ମାଥ୍ୟୁସଙ୍କ ପସନ୍ଦର ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ କୋହଲି ଶ୍ରେଷ୍ଠ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ନିଜ ପସନ୍ଦର ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ବିରାଟ କୋହଲି, ଷ୍ଟିଭ୍ ସ୍ମିଥ୍, ଜୋ ରୁଟ୍‌, କେନ୍ ୱିଲୟମସନ୍‌ଙ୍କୁ ବାଛିଛନ୍ତି। ଏମାନଙ୍କ ସହ ରୋହିତ ଶର୍ମା ଓ କ୍ବିଣ୍ଟନ୍ ଡି’କକଙ୍କୁ ମଧ୍ୟ ତାଲିକାରେ ସାମିଲ କରିଛନ୍ତି। କିନ୍ତୁ ନିଜ ପସନ୍ଦର ପ୍ରଥମ ୪ ଜଣଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ଦର୍ଶାଇଛନ୍ତି। କୁମାର ସାଙ୍ଗାକାରାଙ୍କ ପରେ ବିରାଟ କୋହଲି ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଯିଏ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି ବୋଲି ମାଥ୍ୟୁସ କହିଛନ୍ତି। ଶ୍ରୀଲଙ୍କାର ୨୦୧୪ ଟି-୨୦ ବିଶ୍ବକପ୍‌ ବିଜୟୀ ଅଭିଯାନରେ ମାଥ୍ୟୁସ ଅନ୍ୟତମ ଭୂମିକା ତୁଲାଇଥିଲେ। ସେହିଭଳି ଶ୍ରୀଲଙ୍କାର ୨୦୧୧ ବିଶ୍ବକପ୍‌, ୨୦୦୯ ଏବଂ ୨୦୧୨ ଆଇସିସି ଟି-୨୦ ବିଶ୍ବକପ୍‌ ଫାଇନାଲ୍ ପ୍ରବେଶ ଅଭିଯାନରେ ବି ଏହି ଅଲରାଉଣ୍ଡର୍‌ ସାମିଲ ଥିଲେ। ଶୁକ୍ରବାର କ୍ରିକ୍‌ଟ୍ରାକର୍‌ ସହ ଆଲୋଚନା ବେଳେ ମାଥ୍ୟୁସ ମଧ୍ୟ ୨୦୧୧ ବିଶ୍ବକପ୍ ଫାଇନାଲ୍ ପରାଜୟ କଥାକୁ ମନେ ପକାଇଥିଲେ। ଆମେ କିଛି ରନ୍‌ ପଛରେ ରହିଯାଇଥିଲୁ, ଆଉ ପାଖାପାଖି ୫୦ ରନ୍ କରି ପାରିଥିଲେ ଫରକ ପକାଇପାରିଥାନ୍ତୁ ବୋଲି ମାଥ୍ୟୁସ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ମାହେଲା ଜୟବର୍ଧନେଙ୍କ ଶତକ ସତ୍ତ୍ବେ ଶ୍ରୀଲଙ୍କା ୨୭୪ ରନ୍ କରିଥିଲା। ଯାହାକୁ କି ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ଗୌତମ ଗମ୍ଭୀର (୯୭) ଓ ମହେନ୍ଦ୍ର ସିଂହ ଧୋନି (୯୧*)ଙ୍କ ପାଳି ବଳରେ ଜିତି ଯାଇଥିଲା। ମୋର ଏବେ ବି ବିଶ୍ବାସ ରହିଛି ଆମକୁ ଅନ୍ୟୁନ ୩୨୦ ରନ୍ କରିବାର ଥିଲା। ଭାରତୀୟ ୱିକେଟ୍‌ଗୁଡିକ ରାସ୍ତାଘାଟ ଭଳି ଫ୍ଲାଟ। ବ୍ୟାଟସମ୍ୟାନ୍‌ ଭଲ ଖେଳିବା ସ୍ବାଭାବିକ ଥିଲା। ଭାରତର ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍ ଥିବାରୁ ସେମାନଙ୍କୁ ରୋକିବା କଷ୍ଟକର ଥିଲା। ଆମେ କିନ୍ତୁ ୨୦/୩୦ ରନ୍ କମ୍‌ ସ୍କୋର୍‌ କରିଥିଲୁ ଏବଂ ତଥାପି ସୁଯୋଗ ଥିଲା। ହେଲେ ଗମ୍ଭୀର ଓ କୋହଲିଙ୍କ ପରେ ଧୋନି ମ୍ୟାଚ୍‌କୁ ନେଇଯାଇଥିଲେ। ଏହା ଏକ ଭଲ ଲଢ଼େଇର ମ୍ୟାଚ୍‌ ଥିଲା ବୋଲି ମାଥ୍ୟୁସ ଶେଷରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର