ଖୱାଜା ଏସ୍‌ସିଜିର ନୂଆ ରାଜା: ଉଭୟ ପାଳିରେ ମାରିଲେ ଶତକ, ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ସିଡ୍‌ନି ଟେଷ୍ଟ୍

ଏଲିଟ୍‌ କ୍ଲବ୍‌ରେ ଉସ୍‌ମାନ

ସିଡ୍‌ନି: ପ୍ରତ୍ୟାବର୍ତ୍ତନରେ ଅପୂର୍ବ ପରାକ୍ରମ ଓ ଅସୀମ ଏକାଗ୍ରତାର ପରାକାଷ୍ଠା ଦେଖାଇ ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟର୍‌ ଉସ୍‌ମାନ ଖୱାଜା ସିଡ୍‌ନି କ୍ରିକେଟ୍ ପଡ଼ିଆ (ଏସ୍‌ସିଜି)ରେ ଅନନ୍ୟ ଯୁଗଳ ହାସଲ କରିଛନ୍ତି। ଅଢ଼େଇ ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରି ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୩୭ କରିଥିବା ଖୱାଜା ଦ୍ବିତୀୟ ପାଳିରେ ୧୦୧* ରନ୍ କରିଛନ୍ତି। ଏଥି ସହିତ ଡଗ୍ ୱାଲଟର ଓ ରିକି ପଣ୍ଟିଂଙ୍କ ପରେ ତୃତୀୟ ଖେଳାଳି ଭାବେ ଏସ୍‌ସିଜିରେ ଗୋଟିଏ ମ୍ୟାଚ୍‌ରେ ଦୁଇଟି ଶତକ ଅର୍ଜନ କରିବାରେ ସେ ତୃତୀୟ ଖେଳାଳି ହୋଇଛନ୍ତି। ତାଙ୍କର ଏହି କୀର୍ତ୍ତିମାନଭରା ଯୁଗଳ ତିନିଅଙ୍କ ବିଶିଷ୍ଟ ପାଳି ପରେ ଗତ ତିନିଟି ଟେଷ୍ଟ୍ ଭଳି ଏସ୍‌ସିଜିରେ ଖେଳାଯାଉଥିବା ଚତୁର୍ଥ ଆସେସ୍ ଟେଷ୍ଟ୍‌କୁ ମଧ୍ୟ ଅଷ୍ଟ୍ରେଲିଆ ନିଜ ନିୟନ୍ତ୍ରଶକୁ ନେଇଛି। ଶୃଙ୍ଖଳାରେ ୪-୦ରେ ଆଗୁଆ ହେବା ପାଇଁ ରବିବାର ପଞ୍ଚମ ତଥା ଶେଷ ଦିନରେ ଅବଶ୍ୟ କଙ୍ଗାରୁ ଦଳକୁ ଇଂଲଣ୍ଡର ସମସ୍ତ ୧୦ ୱିକେଟ୍ କରାୟତ୍ତ କରିବାର ଦରକାର ରହିଛି। ଅଷ୍ଟ୍ରେଲିଆ ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ୦-୩ରେ ପଛୁଆ ରହି ମୂଳପୋଛ ହେବାର ଅପଯଶକୁ ଏଡ଼ାଇବାକୁ ଚେଷ୍ଟା କରୁଥିବା ଇଂଲଣ୍ଡ ଶନିବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା କୌଣସି ୱିକେଟ୍ ନହରାଇ ୩୦ ରନ୍ କରିଛି। ହାତରେ ୧୦ ୱିକେଟ୍ ଥିଲା ବେଳେ ବିଜୟ ପାଇଁ ଜୋ ରୁଟ୍‌ଙ୍କ ଘାଇଲା ବାହିନୀକୁ ଆହୁରି ୩୫୮ ରନ୍‌ର ଆବଶ୍ୟକତା ରହିଛି। ଶନିବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ଜ୍ୟାକ୍ କ୍ରଲି ୨୨ ଏବଂ ହସିବ ହମିଦ ୮ ରନ୍ କରି ଅପରାଜିତ ରହିଛନ୍ତି।

ଅଷ୍ଟ୍ରେଲିଆର ପ୍ରଥମ ପାଳି ସ୍କୋର ୪୧୬/୮ (ଘୋଷିତ) ଜବାବରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ୍ ହରାଇ ୨୫୮ ରନ୍ କରିଥିଲା। ଜନି ବେୟାରଷ୍ଟୋ ୧୦୩ ଏବଂ ଜ୍ୟାକ୍ ଲିଚ୍ ୪ ରନ୍‌ରେ ଅପରାଜିତ ରହିଥିଲେ। ଶନିବାର ବେୟାରଷ୍ଟୋ ବ୍ୟକ୍ତିଗତ ସ୍କୋରରେ ଆଉ ମାତ୍ର ୧୦ ରନ୍ ଯୋଡ଼ି ପାରିଥିଲା ବେଳେ ଇଂଲଣ୍ଡ ପାଳି ୨୯୪ ରନ୍‌ରେ ସମାପ୍ତ ହୋଇଯାଇଥିଲା। ସ୍କଟ୍ ବୋଲାଣ୍ଡ (ଦୁଇଟି) ଓ ନାଥନ ଲିୟନ (ଗୋଟିଏ) ଏହି ତିନିଟି ୱିକେଟ୍ ବାଣ୍ଟି ନେଇଥିଲେ। ଘରୋଇ ଅଷ୍ଟ୍ରେଲିଆକୁ ୧୨୨ ରନ୍‌ର ଅଗ୍ରଣୀ ମିଳିଯାଇଥିଲା। ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ୧୨ ରନ୍‌ରେ ଡେଭିଡ୍ ୱାର୍ଣ୍ଣରଙ୍କୁ ହରାଇଥିଲା। ତେବେ ଖୱାଜା ତାଙ୍କ ଚମତ୍କାର ଫର୍ମକୁ ଜାରି ରଖି ଶତକୀୟ ପାଳି ଖେଳିଥିଲେ। ସେହିଭଳି କ୍ୟାମରନ୍ ଗ୍ରିନ୍ ୭୪ ରନ୍‌ର ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଟେଷ୍ଟ୍‌ରେ ଏହା ତାଙ୍କର ଦ୍ବିତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ଖୱାଜାଙ୍କ ସ୍ମରଣୀୟ ଶତକ ପରେ ଅଷ୍ଟ୍ରେଲିଆ ୨୬୫/୬ରେ ଦ୍ବିତୀୟ ପାଳି ଘୋଷଣା କରି ଦେଇଥିଲା। ଏହା ପୂର୍ବରୁ ସେ ନବମ ଖେଳାଳି ଭାବେ କୌଣସି ଆସେସ୍ ଟେଷ୍ଟ୍‌ର ଉଭୟ ପାଳିରେ ଶତକ ଅର୍ଜନ କରିଥିଲେ। ସେହିଭଳି ପଞ୍ଚମ ସ୍ଥାନରେ ଖେଳି ଉଭୟ ପାଳିରେ ଶତକ ହାସଲ କରିବାରେ ଟେଷ୍ଟ୍ କ୍ରିକେଟ୍‌ର ଦଶମ ଖେଳାଳି ହୋଇଥିଲେ ଖୱାଜା। ମଜାଦାର କଥା ହେଲା ସିଡ୍‌ନି ଟେଷ୍ଟ୍‌ରେ ସେ କରିଥିବା ୨୩୮ ରନ୍ ସଂପୂର୍ଣ୍ଣ ଶୃଙ୍ଖଳାରେ ସବୁ ଇଂଲଣ୍ଡ ଖେଳାଳିଙ୍କ ବ୍ୟକ୍ତିଗତ ରନ୍‌ଠାରୁ ଅଧିକ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି ୪୧୬/୮ (ଘୋଷିତ)। ଇଂଲଣ୍ଡ ପ୍ରଥମ ପାଳି ୨୯୪ (ଜନି ବେୟାରଷ୍ଟୋ ୧୧୩, ବେନ୍ ଷ୍ଟୋକ୍ସ ୬୬, ସ୍କଟ ବୋଲାଣ୍ଡ ୪/୩୬, ପ୍ୟାଟ୍ କମିନ୍ସ ୨/୬୮)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ୨୬୫/୬, ଘୋଷିତ (ଉସ୍‌ମାନ ଖୱାଜା ୧୦୧*, କ୍ୟାମେରନ୍ ଗ୍ରିନ୍ ୭୪, ଜ୍ୟାକ୍ ଲିଚ୍ ୪/୮୪)। ଇଂଲଣ୍ଡ ଦ୍ବିତୀୟ ପାଳି ୩୦/୦ (ଜ୍ୟାକ୍‌ କ୍ରଲି ୨୨, ହସିବ ହମିଦ ୮*)।

