ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଉଦ୍‌ଘାଟିତ: ଜଗଦୀଶ ଦେଲେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ

ରାଜିନ ଅମ୍ପାୟାର

ଭୁବନେଶ୍ବର: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ତୃତୀୟ ସଂସ୍କରଣ ଶୁକ୍ରବାର ଗୁଆହାଟୀସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଉଦ୍‌ଘାଟିତ ‌ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ‌କେନ୍ଦ୍ର ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୩୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୮୦୦‌ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଶେଷ ମଶାଲ ଶୋଭାଯାତ୍ରାରେ ସମସ୍ତ ୭ ଉତ୍ତର-ପୂର୍ବ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କ ସମେତ ଆସାମର ବିଜେତା ଆଥ୍‌ଲେଟ୍‌ମାନେ ଯୋଗ ଦେଇଥିଲେ। ଏହାପରେ ଅନ୍ତର୍ଜାତୀୟ ଯୁବ ଧାବିକା ହୀମା ଦାସ ମଶାଲରେ ଅଗ୍ନି ସଂଯୋଗ କରିଥିଲେ। ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବରେ ଆସାମର ଲୋକକଳା ଦେଖିବାକୁ ମିଳିଥିଲା। ବଲିଉଡ୍‌ ଗାୟକ ଶଙ୍କର ମହାଦେବନଙ୍କ ସଙ୍ଗୀତରେ ଦର୍ଶକମାନେ ଝୁମି ଉଠିଥିଲେ। ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଥିଲା। ଜିମ୍ନାଷ୍ଟ୍‌ ଜଗଦୀଶ ବାରିକ ଓଡ଼ିଶାକୁ ପ୍ରଥମ ପଦକ ଭେଟି ଦେଇଥିଲେ। ୧୭ ବର୍ଷରୁ କମ୍‌ ବାଳକ ଜିମ୍ନାଷ୍ଟିକ୍ସରେ ଭାଗ ନେଇଥିବା ଜଗଦୀଶ ଟେବୁଲ ଭଲ୍ଟରେ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

ରାଜିନ ଅମ୍ପାୟାର
ଭୁବନେଶ୍ବର: ଆସାମର‌ ଗୁଆହାଟୀରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାର ରାଜିନ ଏକ୍କା ହକି ଇଭେଣ୍ଟ୍ ପରିଚାଳନା ପାଇଁ ମନୋନୀତ ହୋଇଛନ୍ତି। ପୂର୍ବରୁ ଏକାଧିକ ଜାତୀୟ, ସର୍ବଭାରତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିଥିବା ଏହି ଅମ୍ପାୟାରଙ୍କୁ ହକି ଇଣ୍ଡିଆର ପ୍ରତିଯୋଗିତା ପ୍ରବଂଧକ ଅନ୍ୟତମ ଓଡ଼ିଆ ବିଶ୍ବରଂଜନ ଷଡ଼ଙ୍ଗୀ ପତ୍ରଲେଖି ୨ ଦିନ ପୂର୍ବରୁ ଦାୟିତ୍ବ ନେବାକୁ କହିଛନ୍ତି। ହକି ପ୍ରତିଯୋଗିତା ତୌଲାନା ମହମ୍ମଦ‌ ତୟାବୁଲ୍ଲା ହକି ଷ୍ଟାଡିୟମ୍‌ରେ ଜାନୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର