ପାକିସ୍ତାନକୁ ଘାଇଲା କଲେ ଲିଚ୍‌, ଉଡ୍‌ ଓ ରୁଟ୍‌: ଇଂଲଣ୍ଡ ଦୃଢ଼

ମୁଲତାନ୍‌ : ‌ପଦାର୍ପଣରେ ଅବ୍ରାର୍ ଅହମ୍ମଦଙ୍କ ୭ ୱିକେଟ୍‌ ଦଖଲର ଫାଇଦା ଉଠାଇ ପାରିଲାନି ପାକିସ୍ତାନ। ଅବ୍ରାରଙ୍କ ଚମତ୍କାର ବୋଲିଂ ବଳ‌ରେ ଭ୍ରମଣକାରୀ ଇଂଲଣ୍ଡ ପ୍ରଥମ ପାଳିକୁ ୨୮୧ ରନ୍‌ରେ ରୋକିପାରିଥିବା ଘରୋଇ ପାକିସ୍ତାନ ଦଳ କିନ୍ତୁ ବ୍ୟାଟିଂରେ ପଛରେ ପଡ଼ିଗଲା। ଅଧିନାୟକ ବାବର ଆଜମ୍‌ (୭୫) ଏବଂ ସୌଦ ସକିଲ (୬୩)ଙ୍କ ଅର୍ଦ୍ଧଶତକ ଏବଂ ତୃତୀୟ ୱିକେଟ୍‌ରେ ୯୧ ରନ୍‌ର ଭାଗୀଦାରି ସତ୍ତ୍ବେ ଚଳିତ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ପାକିସ୍ତାନ ୨୦୨ ରନ୍‌ରେ ପ୍ରଥମ ପାଳିର ସମସ୍ତ ୱିକେଟ୍‌ ହରାଇଥିଲା। ପୂର୍ବଦିନ ୧୦୭/୨ କରିଥିବା ଘରୋଇ ଦଳ ଆଜି ଆଉ ୯୫ ରନ୍ ଯୋଡ଼ି ଅବଶିଷ୍ଟ ୮ ୱିକେଟ୍‌ ହରାଇଥିଲା। ଫଳରେ ଇଂଲଣ୍ଡ ୭୯ ରନ୍‌ର ପାଳି ଅଗ୍ରଣୀ ପାଇଯାଇଥିଲା। ବିଶେଷକରି ଜାକ୍‌ ଲିଚ୍‌, ମାର୍କ ଉଡ୍‌ ଏବଂ ଜୋ ରୁଟ୍‌ ଚମତ୍କାର ବୋଲିଂ କରି ପାକିସ୍ତାନ ବ୍ୟାଟର୍‌ଙ୍କୁ ଘାଇଲା କରିଥିଲେ। ଏହାପରେ ଇଂଲଣ୍ଡ ଦ୍ବିତୀୟ ପାଳି ଆରମ୍ଭ କରି ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ବେଳକୁ ୫ ୱିକେଟ୍‌ ବିନିମୟରେ ୨୦୨ ରନ୍‌ କରିନେଇଛି। ବେନ୍‌ ଡକେଟ୍‌ (୭୯) ଏବଂ ହାରି ବ୍ରୁକ୍‌ (୭୪*) ଅର୍ଦ୍ଧଶତକ ଜମାଇଥିଲା ବେଳେ ଅବ୍ରାର ଅହମ୍ମଦ ୩ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥି ସହିତ ଭ୍ରମଣକାରୀ ଇଂଲଣ୍ଡ ହାତରେ ୫ ୱିକେଟ୍‌ ଥାଇ ମୋଟ ଉପରେ ୨୮୧ ରନ୍‌ର ଅଗ୍ରଣୀ ପାଇଯାଇଛି।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୫୧.୪ ଓଭରରେ ୨୮୧ (ବେନ ଡକେଟ୍‌-୬୩, ଓଲି‌ ପୋପ୍‌-୬୦, ମାର୍କ ଉଡ୍‌-୩୬*, ଅବ୍ରାର ଅହମ୍ମଦ-୭/୧୧୪, ଜାହିଦ୍ ‌ମେହମ୍ମୁଦ୍‌-୩/୬୩)। ପାକିସ୍ତାନ ପ୍ରଥମ ପାଳି: ୬୨.୫ ଓଭରରେ ୨୦୨ (ବାବର ଆଜମ-୭୫, ସୌଦ ସକିଲ୍‌-୬୩, ଫହିମ ଅସ୍ରଫ୍‌-୨୨, ଜ୍ୟାକ୍‌ ଲିଚ୍‌-୪/୯୮), ମାର୍କ ଉଡ୍‌-୨/୪୦, ଜୋ ରୁଟ୍‌-୨/୨୩, ଜେମ୍ସ ଆଣ୍ଡରସନ୍‌-୧/୧୬, ଓଲି ରବିନ୍‌ସନ-୧/୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୪୯ ଓଭରରେ ୨୦୨/୫ (ବେନ ଡକେଟ୍‌-୭୯, ହାରି ବ୍ରୁକ୍-୭୪*, ବେନ୍‌ ଷ୍ଟୋକ୍ସ-୧୬*, ଅବ୍ରାର ଅହମ୍ମଦ-୩/୮୧)।

ସମ୍ବନ୍ଧିତ ଖବର