ସିଡନି: ସିଡନି ଟେଷ୍ଟ୍‌ର ଉଭୟ ପାଳିରେ ଶତକ (୧୩୭ ଏବଂ ୧୦୧*) ଅର୍ଜନ କରିବା ପର ଉସ୍‌ମାନ ଖୱାଜା ନିଜକୁ ଏଲିଟ୍‌ କ୍ଲବ୍‌ରେ ସାମିଲ କରିନେଇଛନ୍ତି। ଟେଷ୍ଟ୍‌ କ୍ରିକେଟ୍ ଇତିହାସରେ ଏହା ୮୭ତମ ଉଦାହରଣ ହୋଇଥିଲେ ମଧ୍ୟ ଖୱାଜା ଷଷ୍ଠ ଅଷ୍ଟ୍ରେଲୀୟ ଭାବେ ଆସେସ୍‌ରେ ଏଭଳି ଯମଜ ଶତକ ଅର୍ଜନ କରିଛନ୍ତି। ୩୫ ବର୍ଷୀୟ ବାମହାତୀ ବ୍ୟାଟର୍‌ ଖୱାଜା ୨୦୧୦-୧୧ ଆସେସ୍‌ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ରେ ଏହି ସିଡନିରେ ହିଁ ପଦାର୍ପଣ କରିଥିଲେ। ଇସ୍‌ଲାମାବାଦ ଜନ୍ମିତ ଏହ‌ି ‌‌ଖେଳାଳି ପଦାର୍ପଣରେ ପ୍ରାୟ ୨ ଘଣ୍ଟା ବ୍ୟାଟିଂ କରି ୩୭ ରନ୍‌ କରିଥିଲେ। ସେ ସମୟରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ରିକି ପଣ୍ଟିଂଙ୍କ ବିକଳ୍ପ ମିଳିଗଲେ ବୋଲି ପ୍ରଶଂସକମାନେ ବିଚାର କରିଥିଲେ। ତେବେ କୌଣସି କାରଣରୁ ଦଳରୁ ବାଦ୍‌ ପଡ଼ିବା ପରେ ନିଜ ଘରୋଇ ପଡିଆରେ ପ୍ରତ୍ୟାବର୍ତନ ସ‌ୁଯୋଗ ପାଇଥିବା ଖୱାଜା ଏହାକୁ ଯମଜ ଶତକ ସହ ଦୁଇ ହାତରେ ମାଡ଼ି ବସିଛନ୍ତି। ଆସେସ୍‌ରେ ଖୱାଜାଙ୍କ ପୂର୍ବରୁ ଯେଉଁ ୫ ଜଣ ଅଷ୍ଟ୍ରେଲୀୟ ଏହି କ୍ଲ୍‌ବରେ ଥିଲେ ସେମା‌ନେ ହେଉଛନ୍ତି-ୱାରେନ୍ ବାର୍ଡସଲେ (୧୩୬ ଓ ୧୩୦, ଓଭାଲ୍, ୧୯୦୯), ଆର୍ଥର୍‌ ମୋରିସ୍ (୧୨୨ ଓ ୧୨୪*, ଆଡିଲେଡ୍‌, ୧୯୪୭), ଷ୍ଟିଭ୍ ୱ (୧୦୮ ଓ ୧୧୬, ଓଲ୍ଡ ଟ୍ରାଫୋର୍ଡ, ୧୯୯୭), ମାଥ୍ୟୁ ହେଡେନ୍‌ (୧୯୭ ଓ ୧୦୩, ଗାବା, ୨୦୦୨) ଏବଂ ଷ୍ଟିଭ୍ ସ୍ମିଥ୍ (୧୪୪ ଓ ୧୪୨, ଏଜବା‌ଷ୍ଟନ୍‌, ୨୦୧୯)। ସୂଚନାଯୋଗ୍ୟ, ଯମଜ ଶତକ ହାସଲ କରିବାରେ ୬ ଜଣ ଭାରତୀୟଙ୍କ ନାମରେ ୯ଟି ଉଦାହରଣ ରହିଛି। ସୁନିଲ ଗାଭାସ୍କର ୩ ଥର ଏବଂ ରାହୁଲ ଦ୍ରାବିଡ଼ ୨ ଥର ଏଭଳି କରିବାର ବିରଳ ସଫଳତା ପାଇଛନ୍ତି। ବିଜୟ ହଜାରେ, ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି ଏବଂ ରୋହିତ ଶର୍ମା ଥରେ ଲେଖାଏଁ ଯମଜ ଟେଷ୍ଟ୍ ଶତକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର