ସଚିନ୍‌, ସୌରଭ ଓ ଦ୍ରାବିଡଙ୍କୁ ଟପିଲେ କୋହଲି

ପାର୍ଲ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ‌ରେ ୫୧ ରନ୍‌ କରି ବିରାଟ କୋହଲି ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କୁ ପଛରେ ପକାଇ ନୂଆ ଇତିହାସ ରଚିଛନ୍ତି। ବିଶେଷକରି ବିଦେଶରେ ଦିନିକିଆ ଆନ୍ତର୍ଜାତିକରେ ବ୍ୟକ୍ତିଗତ ସର୍ବାଧିକ ରନ୍‌ କରିବାରେ ସେ ସଚିନ୍‌ଙ୍କୁ ଟପି ଭାରତର ପ୍ରଥମ ବ୍ୟାଟର୍‌ ହୋଇଛନ୍ତି। ସଚିନ୍‌ ବିଦେଶମାଟିରେ ଭାରତ ପକ୍ଷରୁ ୧୪୭ ମ୍ୟାଚ୍‌ ଖେଳି ୫୦୬୫ ରନ୍‌ ନିଜ ନାମ‌ରେ ରଖିଥିଲେ। ହେଲେ ବୁଧବାର ନିଜର ୧୦୪ତମ ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ କୋହଲି ଏହାକୁ ପଛରେ ପକାଇ ଦେଇଛନ୍ତି। କୋହଲି ୧୦୪ ମ୍ୟାଚ୍‌ରୁ ୫୧୦୮ ରନ୍‌ ନିଜ ନାମରେ କରିନେଇଛନ୍ତି। ପୁଣି ହାରାହାରିରେ ମଧ୍ୟ କୋହଲି (୫୮) ସଚିନ୍‌ଙ୍କଠୁ (୩୭) ବହୁ ଉପରେ ରହିଛନ୍ତି। ଏବେ କୋହଲି ଓ ସଚିନ୍‌ଙ୍କ ପଛକୁ ଭାରତୀୟଙ୍କ ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୫୨୦ ରନ୍‌, ୧୨୪ ପାଳି), ରାହୁଲ ଦ୍ରାବିଡ୍‌ (୩୯୯୮ ରନ୍‌, ୧୧୦ ପାଳି) ଏବଂ ସୌରଭ ଗାଙ୍ଗୁଲି (୩୪୬୮ ରନ୍‌, ୧୦୫ ପାଳି) ଯଥାକ୍ରମେ ତୃତୀୟରୁ ପଞ୍ଚମରେ ରହିଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ବ୍ୟକ୍ତିଗତ ଭାବେ ସବୁଠୁ ଅଧିକ ରନ୍‌ କରିବାରେ ବିରାଟ କୋହଲି ପୂର୍ବତନ ଦୁଇ ଅଧିନାୟକ ରାହୁଲ ଦ୍ରାବିଡ୍‌ ଏବଂ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି। ଏବର ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩୦୯ ରନ୍‌ କରିଥିଲା ବେଳେ ଏବର ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ନାମରେ ୧୩୧୩ ରନ୍‌ ରହିଛି। ହେଲେ ବୁଧବାର ଚଳିତ ଗସ୍ତରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ କୋହଲି ୨୩ ରନ୍‌ କରିଥିଲା ବେଳେ ଦ୍ରାବିଡ୍‌ଙ୍କୁ ଏବଂ ୨୭ ରନ୍‌ କରିଥିଲା ବେଳେ ଗାଙ୍ଗୁଲିଙ୍କୁ ଟପି ଯାଇଥିଲେ। ଏହି ମ୍ୟାଚ୍‌ ପୂର୍ବରୁ କୋହଲିଙ୍କ ରନ୍‌ ସଂଖ୍ୟା ୧୨୮୭ ଥିଲା। ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୨୦୦୧ ରନ୍‌) ସର୍ବାଗ୍ରେ ରହିଥିଲା ବେଳେ କୋହଲି ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୪ ଶତକ ଏବଂ ୬ ଅର୍ଦ୍ଧଶତକ ଜମାଇଥିଲା ବେଳେ ତାଙ୍କ ହାରାହାରି ୬୪.୩୫ ରହିଛି। ଫଳରେ ଦ୍ରାବିଡ୍‌ ଓ ଗାଙ୍ଗୁଲି ତୃତୀୟ ଓ ଚତୁର୍ଥ ଭାରତୀୟ ବ୍ୟାଟର୍‌ ଭାବେ ଏହି ତାଲିକାରେ ରହିଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ଦିନିକିଆ ସ୍କୋର୍‌ ତାଲିକାରେ ବିଶ୍ବର ବ୍ୟାଟର୍‌ଙ୍କ ମଧ୍ୟରେ ସଚିନ୍‌ଙ୍କ ପଛକୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୮୭୯) ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର