ପ୍ରସାଦଙ୍କ ଗତି କୁଆଡ଼େ? ଏବେ ବି ରାଜନୀତିଠାରୁ ଦୂରେଇ ରହିଛନ୍ତି

ପୁରୀ :‌ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ। ନାମାଙ୍କନ ପର୍ବ ବି ଆରମ୍ଭ ହୋଇସାରିଛି। ତଥାପି ସତ୍ୟବାଦୀର ଜଣାଶୁଣା ନେତା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରାଜନୀତିଠାରୁ ଦୂରେଇ ରହିବା, ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ଦଳୀୟ ମହଲରେ ବି ନାପସନ୍ଦ କରାଯାଇଛି। ପ୍ରସାଦଙ୍କ ଗତି କୁଆଡ଼େ ସେ ନେଇ ରାଜନୈତିକ ମହଲ ପ୍ରଶ୍ନ ଉଠାଇଲେଣି।

ରାଜନୀତିରେ ପ୍ରସାଦ ସବୁ ଦାୟିତ୍ବ ତୁଲାଇ ସାରିଛନ୍ତି। ବିଧାୟକ ସହ ମନ୍ତ୍ରୀ ପଦରେ ବି ଥିଲେ। ୨୦୧୪ରେ ପିସିସିର ସଭାପତି ଦାୟିତ୍ବ ତୁଲାଇ ସାରିଛନ୍ତି। ଏହାସତ୍ତ୍ବେ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସ ପ୍ରତି ପ୍ରସାଦଙ୍କ ଯେଉଁଭଳି ଅବଦାନ ରହିବା କଥା, ସେଭଳି ଦେଖିବାକୁ ମିଳୁନି। ଦଳର ସାଂଗଠନିକ କାର୍ଯ୍ୟ ହେଉ କି ସାଧାରଣ ସଭା, କେଉଁଠି ବି ତାଙ୍କୁ ଦେଖିବାକୁ ମିଳୁନି। ୩ ବର୍ଷ ଭିତରେ ବି ସେ ଦଳକୁ ମଜବୁତ କରିବାରେ ଆଖିଦୃଶିଆ ଆନ୍ଦୋଳନ କି ବିକ୍ଷୋଭ କରିବାର ନଜିର ନାହିଁ। ଏପରିକି ଦରବୃଦ୍ଧି ହେଉ କି ଅନ୍ୟ ପ୍ରସଙ୍ଗ, କଂଗ୍ରେସ ଅତୀତରେ ଯେଉଁ ଆନ୍ଦୋଳନ ଡାକରା ଦେଇଛି, ସେଥିରେ ବି ପ୍ରସାଦଙ୍କୁ ଦେଖିବାକୁ ମିଳିନି। ଏଭଳି ସ୍ଥିତିରେ ପ୍ରସାଦ ଦଳରେ ରହିବାକୁ ଚାହୁଁଛନ୍ତି କି ଅନ୍ୟ କୁଆଡ଼େ ଯିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ନେତୃବୃନ୍ଦ, ନିକଟତମ ଗୋଷ୍ଠୀ ପ୍ରଶ୍ନ କରିଛନ୍ତି। ଜନୈକ ବରିଷ୍ଠ କଂଗ୍ରେସ ନେତାଙ୍କ ସୂଚନା ମୁତାବକ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ୍‌ ବାଣ୍ଟିବା ଦାୟିତ୍ବ ପିସିସି କାର୍ଯ୍ୟାଳୟରୁ ପ୍ରସାଦଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। କିନ୍ତୁ ସେ ଟିକେଟ୍‌ ବାଣ୍ଟିବାକୁ ସିଧାସଳଖ ଖଣ୍ଡନ କରି ଦେଇଛନ୍ତି। ସେପଟେ ପ୍ରସାଦ କଂଗ୍ରେସ ଛାଡ଼ି ବିଜେଡି ଆଡ଼କୁ ଢ଼ଳିଲେଣି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏପରିକି ଆଗାମୀ ନିର୍ବାଚନରେ ସେ ପୁରୀ ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ପ୍ରସାଦ ଯେହେତୁ ରାଜନୀତିଠାରୁ ଦୂରେଇ ରହିଛନ୍ତି, ଏହା ପରେ ପରେ ଅନେକ ଆଶାୟୀ ବି ତାଙ୍କ ସ୍ଥାନ ନେବାକୁ ଲବି ଚଳାଇଛନ୍ତି। କିନ୍ତୁ ପ୍ରସାଦ ବାଟ ଛାଡ଼ୁ ନଥିବା ରାଜନୈତିକ ମହଲ ମତ ଦେଇଛନ୍ତି। ଶୁଣିବାକୁ ମିଳିଛି କି ପୂର୍ବତନ ବିଧାୟକ ରବି ଦାସଙ୍କ ପୁଅ ବି ସତ୍ୟବାଦୀ ଦାୟିତ୍ବ ନେବାକୁ ଆଗଭର ଅଛନ୍ତି। ସତ୍ୟବାଦୀ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ବି ସତ୍ୟବାଦୀ ଦାୟିତ୍ବ ସମ୍ଭାଳିବାକୁ ରାଜି ଅଛନ୍ତି। କିନ୍ତୁ ପ୍ରସାଦଙ୍କୁ କେହି ଖୋଲା ବିରୋଧ କରିବାକୁ ଚାହୁଁନଥିବାରୁ ନିରବ ରହିଛନ୍ତି।

ସମ୍ବନ୍ଧିତ ଖବର