କୋହଲି କହିଲେ କଠିନ ସମୟ କଥା: ଶକ୍ତିଶାଳୀ ବୋଲି ଅଭିନୟ କରୁଥିଲି, ପ୍ରକୃତରେ କିନ୍ତୁ ଦୁର୍ବଳ ଥିଲି

୧୦ ବର୍ଷ ଭିତରେ ପ୍ରଥମ ଥର ଲାଗି ମାସକ ପାଇଁ ବ୍ୟାଟ୍ ଧରିନଥିଲି, ରୋହିତ ବି ହୋଇଥିଲେ ମାନସିକ ଅବସାଦର ଶିକାର

ଦୁବାଇ: ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଛି। ଏହି ବହୁ ପ୍ରତୀକ୍ଷିତ ମୁକାବିଲା ପୂର୍ବରୁ ଗତ ତିନି ବର୍ଷ ହେବ ଗୋଟିଏ ହେଲେ ବି ଶତକ ଅର୍ଜନ କରି ନଥିବା କୋହଲି ନିଜ ସଂଘର୍ଷ ସମୟ ଏବଂ ମାନସିକ ସ୍ଥିତି ଉପରୁ ପରଦା ଉଠାଇଛନ୍ତି। ‘ବିରାଟ: ହାର୍ଟ ଟୁ ହାର୍ଟ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ମାନସିକ ସ୍ତରରେ ମୁଁ ଢେର ଦୁର୍ବଳ ଥିଲି ବୋଲି ସ୍ବୀକାର କରୁଛି। ୧୦ ବର୍ଷ ଭିତରେ ପ୍ରଥମ ଥର ଲାଗି ମାସକ ପାଇଁ ମୁଁ ବ୍ୟାଟ୍ ଛୁଇଁନଥିଲି। ଏହି ସମୟରେ ମୁଁ ହୃଦୟଙ୍ଗମ କରିଥିଲି ଯେ ମୋ ଖେଳକୁ ନେଇ ମୁଁ କିଛି ଠିକ୍ କରୁନଥିଲି। ନିଜ ପ୍ରଗାଢ଼ତାକୁ ନେଇ ବି ମିଛ ଅଭିନୟ କରୁଥିଲି। ଶରୀର ଏବଂ ମନ ଏଥିରୁ ପଛଘୁଞ୍ଚା ଦେଇ କିଛି ଦିନ ବିଶ୍ରାମ ନେବାକୁ କହୁଥିଲେ। ବେନ୍ ଷ୍ଟୋକ୍ସଙ୍କ ଭଳି ମୁଁ ମଧ୍ୟ ମାନସିକ ସମସ୍ୟା ଦେଇ ଗତି କରୁଥିଲି। ଏହା ନିଚ୍ଛକ ସତ।

ଏଭଳି ଭାବିବା ଅବଶ୍ୟ ସ୍ବାଭାବିକ କଥା। ଏହି ବିଷୟ ଆମେ ଯଥାସମ୍ଭବ ଲୁଚାଇବାକୁ ଚେଷ୍ଟା କରେ। ମା‌ନସିକ ସ୍ତରରେ ଆମେ ଦୁର୍ବଳ ବୋଲି କାହାକୁ ଦେଖାଇବାକୁ ଆମେ ଚାହେନି। ମୋତେ ବିଶ୍ବାସ କରନ୍ତୁ, ଶକ୍ତିଶାଳୀ ବୋଲି ଅଭିନୟ କରିବା ଦୁର୍ବଳ ବୋଲି ସ୍ବୀକାର କରିବାଠାରୁ ବହୁତ ଖରାପ। ସମସ୍ତଙ୍କର କିଛି ନା କିଛି ସୀମା ଥାଏ। ଏକଥାକୁ ଆମକୁ ମାନିବାକୁ ହେବ। କଠିନ ସମୟ ମୋତେ ଅନେକ କିଛି ଶିକ୍ଷା ଦେଇଛି। ଏସବୁ କଥା ବାହାରକୁ ଆସୁ ବୋଲି ମୁଁ ଚାହୁନଥିଲି। ହେଲେ ଏସବୁ ଯେତେବେଳେ ବାହାରକୁ ଆସିଲା, ଏହାକୁ ଖୁସି ଖୁସି ସ୍ବୀକାର କରିନେଲି। ଯେ କୌଣସି ସ୍ଥିତିରେ ମୋ ଦଳ ଜିତୁ ବୋଲି ମୁଁ ସବୁବେଳେ ଚାହେ। ମୁଁ ଭାବୁଛି, ନିଜ ଉପରେ ମୁଁ ଅଧିକ ଚାପ ଦେଉଥିଲି। ଏବେ ଭଲ ପ୍ରସ୍ତୁତି କରିଛି। ଭଲ କରିବି ବୋଲି ଆଶା ରଖିଛି। ପାକିସ୍ତାନ ଅଧିନାୟକ ବାବର ଆଜମ ସମ୍ଭବତଃ ସାଂ ପ୍ରତିକ ସମୟରେ ସବୁ ଫର୍ମାଟ୍‌ର ଶ୍ରେଷ୍ଠ ବ୍ୟାଟର୍‌ ବୋଲି ‌କୋହଲି ଏହି ଅବସରରେ ମତ ରଖିଥିଲେ। କୋହଲିଙ୍କ ଏହି ବିରାଟ ରହସ୍ୟ ଉନ୍ମୋଚନ ପରେ ରୋହିତ ଶର୍ମା ମଧ୍ୟ ଏକଦା ମାନସିକ ଅବସାଦର ଶିକାର ହୋଇଥିବା ସ୍ବୀକାର କରିଛନ୍ତି। କୋଭିଡ୍-୧୯ ପରେ କେବଳ ବିରାଟ ନୁହନ୍ତି, ମୁଁ ମଧ୍ୟ ମାନସିକ ଅବସାଦର ଶିକାର ହୋଇଥିଲି। ବହୁ ଖେଳାଳି ଏହି କଠିନ ସମୟ ଦେଇ ଗତି କରିଥିଲେ ବୋଲି କହିଛନ୍ତି ରୋହିତ।

ସମ୍ବନ୍ଧିତ ଖବର