ବିଜ୍ଞାନର ଯେଉଁ ଏକ ଉଦ୍ଭାବନକୁ ଇତିହାସ ଆଜିର ଶିଳ୍ପୋନ୍ନତ ଦେଶମାନଙ୍କର ସମୃଦ୍ଧିର ମୂଳଭିତ୍ତି ରୂପେ ସ୍ବୀକୃତି ପ୍ରଦାନ କରିଛି, ତାହା ହେଉଛି ଶିଳ୍ପ ବିପ୍ଳବର ଆଦ୍ୟ କାଳରେ ଉଦ୍ଭାବିତ ହୋଇଥିବା ବାଷ୍ପଚାଳିତ ଇଞ୍ଜିନ୍ ବା ଷ୍ଟିମ୍ ଇଞ୍ଜିନ୍। ଅଗ୍ନିର ଉତ୍ତାପରେ ନିହିତ ଥିବା ଅପ୍ରମିତ ଶକ୍ତିକୁ କଳକାରଖାନାର ଯନ୍ତ୍ରପାତିରୁ ଆରମ୍ଭ କରି ରେଳଗାଡ଼ି ଓ ଜାହାଜ ପର୍ଯ୍ୟନ୍ତ ଚଳାଇବାରେ ନିୟୋଜିତ କରିବାରେ ଏହି ଷ୍ଟିମ୍ ଇଞ୍ଜିନ୍ ହିଁ ମାଧ୍ୟମ ରୂପେ କାର୍ଯ୍ୟ କରିବାକୁ ଆରମ୍ଭ କରିବାରୁ ହିଁ ଶିଳ୍ପ ବିପ୍ଳବର ସୂତ୍ରପାତ ହେଲା। ଅଗ୍ନିର ଅନ୍ତର୍ନିହିତ ଶକ୍ତିର ଏପରି ପ୍ରସ୍ଫୁଟନ ସେତେବେଳେ ଏପରି ଯାଦୁକରୀ ମନେ ହେଉଥିଲା ଯେ ଏହା ପଛରେ ନିହିତ ଥିବା ବୈଜ୍ଞାନିକ ତତ୍ତ୍ବ ଆବିଷ୍କାର କରିବା ଉଦ୍ଦେଶ୍ୟରେ ଜଣେ ବିଚକ୍ଷଣ ଯୁବ ଫରାସୀ ପଦାର୍ଥ ବିଜ୍ଞାନୀ ତଥା ସାମରିକ ଇଞ୍ଜିନିଅର୍, ସାଦି କାର୍ନଟ୍ ୧୮୨୪ ସାଲରେ ଏକ କ୍ଷୁଦ୍ର ପୁସ୍ତିକା ରଚନା କରିଥିଲେ, ଯାହାର ଶୀର୍ଷକ ଥିଲା- ‘ରିଫ୍ଲେକ୍ସନ୍ସ ଅନ୍ ଦି ମୋଟିଭ୍ ପାୱାର୍ ଅଫ୍ ଫାୟାର୍’ (‘ଅଗ୍ନିର ଚଳତ୍ ଶକ୍ତି ସମ୍ବନ୍ଧରେ ଚିନ୍ତନ’)।
ବୈଦିକ ଋଷିମାନଙ୍କ ଦ୍ବାରା ବୈଶ୍ବାନରଙ୍କ ଆରାଧନା ଭଳି ଏହାକୁ ସାଦି କାର୍ନଟ୍ଙ୍କ ଦ୍ବାରା ଅଗ୍ନିର ଅାରାଧନା ବୋଲି ବିବେଚନା କରା ଯାଇ ପାରେ (ଏହା ହିଁ ହେଉଛି ଥର୍ମୋଡାଇନାମିକ୍ସ୍ ବିଦ୍ୟାର ଜନ୍ମ ପତ୍ରିକା), କିନ୍ତୁ ଉଭୟ ଆରାଧନାରେ ବ୍ୟବହୃତ ଉପକରଣରେ ଏକ ବିଶେଷ ଫରକ୍ ରହିଛି। ଋଷିମାନଙ୍କ ଯଜ୍ଞ-ହୋମ ଅଗ୍ନିର ଇନ୍ଧନ ଥିଲା ସମିଧ; ସାଦି କାର୍ନଟ୍ଙ୍କ ଆରାଧ୍ୟ ଷ୍ଟିମ୍ ଇଞ୍ଜିନ୍-ଚାଳନାକାରୀ ହୋମ ଅଗ୍ନିର ଯାହା ଥିଲା ଇନ୍ଧନ, ବର୍ତ୍ତମାନ କେହି ତୁଣ୍ଡରେ ତା’ର ନାମ ଉଚ୍ଚାରଣ କରିବା ଗ୍ରେଟା ଥୁନ୍ବର୍ଗ୍ମାନଙ୍କ ଭଳି ପରିବେଶ ଆନ୍ଦୋଳନକାରୀମାନଙ୍କ ଦୃଷ୍ଟିରେ ଏକ ଜଘନ୍ୟ ଅପରାଧ ରୂପେ ବିବେଚିତ ହୋଇଥାଏ। ତାହାର ନାମ ହେଉଛି- କୋଇଲା।
ବର୍ତ୍ତମାନ ସେମାନେ ଏହି କୃଷ୍ଣକାୟ କଠିନ ଖଣିଜ ଇନ୍ଧନକୁ ବିଶ୍ବ ଉତ୍ତପ୍ତୀକରଣର ମୁଖ୍ୟ ଖଳନାୟକ ରୂପେ ପ୍ରଦର୍ଶିତ କରି ତାହାର ଯେତେ ନିନ୍ଦା ଗାନ କଲେ ମଧ୍ୟ ସେମାନେ କେବେ ହେଲେ ଅସ୍ବୀକାର କରିପାରିବେ ନାହିଁ ଯେ ଶିଳ୍ପ ସଭ୍ୟତାର ପ୍ରଥମ ସନ୍ତାନ ରୂପେ ସେମାନେ ଆଜି ଯେଉଁ ପ୍ରାଚୁର୍ଯ୍ୟ ଉପଭୋଗ କରୁଛନ୍ତି ତାହା ହେଉଛି ମୁଖ୍ୟତଃ ଏହି କୋଇଲାର ଅବଦାନ। ସେଥିପାଇଁ ନିକଟ ଅତୀତ ପର୍ଯ୍ୟନ୍ତ ଏହାକୁ ସେମାନେ ‘କୃଷ୍ଣ ସୁବର୍ଣ୍ଣ’ ଆଖ୍ୟା ଦେଇ ଆଦର କରି ଆସୁଥିଲେ। ଏହା ତେଣୁ ଏକ ବିଡ଼ମ୍ବନା ଭଳି ମନେ ହୋଇଥାଏ ଯେ ଗତ ଶନିବାର ଦିନ ଗ୍ଲାସ୍ଗୋଠାରେ ସମାପ୍ତ ହୋଇଥିବା ଜାତିସଂଘର ଜଳବାୟୁ ଶୀର୍ଷ ସମ୍ମିଳନୀ ‘କପ୍-୨୬’ର ଘୋଷଣାନାମାରେ ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇ ପର୍ଯ୍ୟାୟ କ୍ରମେ କୋଇଲା ବ୍ୟବହାରରେ ଅନ୍ତ ଘଟାଇବା (‘ଫେଜ୍ ଆଉଟ୍’) ବଦଳରେ କୋଇଲା ବ୍ୟବହାରରେ ହ୍ରାସ ଘଟାଇବା (‘ଫେଜ୍ ଡାଉନ୍’)କୁ ପୃଥିବୀବାସୀଙ୍କ ଲକ୍ଷ୍ୟ ରୂପେ ଅନ୍ତର୍ଭୁକ୍ତ କରାଯିବାରୁ ସେମାନେ ଏବେ ଭାରତର ଘୋର ସମାଲୋଚନା କରୁଛନ୍ତି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେଠାରେ କୋଇଲା ପ୍ରତି ଏଭଳି ନରମ ଆଭିମୁଖ୍ୟ ଗ୍ରହଣ କରିବାରେ ଭାରତ ସହିତ ଯେଉଁ ଆଉ ଏକ ଓଜନଦାର ଦେଶ ମିଶିଥିଲା, ସେ ହେଉଛି ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି, ଚୀନ୍। ଏଠାରେ ଚୀନ୍ ସମ୍ପର୍କିତ ଏକ ତାଜା ତଥ୍ୟ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେ ହୋଇଥାଏ। ସେ ଦେଶର ସରକାରୀ ସମ୍ବାଦ ସରବରାହ ସଂସ୍ଥା ‘ସିନ୍ହୁଆ’ ଗତ ବୁଧବାର ଦିନ ସଗର୍ବରେ ଘୋଷଣା କରିଥିଲା ଯେ ଗୋଟିଏ ଦିନରେ ଚୀନ୍େର କୋଇଲା ଖଣିମାନଙ୍କରୁ ୧୨ ନିୟୁତ ଟନ୍ କୋଇଲା ଉତ୍ତୋଳିତ ହୋଇଥିଲା, ଯାହା ହେଉଛି ଏକ ସର୍ବକାଳୀନ ରେକର୍ଡ୍।
ଜଳବାୟୁ ଆନ୍ଦୋଳନକାରୀମାନଙ୍କ ପ୍ରାୟ ଏକମାତ୍ର ପ୍ରସଙ୍ଗ ବା ଏକମାତ୍ର ଚିନ୍ତା ହେଉଛି ଉତ୍ତପ୍ତୀକରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏହା ମଧ୍ୟ ଏକ ଅସୁବିଧାଜନକ ସତ୍ୟ ଯେ ଉତ୍ତପ୍ତୀକରଣ ଯେଉଁ ଭଳି ମନୁଷ୍ୟର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିଥାଏ, ଦାରିଦ୍ର୍ୟ ଓ ଅନଗ୍ରସରତା ମଧ୍ୟ ସେଇ ଭଳି ବିପଦ ସୃଷ୍ଟି କରିଥାଏ। ଏହି ଦ୍ବିତୀୟ ପ୍ରକାର ବିପଦ ଦୂର କରିବାର ଉପାୟ ହେଉଛି ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ। ଏଥିପାଇଁ ପ୍ରଚୁର ଶକ୍ତିର ବ୍ୟବହାର ଆବଶ୍ୟକ। କୋଇଲା ଭଳି ଅଗ୍ନିଯୁକ୍ତ ପ୍ରଦୂଷଣକାରୀ ଇନ୍ଧନ ତାପଜ ଶକ୍ତିର ଉତ୍ସ ହୋଇଥିବା ବେଳେ, ସୂର୍ଯ୍ୟାଲୋକ, ବାୟୁ ଭଳି ଅଣପ୍ରଦୂଷଣକାରୀ ଅଗ୍ନିମୁକ୍ତ ସୂତ୍ର ଅକ୍ଷୟ ଶକ୍ତିର ଉତ୍ସ ହୋଇଥା’ନ୍ତି।
ଭାରତ ଯଦି ‘କପ୍-୨୬’ର ମୂଳ ପ୍ରସ୍ତାବ ମାନି ଯାଇ କୋଇଲାକୁ ନିର୍ବାସନ ବା ‘ଫେଜ୍ ଆଉଟ୍’ କରିବାକୁ ବାହାରି ପଡ଼ନ୍ତା, ତେବେ ତାକୁ କିଭଳି ଏକ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ନ୍ତା, ଦେଖାଯାଉ। ଭାରତ ବର୍ତ୍ତମାନ ଆବଶ୍ୟକ କରୁଥିବା ମୋଟ ଶକ୍ତିର ୧୦ ଶତାଂଶରୁ ମଧ୍ୟ କମ୍ ଆସୁଛି ଅକ୍ଷୟ ସୂତ୍ରରୁ। ୨୦୩୦ ବେଳକୁ ଆମର ଅର୍ଥନୀତିର ଶକ୍ତି ଆବଶ୍ୟକତା ବୃଦ୍ଧି ପାଇ ଅନ୍ୟୂନ ଦୁଇଗୁଣ ହୋଇ ଯାଇଥିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏହି ବର୍ଦ୍ଧିତ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଅକ୍ଷୟ ଶକ୍ତିର ଅନୁପାତରେ ବୃଦ୍ଧି ଘଟିଲେ ମଧ୍ୟ ଦେଶରେ ଉଭୟ କିସମର ଶକ୍ତି ବ୍ୟବହାରରେ ବୃଦ୍ଧି ଘଟିବା ପାଇଁ ବାଧ୍ୟ। ଏହି ଆବଶ୍ୟକତା ପୂରଣ ନିମିତ୍ତ ଯଦି ଯଥେଷ୍ଟ କୋଇଲା ଉପଲବ୍ଧ ନ ହୁଏ, ତା’ହେଲେ ପରିସ୍ଥିତି କିଭଳି ଜଟିଳ ହେବ, ତାହା ଅଳ୍ପ ଦିନ ତଳେ ଉଭୟ ଭାରତ ଓ ଚୀନ୍ରେ ଆବିର୍ଭୂତ କୋଇଲା ସଂକଟରେ ଦେଖିବାକୁ ମିଳିଥିଲା।
ଭାରତୀୟ ଅର୍ଥନୀତିର ଚରିତ୍ରରେ ପରିବର୍ତ୍ତନ ଘଟାଇ ତାକୁ କୋଇଲା-ଭିତ୍ତିକ ଅଗ୍ନି ଆରାଧନାରୁ ହଟାଇ ଏକ ଜଳବାୟୁ-ଅନୁକୂଳ ଅର୍ଥନୀତିରେ ପରିଣତ କରିବା ଦିଗରେ ଅଗ୍ରସର ହେବା ପାଇଁ ଆମକୁ ବର୍ଷକୁ ୧୦୦ ବିଲିଅନ୍ ଡଲାର୍ର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ବୃହତ୍ ଆନ୍ତର୍ଜାତିକ ସହାୟତା ବିନା ଭାରତ ପକ୍ଷରେ ଏହି ବୋଝ ବହନ କରିବା ସମ୍ଭବ ହେବ ନାହିଁ। ଯେଉଁ ଉନ୍ନତ ଦେଶମାନେ ଭାରତର କୋଇଲା-ପ୍ରୀତିର ସମାଲୋଚନା କରୁଛନ୍ତି, ସେମାନେ କିନ୍ତୁ ଗ୍ଲାସ୍ଗୋ ଠାରେ ବିକାଶଶୀଳ ଦେଶମାନଙ୍କୁ ଜଳବାୟୁ-ଅନୁକୂଳ ନୀତି ଅନୁସରଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇବାକୁ ପଛଘୁଞ୍ଚା ଦେଇଥିଲେ। ସେମାନେ ଭାରତକୁ ସମାଲୋଚନା କରିବା ପରିବର୍ତ୍ତେ ଧନ୍ୟବାଦ ପ୍ରଦାନ କରିବା ଅଧିକ ଯୁକ୍ତିଯୁକ୍ତ ହୁଅନ୍ତା ଯେ ଭାରତୀୟ ଅର୍ଥନୀତିରେ କୋଇଲା ନିର୍ବାହ କରୁଥିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ସତ୍ତ୍ବେ ଭାରତ କ୍ରମେ ଏହାର ବ୍ୟବହାରରେ ହ୍ରାସ ଘଟାଇବାକୁ ଘୋଷଣା କରିଛି।
ଭୁଲିଯିବା ଉଚିତ ନୁହେଁ ଯେ ବିଗତ ତିନି ଦଶନ୍ଧି ଧରି ହୋଇ ଚାଲିଥିବା ଜଳବାୟୁ ଆଲୋଚନା ଶୃଙ୍ଖଳାରେ ଏହା ହେଉଛି ପ୍ରଥମ ଦୃଷ୍ଟାନ୍ତ, ଯେଉଁଠି ସିଧାସଳଖ କୋଇଲାକୁ ଉତ୍ତପ୍ତୀକରଣ ପାଇଁ ଦାୟୀ କରାଯାଇଛି। କେଉଁଠି ବି କୋଇଲାର ବ୍ୟବହାର ଯଦି ସାରା ପୃଥିବୀର ପରିବେଶକୁ ବିପଦଗ୍ରସ୍ତ କରିପାରେ, ତେବେ ଅନ୍ତତଃ ନିଜର ଆତ୍ମରକ୍ଷା ପାଇଁ ଧନୀ ଦେଶମାନେ କୃପଣତା ଜନିତ କୁଣ୍ଠା ତ୍ୟାଗ କରି କୋଇଲା ବ୍ୟବହାରକାରୀ ଦେଶମାନଙ୍କୁ ବିକଳ୍ପ ବ୍ୟବହାର ପାଇଁ ଆବଶ୍ୟକ ସମ୍ବଳ ମୁକ୍ତ ହସ୍ତରେ ଯୋଗାଇବାକୁ ଆଗେଇ ଆସିବା ଜରୁରୀ।