସହ ଖେଳୁଛନ୍ତି ଏବଂ ୧୦୦ ପ୍ରତିଶତ ଦେଉଛନ୍ତି। ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ପରେ ପରବର୍ତୀ ଦିନ ସେ ଶ୍ରୀଲଙ୍କାରେ ଘରୋଇ ପ୍ରତିଯୋଗିତା ଖେଳିଥିଲେ। ସେ ନିଶ୍ଚିତ ବିଶ୍ବକପ୍‌ରେ ଶ୍ରୀଲଙ୍କାର ଚାବିକାଠି ହେବେ‌ ବୋଲି ଦେଶ ପାଇଁ ୪୦୦ ଦିନିକିଆ ଏବଂ ୩୫୫ ୱିକେଟ୍‌ ନେଇଥିବା ଭାସ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର