ଖେଲୋ ଇଣ୍ଡିଆ ଏକାଡେମି ସ୍ବୀକୃତିର ଫଳ, ମୋନାଲି ଓ ପୁନିତ୍‌ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଖେଲୋ ଇଣ୍ଡିଆ ଏକାଡେମିର ସ୍ବୀକୃତି ପାଇବା ପରେ ଉତ୍କଳ କରାଟେ ସ୍କୁଲ୍‌ର ଦୁଇ ପ୍ରଶିକ୍ଷାର୍ଥୀ ମୋନାଲି ସାହୁ ଏବଂ ପୁନିତ୍‌ ଚନ୍ଦ୍ର ସାହୁ ଜାତୀୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଥିଲାଗି ସୋମବାର ତାଙ୍କୁ ସ୍କୁଲ୍‌ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜ୍ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ, ଉତ୍କଳ କରା‌ଟେ ସ୍କୁଲ୍‌ ପ୍ରତିଷ୍ଠାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ସାଫ୍‌ ପଦକ ବିଜେତା ଭାରୋତ୍ତୋଳକ ଚନ୍ଦ୍ର ଶେଖର ସାହୁ, ରାଜ୍ୟ ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ, କ୍ରୀଡ଼ାବିତ୍‌ ଗୌରୀ ମହାନ୍ତି, ଅନୁପମା ସ୍ବାଇଁ, ଚିନ୍ମୟୀ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ସୂଚନା‌ଯୋଗ୍ୟ, ଅଗଷ୍ଟ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପଟିଆଲାରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ପୁରୁଷ ୯୬ କିଲୋଗ୍ରାମ ଯୁବ ବର୍ଗରେ ପୁନିତ୍‌ ମୋଟ ୨୫୮ କିଲୋଗ୍ରାମ (ସ୍ନାଚ୍‌-୧୦୩, କ୍ଲିନ୍ ଆଣ୍ଡ୍ ଜର୍କ-୧୫୫) ଉତ୍ତୋଳନ କରି ରୌପ୍ୟ ପଦକ ପାଇଥିଲେ। ମହିଳା ୭୬ କିଲୋଗ୍ରାମ ବର୍ଗରେ ମୋନାଲି ସାହୁ ମୋଟ ୧୪୩ କିଲୋଗ୍ରାମ (ସ୍ନାଚ୍‌-୬୪, କ୍ଲିନ୍ ଆଣ୍ଡ୍ ଜର୍କ-୬୯) ଉତ୍ତୋଳନ କରି କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶାରୁ ମୋଟ ୨୨ ଜଣ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର