ଡବ୍ଲୁବିବିଏଲ୍‌ରେ ମନ୍ଧାନାଙ୍କ କୀର୍ତ୍ତିମାନ: ଶତକ ଜମାଇବାରେ ପ୍ରଥମ ଭାରତୀୟ

କୁଇନ୍‌ସଲାଣ୍ଡ୍‌: ଭାରତୀୟ ମହିଳା ବ୍ୟାଟର୍‌ ସ୍ମୃତି ମନ୍ଧାନା ଚଳିତ ଡବ୍ଲୁବିବିଏଲ୍‌ (ମହିଳା ବିଗ୍‌ ବାସ୍‌ ଲିଗ୍‌)ରେ ବୁଧବାର ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଶତକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳି ହେବାର ଗୌରବ ବହନ କରିଛନ୍ତି। ସିଡ୍‌ନି ଥଣ୍ଡର ପକ୍ଷରୁ ଖେଳୁଥିବା ମନ୍ଧାନା ଏଠାର ହରୁପ ପାର୍କରେ ମେଲ୍‌ବର୍ଣ୍ଣ ରେନିଗେଡ୍‌ସ ବିପକ୍ଷ ମ୍ୟାଚ୍‌ରେ ଶତକୀୟ ସଫଳତା ହାସଲ କରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ମନ୍ଧାନା ଅପରାଜିତ ୧୧୪ ରନ୍‌ର ପାଳି ଖେଳିଥିଲେ ମଧ୍ୟ ତାଙ୍କ ଦଳ ଅଳ୍ପକେ ପରାଜୟ ବରଣ କରିଥିଲା।

‌ରେନିଗେଡ୍‌ସ ବିପକ୍ଷରେ ଟସ୍‌ ଜିତି ଥଣ୍ଡର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରେନିଗେଡ୍‌ସ ଅନ୍ୟତମ ଭାରତୀୟ ଓପ୍‌ନର ଜେମିମା ରୋଦ୍ରିଗ୍ବେଜ ଓ କାର୍ଲି ଲିସନ୍‌ଙ୍କୁ ସଅଳ ହରାଇଥିଲା। ତେବେ ଇଭେଲିନ୍‌ ଜୋନ୍‌ସ ଏବଂ ଭାରତୀୟ ଦଳର ଟି-୨୦ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ତୃତୀୟ ୱିକେଟ୍‌ରେ ୯୧ ରନ୍‌ ଯୋଡ଼ି ସ୍ଥିତି ସୁଧାରିଥିଲେ। ହର୍‌ମନ୍‌ପ୍ରୀତ୍‌ ୫୫ ବଲ୍‌ରୁ ଅପରାଜିତ ୮୧ (୧୧ ଚୌକା, ୨ ଛକା) ରନ୍‌ କରିବାରୁ ଦଳ ୧୭୫/୪ରେ ପହଞ୍ଚି ଯାଇଥିଲା। ପରେ ହର୍‌ମନ୍‌ପ୍ରୀତ୍‌ ମଧ୍ୟ ଗୋଟିଏ ୱିକେଟ୍‌ ଦଖଲ କରିଥିଲେ।

ଜବାବରେ ମାତ୍ର ୬୪ ବଲ୍‌ରୁ ମନ୍ଧାନାଙ୍କ ଅପରାଜିତ ୧୧୪ (୧୪ ଚୌକା ଓ ୩ ଛକା) ରନ୍‌ ସତ୍ତ୍ବେ ଥଣ୍ଡର ଦଳ ୬ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ଏହି ବିଜୟ ବଳରେ ରେନିଗେ୍‌ଡସ ପଏଣ୍ଟ ତାଲିକାର ଦ୍ବିତୀୟରେ ରହିଥିଲା ବେଳେ ପରାଜୟ ଯୋଗୁଁ ଥଣ୍ଡର ସପ୍ତମ ସ୍ଥାନକୁ ଖସିଯାଇଛି।

ସମ୍ବନ୍ଧିତ ଖବର