ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ଲାଗି ବୁଧବାର ଭାରତୀୟ ଦଳ ଭୁବନେଶ୍ୱର ପହଞ୍ଚିଛି। ଏସିଆ କପ୍ ଜିତି ଏଠାକୁ ଆସିଥିବା ଭାରତୀୟ ଦଳ ପାଇଁ କିନ୍ତୁ ଏହି ପ୍ରତିଯୋଗିତା ଅଗ୍ନିପରୀକ୍ଷା ସଦୃଶ ହେବ। ଏସିଆ କପ ଅଭିଯାନ ଠାରୁ ହକି ଇଣ୍ଡିଆ ଲିଗ୍ ଫାଇନାଲ ମୁକାବିଲା ନିଶ୍ଚିତ ଭାବେ କଷ୍ଟକର ହେବ। ବିଶ୍ୱର ଅନ୍ୟ ଶ୍ରେଷ୍ଠ ୭ ଦଳ ସହ ଭାରତକୁ ମୁକାବିଲା କରିବାକୁ ହେବ। ତା’ ଉପରେ ପୁଣି ଗତ ଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବକୁ ହେବ। ଏଣୁ ଭାରତୀୟ ଦଳକୁ ଆରମ୍ଭରୁ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ଭୁବନେଶ୍ୱର ପହଞ୍ଚିବା ପରେ ଏହା ସ୍ୱୀକାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପହଞ୍ଚିଲା ଭାରତ, ଆଜିଠୁ ଅଭ୍ୟାସ
ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଶ୍ୱ ହକି ଲିଗ୍ ଫାଇନାଲ୍ସ ଲାଗି ମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ଦଳ ବୁଧବାର ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିଛି। ବେଙ୍ଗାଲୁରୁରୁ ଜାତୀୟ ପ୍ରଶିକ୍ଷଣ ଶିବିର ସାରି ଓଡ଼ିଶା ଆସିଥିବା ଭାରତୀୟ ଖେଳାଳିମାନେ ଅପରାହ୍ନ ୨ଟା ୫ରେ ପହଞ୍ଚିବାର ଥିଲା। ହେଲେ ପାଖା ପାଖି ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ବିମାନବନ୍ଦରରେ ବେଶ୍ ଭିଡ଼ ଜମିଥିଲା। ହକି ପ୍ରେମୀ ଦୀର୍ଘ ସମୟ ଅପେକ୍ଷା କରି ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇଥିଲେ। ଅଭିଜ୍ଞ ଓ୍ଵିକେଟ୍ ରକ୍ଷକ ପିଆର ଶ୍ରୀଜେସ୍ ଏବଂ ତାରକା ଖେଳାଳି ସର୍ଦାର ସିଂହଙ୍କ ଅନୁପସ୍ଥିତିରେ ମନପ୍ରୀତ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ଏହି ଦଳରେ ତିନି ଜଣ ଓଡ଼ିଆ ଖେଳାଳି ମଧ୍ୟ ଅଛନ୍ତି। ସେମାନେ ହେଲେ ଦୀପସାନ୍ ତିର୍କି, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ୍। ଭାରତୀୟ ଖେଳାଳିଙ୍କ ସହ ଦଳର ନୂଆ ପ୍ରଶିକ୍ଷକ ଜୋଏଡ଼୍ ମାରିନ୍ ମଧ୍ୟ ଆସିଛନ୍ତି। ଖେଳାଳିମାନେ ଗୁରୁବାର ସକାଳୁ ଅଭ୍ୟାସ ଆରମ୍ଭ କରିବାର ସମ୍ଭାବନା ରହିଛି। ଗୁରୁବାର ଭାରତୀୟ ଦଳ ପୂର୍ବାହ୍ନ ୯ଟାରୁ ଅଭ୍ୟାସ ଆରମ୍ଭ କରିବ ଏବଂ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏହା ଜାରି ରହିବ।
ସର୍ଦାରଙ୍କ ଅଭାବ ବୀରୁ ପୂରଣ କରିପାରିବେ: ମାରିନ୍
ନିଜ ପ୍ରଥମ ଦାୟିତ୍ୱରେ ଭାରତୀୟ ହକି ଦଳର ଡଚ୍ ପ୍ରଶିକ୍ଷକ ଜୋଏଡ୍ ମାରିନ୍ ବିରାଟ ସଫଳତା ଲାଭ କରିଥିଲେ। ପ୍ରଥମ ଥର ତାଙ୍କ ଦିଗଦର୍ଶନରେ ଖେଳି ଭାରତୀୟ ହକି ଦଳ ଏସିଆ କପରେ ସ୍ୱର୍ଣ୍ଣ ବିଜୟୀ ହୋଇଥିଲା। ଏଣୁ ବିଶ୍ୱ ହକି ଲିଗ୍ ଫାଇନାଲରେ ଭାରତ ଅନ୍ୟ ଦଳଗୁଡ଼ିକୁ ଟାଣୁଆ ଟକ୍କର ଦେବ ବୋଲି ଭୁବନେଶ୍ୱର ପହଞ୍ଚିବା ପରେ ମାରିନ୍ କହିଛନ୍ତି। ଭୁବନେଶ୍ୱରରେ ମିଳିଥିବା ସ୍ୱାଗତ ସମ୍ବର୍ଧନା ମଧ୍ୟ ତାଙ୍କ ମନକୁ ଛୁଇଁ ଯାଇଛି। ତା’ ସହ ବିଶ୍ୱ ବିଜେତା ତଥା ଗତ ବିଶ୍ୱ ହକି ଲିଗ୍ ଫାଇନାଲର ବିଜେତା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଭାରତୀୟ ହକି ଦଳ ସହ ପ୍ରଥମ ଥର ଭୁବନେଶ୍ୱର ଆସିଥିବା ମାରିନ୍ କହିଛନ୍ତି ଏସିଆ କପ୍ ଫଳାଫଳକୁ ନେଇ ମୁଁ ଖୁସି ଅଛି। ହେଲେ ଏହି ପ୍ରତିଯୋଗିତା ଆମ ପାଇଁ ଭିନ୍ନ ଆହ୍ଵାନ ହେବ। ଆମକୁ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ଖେଳିବାକୁ ପଡ଼ିବ। ଆମେ ଏହି ପ୍ରତିଯୋଗିତାକୁ ଅପେକ୍ଷା କରି ରହିଛୁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଭାବୁଛି। ଆମ ଦଳରେ ବହୁ ଯୁବ ଏବଂ ନୂଆ ଖେଳାଳି ଅଛନ୍ତି। ସେମାନେ ନିଜ ଶ୍ରେଷ୍ଠ ଦେବେ ବୋଲି ଭାବୁଛି। ଏସିଆ କପ୍ରେ ସର୍ଦାର ସିଂ ଥିଲେ। ବିଶ୍ୱ ହକି ଲିଗ୍ ଫାଇନାଲ୍ସରେ ସ୍ଥାନୀୟ ତାରକା ବୀରେନ୍ଦ୍ର ଲାକ୍ରା ତାଙ୍କ ସ୍ଥାନ ନେଇ ପାରିବେ ବୋଲି ମୁଁ ଭାବୁଛି। ତେବେ ଆମେ ଏବେ ସଠିକ୍ ସନ୍ତୁଳନ ସନ୍ଧାନରେ ଅଛୁ। ଦର୍ଶକଙ୍କ ସମର୍ଥନ ଆମ ପାଇଁ ବେଶ୍ ଲାଭ ଦାୟକ ହେବ ବୋଲି ଭାବୁଛି।
ଭାରତ ମ୍ୟାଚ୍ ପାଇଁ ଅଧିକ ଆଗ୍ରହ
ଭୁବନେଶ୍ୱର: ଡିସେମ୍ବର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଖେଳା ଯିବ ବିଶ୍ୱ ହକି ଲିଗ୍ ଫାଇନାଲ୍। ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ମାତ୍ର ୭ ଦିନ ଥିଲା ବେଳେ ପ୍ରାୟ ଟିକେଟ୍ ବିକ୍ରି ସରିଗଲାଣି। ଗତମାସ ୧୫ ତାରିଖରୁ ଅନ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ଚଳିତ ମାସ ୧୫ ତାରିଖରୁ କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟ୍ ପାଖ ସ୍ୱତନ୍ତ୍ର କାଉଣ୍ଟର ସହ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ୧୩ଟି ସ୍ଥାନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ବିଶେଷ କରି ଭାରତ ଖେଳିବାକୁ ଥିବା ଦିନ ମାନଙ୍କର ଟିକେଟ୍ର ଚାହିଦା ଅଧିକ ରହିଛି। ଏହି ଦିନମାନଙ୍କର ଟିକେଟ୍ ଆଉ କାଉଣ୍ଟର୍ରେ ମିଳୁନାହିଁ। ଏହା ସହ ଉନ୍ଘାଟନୀ ଏବଂ ଫାଇନାଲ୍ ମ୍ୟାଚ୍ ଟିକେଟ୍ ମଧ୍ୟ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ଶେଷ ହୋଇଗଲାଣି। ସେହିପରି ଭାରତ ସାମିଲ ଥିବା ୨ ତାରିଖ ମ୍ୟାଚ୍ଗୁଡ଼ିକର ଟିକେଟ୍ ମଧ୍ୟ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଶେଷ ହୋଇଥିଲା ବେଳେ ୪ ତାରିଖର ଟିକେଟ୍ ଅନ୍ ଲାଇନ୍ରେ ଉପଲବ୍ଧ ରହିଛି।
ପ୍ରଶ୍ନ: ବିଶ୍ୱ ହକି ଲିଗ୍ ଫାଇନାଲରେ ଭାରତର ଲକ୍ଷ୍ୟ କ’ଣ ରହିବ?
ମନପ୍ରୀତ: ଏଠାକୁ ଆସୁଥିବା ସମସ୍ତ ଦଳ ବେଶ୍ ଶକ୍ତିଶାଳୀ। ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି। ମ୍ୟାଚ୍ ଯାହା ବିପକ୍ଷରେ ଥାଉ ନା କାହିଁକି ଆମେ ଜିତିବାକୁ ଓହ୍ଲାଇବୁ। ହେଲେ ଏକଥା ବି ସତ ଯେ ଆମ ପାଇଁ ପଥ ଆଦୌ ସହଜ ହେବନି। ଆମକୁ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ଆମେ ଭଲ ପ୍ରସ୍ତୁତ କରୁଛି। ଭଲ କରିବୁ ବୋଲି ଭାବୁଛି।
ପ୍ରଶ୍ନ: ଦଳୀୟ ସନ୍ତୁଳନକୁ ନେଇ ଆପଣ ଖୁସି ଅଛନ୍ତି କି?
ମନପ୍ରୀତ: ହଁ ନିଶ୍ଚିତ ଭାବେ। ବରିଷ୍ଠଙ୍କୁ କନିଷ୍ଠ କଡ଼ା ଟକ୍କର ଦେଉଛନ୍ତି। ଆମ ପାଖରେ ଅନେକ ବିଶ୍ୱ ସ୍ତରୀୟ ଖେଳାଳି ଅଛନ୍ତି। ଦଳରେ ଭଲ ସନ୍ତୁଳନ ଅଛି।
ପ୍ରଶ୍ନ: ଭୁବନେଶ୍ୱର ଦର୍ଶକଙ୍କୁ ନେଇ ଆପଣଙ୍କ ମତ କଣ?
ମନପ୍ରୀତ: ଭୁବନେଶ୍ୱର ଦର୍ଶକ ଆମକୁ ସବୁବେଳେ ଭଲ ସମର୍ଥନ ଦେଇ ଆସୁଛନ୍ତି। ଚାମ୍ପିଅନ୍ସ ଟ୍ରଫି ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାରେ ଆମେ ଏହା ଦେଖି ସାରିଛୁ। ଏଠାରେ ଆମକୁ ବହୁତ ଭଲ ପାଇବା ମିଳେ। ଏଠାରେ ଖେଳିବାକୁ ଆମେ ମନଭରି ଉପଯୋଗ କରୁ।
ପ୍ରଶ୍ନ: ସର୍ଦାର ଏବଂ ଶ୍ରୀଜେଶଙ୍କ ଅନୁପସ୍ଥିତି ଅନୁଭବ କରିବେ କି?
ମନପ୍ରୀତ: ଅନ୍ୟ ଖେଳାଳିମାନେ ବି ବହୁତ ଭଲ କରୁଛନ୍ତି। ଏଣୁ ବିଶେଷ ଅସୁବିଧା ହେବ ବୋଲି ମୁଁ ଭାବୁନାହିଁ। ରୂପିନ୍ଦର ଏବଂ ଆଉ କେତେକ ଯୁବ ଖେଳାଳି ସେମାନଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେବେ ନାହିଁ ବୋଲି ଭାବୁଛି।
ପ୍ରଶ୍ନ: ନୂଆ ପ୍ରଶିକ୍ଷକଙ୍କୁ ନେଇ ଅପଣଙ୍କ ମତ କଣ?
ମନପ୍ରୀତ: ପୁରୁଣା ପ୍ରଶିକ୍ଷକ ରୋଲାଣ୍ଟ ଅଲ୍ଟମାନ୍ସ ଏବଂ ଜୋଏଡ୍ ମାରିନ୍ ଉଭୟ ନେଦରଲାଣ୍ଡର। ଏଣୁ ଉଭୟଙ୍କ ପ୍ରଶିକ୍ଷଣ ଶୈଳୀରେ ବିଶେଷ ଫରକ ନାହିଁ। ତୁଳନାତ୍ମକ ଭାବେ ମାରିନ୍ କିନ୍ତୁ ଅଧିକ ଆକ୍ରମଣାତ୍ମକ। ସେ ସବୁବେଳେ ଖେଳାଳଙ୍କ ମନରେ ସାକାରାତ୍ମକ ଭାବନା ଭରିବାକୁ ଚେଷ୍ଟା କରନ୍ତି।