ମାଥ୍ୟୁସ ଓ ଚାନ୍ଦିମାଳଙ୍କ ଶତକ: ଶ୍ରୀଲଙ୍କା ୩୫୬/୯

ନୂଆଦିଲ୍ଲୀ,: ବହୁ ପ୍ରତୀକ୍ଷିତ ଲଢ଼ୁଆ ଚରିତ୍ର ସହିତ କୋଟ୍‌ଲା ଟେଷ୍ଟ୍‍କୁ ଅମୀମାଂସିତ ରଖିବାର ଆଶା ସୃଷ୍ଟି କରିଛି ଶ୍ରୀଲଙ୍କା ଦଳ। ତଥାପି ଭାରତ ଫାଇଦାଜନକ ସ୍ଥିତିରେ ରହିଛି। ଭାରତର ପ୍ରଥମ ପାଳି ସ୍କୋର୍‌ ୫୩୬/୭ ଜବାବରେ ଶ୍ରୀଲଙ୍କା ତୃତୀୟ ଦିନ ଶେଷ ସୁଦ୍ଧା ୯ ଓ୍ଵିକେଟ୍‌ରେ ୩୫୬ ରନ୍‌ ସଂଗ୍ରହ କରିଛି। ତଥାପି ଭ୍ରମଣକାରୀ ଦଳ ୧୮୦ ରନ୍‌ ପଛରେ ରହିଛି। ଆଞ୍ଜେଲୋ ମାଥ୍ୟୁସ ଏବଂ ଦୀନେଶ ଚାନ୍ଦିମାଳଙ୍କ ଲଢ଼ୁଆ ଶତକ ବଳରେ ହିଁ ଶ୍ରୀଲଙ୍କା ଲମ୍ବା ସମୟ ପରେ ଭାରତ ବିପକ୍ଷରେ ୩୦୦ ଅତିକ୍ରମ କରିଛି।
ରବିବାର ପ୍ରଦୂଷଣ ନାଟକ ପରେ ଭାରତ ଆଗୁଆ ପାଳି ଘୋଷଣା କରିବା ପରେ ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସୋମବାର ସକାଳେ ଶ୍ରୀଲଙ୍କା ୧୩୧/୩ରୁ ଖେଳିବା ପରେ ପ୍ରଥମ ଦୁଇ ଅଧିବେସନରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଅତିଥି ଦଳର ଦୁଇ ପ୍ରତିଭାବାନ ଖେଳାଳି ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଏବଂ ଅଧିନାୟକ ଦୀନେଶ ଚାନ୍ଦିମାଳ ତାଙ୍କ ଭାଗୀଦାରିକୁ ଆଗକୁ ବଢ଼ାଇଥିଲେ। ଚା’ପାନ ବିରତି ପର୍ଯ୍ୟନ୍ତ ଭାରତ ଏକ ପ୍ରକାର ଓ୍ଵିକେଟଶୂନ୍ୟ ରହିଥିଲା। ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଲ୍‌ରାଉଣ୍ଡର୍‌ ମାଥ୍ୟୁସ ନିଜର ସବୁଠୁ ଭାଗ୍ୟଶାଳୀ ଶତକ ଅର୍ଜନ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ।
ରବିବାର ଚା’ପାନ ପରେ ବ୍ୟକ୍ତିଗତ ଭାବେ ୬ ରନରେ ଥିବାବେଳେ ବିରାଟ କୋହଲି ଦ୍ୱିତୀୟ ସ୍ଲିପ୍‌ରେ କ୍ୟାଚ୍‌ ଛାଡ଼ିଥିଲେ। ସୋମବାର ସେ ୯୮ ରନ୍‌ରେ ଥିବାବେଳେ ଦ୍ୱିତୀୟ ସ୍ଲିପ୍‌ରେ ରୋହିତ ଶର୍ମା ଏକ ସହଜ ସୁଯୋଗ ମଧ୍ୟ ଛାଡ଼ି ଦେଇଥିଲେ। ଏହାର ଫାଇଦା ନେଇ ମାଥ୍ୟୁସ ନିଜର ଅଷ୍ଟମ ଶତକ ପୂର୍ଣ୍ଣ କରିଥିଲେ ସତ କିନ୍ତୁ ଆଉ ଆଗକୁ ବଢ଼ି ପାରିନଥିଲେ। ଅଫ୍‌ସ୍ପିନର୍‌ ଆର୍‌ ଅଶ୍ୱିନଙ୍କ ସିଧା ବଲ୍‌ ତାଙ୍କ ବ୍ୟାଟ୍‌ ଧାରରେ ବାଜି ଓ୍ଵିକେଟରକ୍ଷକ ରିଦ୍ଧିମାନ ସାହାଙ୍କ ଗ୍ଲୋଭ୍‌ସରେ ପଡ଼ିଥିଲା।
ମାଥ୍ୟୁସ ୨୬୮ ବଲ୍‌ରୁ ୧୪ ଚୌକା, ୨ ଛକା ସହିତ ୧୧୧ ରନ୍‌ କରିଥିଲେ। ଏଥି ସହିତ ଚାନ୍ଦିମାଳ-ମାଥ୍ୟୁସ ଯୋଡ଼ି ମୋଟ ୪୭୭ ବଲ୍‌ ସମ୍ମୁଖୀନ ହୋଇ ଭାରତ ବିପକ୍ଷରେ ୩ ବର୍ଷ ପରେ ସର୍ବାଧିକ ବଲ୍‌ ଖେଳିଥିଲେ। ଶେଷ ଥର ପାଇଁ ୨୦୧୪ରେ େଓ୍ଵଲିଂଟନ୍‌ ଟେଷ୍ଟ୍‍ରେ ବ୍ରେଣ୍ଡନ୍‌ ମ୍ୟାକ୍‌ଲମ ଏବଂ ବିଜେ ଓ୍ଵାଟଲିଙ୍ଗ୍‌ ଭାରତ ବିପକ୍ଷରେ ମୋଟ ୭୩୮ ବଲ୍‌ ଖେଳିଥିଲେ। ଚତୁର୍ଥ ଓ୍ଵିକେଟ୍‌ ଭାଗୀଦାରିରେ ଏମାନେ ୧୮୧ ରନ୍‌ ଯୋଡ଼ିଥିଲେ।
ପ୍ରଥମ ଦୁଇ ଅଧିବେସନରେ ଶ୍ରୀଲଙ୍କାର ପ୍ରାଧାନ୍ୟ ରହିଥିଲା। କିନ୍ତୁ ଚା’ପାନ ପରବର୍ତୀ ଶେଷ ଅଧିବେସନରେ ଭାରତୀୟ ବୋଲର ୫ ଓ୍ଵିକେଟ୍‌ ବାହାର କରି ମ୍ୟାଚ୍‌କୁ ନିଜ ପକ୍ଷରେ ରଖିଥିଲେ। ପ୍ରଥମ ଦିନରୁ ଆଘାତପ୍ରାପ୍ତ ଥିବା ସଦୀରା ସମରବିିକ୍ରମା (୩୩)ଙ୍କୁ ଛାଡ଼ିଦେଲେ ଆଉ କେହି ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କ ସାଥ୍‌ ଦେଇ ନଥିଲେ। ସମରବିକ୍ରମାଙ୍କୁ ଈଶାନ୍ତ ଓ୍ଵିକେଟ୍‌ ପଛପଟେ କ୍ୟାଚ୍‌ କରାଇ ନେଇଥିଲେ। ଏହା ପରେ ଲଗାତାର ଓଭରରେ ରୋଶନ ସିଲଭା ଏବଂ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ନିରୋଶନ ଡିକ୍‌େଓ୍ଵଲାଙ୍କୁ ଅଶ୍ୱିନ୍‌ ଶୂନରେ ଆଉଟ୍‌ କରି ଦେଇଥିଲେ। ଫଳରେ ୫ ରନ୍‌ ଭିତରେ ଶ୍ରୀଲଙ୍କା ୩ ଓ୍ଵିକେଟ୍‌ ହରାଇ ପୁଣି ସଂଘର୍ଷ କରିଥିଲା। ସୁରଙ୍ଗା ଲାକମଲ୍‌ଙ୍କୁ ମହମ୍ମଦ ସାମି ଏବଂ ଲାହିରୁ ଗମାଗେଙ୍କୁ ରବୀନ୍ଦ୍ର ଜାଦେଜା ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ଦୀନେଶ ଚାନ୍ଦିମାଳ (୧୪୭*, ୩୪୧ ବଲ୍‌, ୧୮ ଚୌକା, ୧ ଛକା) କିନ୍ତୁ ଶେଷ ବ୍ୟାଟ୍‌ସମ୍ୟାନ୍‌ ଲକ୍ଷ୍ମଣ ସନ୍ଦକନ (୦*)ଙ୍କୁ ସାଥୀ କରି ଦିନର ଶେଷ ୩ ଓଭର ହାତେଇ ନେଇଥିଲେ। ଚାନ୍ଦିମାଳ ନିଜର ଦଶମ ଶତକ ପୂରଣ କରି ଏବେ ବ୍ୟକ୍ତିଗତ ଶ୍ରେଷ୍ଠ (୧୬୨)ରୁ ମାତ୍ର ୧୫ ରନ୍‌ ଦୂରରେ ରହିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମି, ଈଶାନ୍ତ ଶର୍ମା, ରବୀନ୍ଦ୍ର ଜାଦେଜା ପ୍ରତ୍ୟେକ ୨ ଲେଖାଏଁ ଏବଂ ରବିଚନ୍ଦ୍ରନ ଅଶ୍ୱିନ୍‌ ୩ ଓ୍ଵିକେଟ୍‌ ନେଇଛନ୍ତି।

ଭାରତ-ଶ୍ରୀଲଙ୍କା ସ୍କୋର୍‌ କାର୍ଡଭାରତ ପ୍ରଥମ ପାଳି: ୫୩୬/୭ (ଘୋଷିତ)
ଶ୍ରୀଲଙ୍କା ପ୍ରଥମ ପାଳି: ୩୫୬/୯
କରୁଣାରତ୍ନେ-କ-ରିଦ୍ଧିମାନ-ବୋ-ସାମି-୦୦
ଦିଲ୍‌ରୁଓ୍ଵାନ୍‌ ପେରେରା-ଏଲ୍‌ବି-ବୋ-ଜାଦେଜା-୪୨
ଧନଞ୍ଜୟ ଡିସିଲ୍‌ଭା-ଏଲ୍‌ବି-ବୋ-ଈଶାନ୍ତ-୦୧
ଆଞ୍ଜେଲୋ ମାଥ୍ୟୁସ୍‌-କ-ରିଦ୍ଧିମାନ-ବୋ-ଅଶ୍ୱିନ୍‌-୧୧୧
ଦୀନେଶ ଚାନ୍ଦିମାଳ-ଅପରାଜିତ-୧୪୭
ସମରବିକ୍ରମା-କ-ରିଦ୍ଧିମାନ-ବୋ-ଈଶାନ୍ତ-୩୩
ରୋସେନ୍‌ ସିଲ୍‌ଭା-କ-ଧାଓ୍ଵନ୍‌-ବୋ-ଅଶ୍ୱିନ୍‌-୦୦
ନିରୋସନ୍‌ ଡିକ୍‌ଓ୍ଵାଲା-ବୋ-ଅଶ୍ୱିନ୍‌-୦୦
ସୁରଙ୍ଗା ଲାକ୍‌ମଲ-କ-ରିଦ୍ଧିମାନ-ବୋ-ସାମି-୦୫
ଲାହିରୁ ଗମାଗେ-ଏଲ୍‌ବି-ବୋ-ଜାଦେଜା-୦୧
ଲକ୍‌ସନ୍‌ ସନ୍ଦାକନ-ଅପରାଜିତ-୦୦
ଅତିରିକ୍ତ-(ନୋ-୨,ବା-୪,ଲେବା-୫,ପେନାଲ୍‌ଟି-୫)- ୧୬
ମୋଟ-(୧୩୦ ଓଭର, ୯ ଓ୍ଵିକେଟ୍‌)-୩୫୬
ଓ୍ଵିକେଟ୍‌ ପତନ-୧/୦, ୨/୧୪, ୩/୭୫, ୪/୨୫୬, ୫/୩୧୭, ୬/୩୧୮, ୭/୩୨୨, ୮/୩୩୧, ୯/୩୪୩।
ବୋଲିଂ: ମହମ୍ମଦ ସାମି ୨୪-୬-୭୪-୨, ଇଶାନ୍ତ ଶର୍ମା ୨୭-୬-୯୩-୨, ରବୀନ୍ଦ୍ର ଜାଦେଜା ୪୪-୧୩-୮୫-୨, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ୩୫-୮-୯୦-୩।

ସମ୍ବନ୍ଧିତ ଖବର