ଅର୍ଜୁନ ତେନ୍ଦୁଲକର ଖୁବ ପରିଶ୍ରମୀ: ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ନିଲାମ ସମୟରେ ଭାରତୀୟ କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ତଥା ବାମହାତୀ ପେସର୍ ଅଜୁର୍ନ ତେନ୍ଦୁଲକରଙ୍କୁ ପ୍ରାରମ୍ଭିକ ମୂଲ୍ୟ ୨୦ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସ ଏକମାତ୍ର ଫ୍ରାଞ୍ଚାଇଜ ଥିଲା, ଯିଏକି ସଚିନ ତେନ୍ଦୁଲକରଙ୍କ ପୁଅ ପାଇଁ ନିଲାମ ଡ଼ାକିଥିଲା। ତେବେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି |

ସଚ୍ଚିନଙ୍କ ପୁଅ ହୋଇଥିବାରୁ ଅର୍ଜୁନଙ୍କୁ ସୁଯୋଗ ମିଳିଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରତିକ୍ରିୟା ରଖିଛି । ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ମହେଲା ଜୟବର୍ଦ୍ଧନେ କହିଛନ୍ତି, ‘ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରତିଭା ଯୋଗୁଁ ଦଳ ଦ୍ୱାରା ମନୋନୀତ ହୋଇଛନ୍ତି | ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଶିଖିବେ | ସଚ୍ଚିନ ତେନ୍ଦୁଲକରଙ୍କ କାରଣରୁ ଅର୍ଜୁନ ତେନ୍ଦୁଲକରଙ୍କ ମୁଣ୍ଡରେ ଏକ ବଡ ଟ୍ୟାଗ୍ ରହିବ | ତେବେ ଅର୍ଜୁନ ଜଣେ ବୋଲର, ବ୍ୟାଟ୍ସମ୍ୟାନ୍ ନୁହଁନ୍ତି’।

ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଦେଶକ ଜାହିର ଖାନ କହିଛନ୍ତି, ‘ଅର୍ଜୁନ ତେନ୍ଦୁଲକର ବହୁତ ପରିଶ୍ରମୀ, ସେ ବହୁତ କିଛି ଶିଖିବାକୁ ଚାହାଁନ୍ତି, ଯାହାକି ସବୁଠାରୁ ରୋମାଞ୍ଚକର ବିଷୟ | ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ହେବାର ଅତିରିକ୍ତ ଚାପ ସର୍ବଦା ତାଙ୍କ ଉପରେ ରହିବ, କିନ୍ତୁ ଏହା ସହ ତାଙ୍କୁ ଖେଳିବାକୁ ପଡିବ | ସୂଚନା ଥାଉ କି, ୨୧ ବର୍ଷୀୟ ଅର୍ଜୁନ ନିକଟରେ ମୁମ୍ବାଇର ସିନିୟର ଦଳ ପାଇଁ ଡେବ୍ୟୁ କରିଥିଲେ | ସେ ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଖେଳିଥିଲେ।

ସମ୍ବନ୍ଧିତ ଖବର