କମିନ୍ସ କମାଲରେ ଜିତିଲା କେକେଆର୍‌: ମୁମ୍ବାଇ ଇଣ୍ଡିଆନ୍ସର ହ୍ୟାଟ୍ରିକ୍ ପରାଜୟ

ପୁଣେ: ଆଇପିଏଲ୍ ଇତିହାସର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ତାର ପ୍ରଥମ ୩ ମ୍ୟାଚ୍ ହାରି ହ୍ୟାଟ୍ରିକ୍ ପରାଜୟ ବରଣ କରିଛି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିକାଂଶ ସମୟ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ତେବେ ପ୍ୟାଟ୍ କମିନ୍ସ (୫୬*)ଙ୍କ ଧୂଆଧାର ଅର୍ଦ୍ଧଶତକ ସହ ଭେଙ୍କଟେଶ ଆୟରଙ୍କ ଦାୟିତ୍ବସଂପନ୍ନ ୫୦* ରନ୍ ବଳରେ କେକେଆର୍‌ ଶେଷରେ ସହଜ ବିଜୟ ହାସଲ କରିଥିଲା। ମୁମ୍ବାଇ ଧାର୍ଯ୍ୟ କରିଥିବା ୧୬୨ ରନ୍‌ର ବିଜୟ ଲକ୍ଷ୍ୟକୁ ୪ ଓଭର ପୂର୍ବରୁ ୫ ୱି‌କେଟ୍ ବିନିମୟରେ ହାସଲ କରିନେଇ କେକେଆର୍‌ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ ସହ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଅନ୍ୟ ପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଖାତା ଖୋଲି ନପାରି ଅଷ୍ଟମରୁ ନବମ ସ୍ଥାନକୁ ଖସିଥିଲା। ଆଇପିଏଲ୍ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ କେଏଲ୍ ରାହୁଲ (୨୦୧୮, ବନାମ ଦିଲ୍ଲୀ କ୍ୟାପିଟାଲ୍ସ)ଙ୍କ ରେକର୍ଡର ସମକକ୍ଷ ହୋଇଥିବା କମିନ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କେକେଆର୍‌ ଆଜି ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟରଙ୍କ ନିଷ୍ପତ୍ତିର ସମ୍ମାନ ରଖି ଦୁଇ ଦ୍ରୁତ ବୋଲର ଉମେଶ ଯାଦବ ଓ ପ୍ୟାଟ୍ କମିନ୍ସ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (୩)ଙ୍କ ସହ ଈଶାନ କିଶନ ଓ ପଦାର୍ପଣକାରୀ ଦିୱାଲ୍ଡ ବ୍ରେଭିସ୍ (୨୯)ଙ୍କୁ ୫୫ ରନ୍‌ ମଧ୍ୟରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକାର ୧୯ ବର୍ଷୀୟ ତାରକା ବ୍ରେଭିସ୍ ନିଜ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ରେ ହିଁ ପ୍ରଭାବୀ ଏବଂ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୯ ବଲ୍‌ରୁ ୨୯ ରନ୍‌ର ପାଳି ଖେଳିଥିଲେ। ଆହତ ହୋଇ ମୁମ୍ବାଇର ପ୍ରଥମ ଦୁଇ ମ୍ୟାଚ୍‌ରେ ଅନୁପସ୍ଥିତ ଥିବା ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରି ଚିତ୍ତାକର୍ଷକ ଢଙ୍ଗରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ତିଲକ ବର୍ମା (୩୭*) ଓ କିରଣ ପୋଲାର୍ଡ (୨୨*)ଙ୍କ ପାଇଁ ମୁମ୍ବାଇ ଦେଢ଼ ଶହ ରନ୍ ପାର କରିଥିଲା। ଶେଷ ୫ ବଲ୍‌ରୁ ପୋଲାର୍ଡ ତିନିଟି ବିଶାଳ ଛକା ସହ ୨୨ ରନ୍ ଅମଳ କରି ମୁମ୍ବାଇ ପାଳିକୁ ୧୬୧/୪ରେ ପହଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର