ନୀରଜଙ୍କୁ ଏକ୍ସୟୁଭି ୭୦୦ ଉପହାର ଦେବେ ମହିନ୍ଦ୍ରା

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ଦେଶପାଇଁ ଗୌରବ ଆଣିଥିବା ନୀରଜ ଚୋପ୍ରାଙ୍କୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଏହାର ନୂଆ ଗାଡ଼ି ଏକ୍ସୟୁଭି ୭୦୦ ଉପହାର ଦିଆଯିବ। କମ୍ପାନିର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଏହି ସୂଚନା ଦେଇଛନ୍ତି। ଏକ୍ସୟୁଭି ୭୦୦ ନିକଟ ଭବିଷ୍ୟତରେ ବଜାରକୁ ଆସିବା ଯୋଜନା ରହିଛି। ନୀରଜଙ୍କୁ ବଧେଇ ଜଣାଇବା ପାଇଁ ମହିନ୍ଦ୍ରା ଏକ ପୋଷ୍ଟ୍ ଲେଖିଛନ୍ତି। ସେଥିରେ ସେ କହିଛନ୍ତି ଆମର ସ୍ବର୍ଣ୍ଣିମ କ୍ରୀଡ଼ାବିତ୍‌ ନୀରଜଙ୍କୁ ଏକ୍ସୟୁଭି ୭୦୦ ଉପହାର ପ୍ରଦାନ କରିବା ମୋ ପାଇଁ ବ୍ୟକ୍ତିଗତଭାବେ ଏକ ସମ୍ମାନ। ନୀରଜଙ୍କ ପାଇଁ ଗୋଟିଏ ଏକ୍ସୟୁଭି ୭୦୦ ରଖିବା ପାଇଁ ସେ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଜେଜୁରିକରଙ୍କୁ ସେହି ‌ଟ୍ବିଟ୍‌ରେ କହିଛନ୍ତି। ବଜାରକୁ ଆସିବା ପୂର୍ବରୁ ଏହି ଗାଡ଼ିକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏଥିରେ ଅନେକ ନୂଆ ସୁବିଧାସୁଯୋଗ କମ୍ପାନି ପ୍ରଦାନ କରିବ। ହୁଣ୍ଡାଇ ଆଲକାଜାର ଏବଂ ଟାଟା ସଫାରି ପରେ ଭାରତୀୟ ବଜାରକୁ ମହିନ୍ଦ୍ରା ଏହି ତିନି ଧାଡ଼ିର ଏସୟୁଭି ଆଣୁଛି। ଚଳିତବର୍ଷ ପାର୍ବଣରେ ଏହା ବଜାରକୁ ଆସିବ ଏବଂ ଏହାର ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର