କଳିଙ୍ଗରେ ମୀନର୍ଭାର ଘରୋଇ ଏଏଫ୍‌ସି ଅଭିଯାନ

ନେପାଳର ମନାଙ୍ଗ ମାର୍ସିୟାଙ୍ଗଦିକୁ ଆଜି ଭେଟିବ

ଭୁବନେଶ୍ବର: ଗତ ବର୍ଷର ଆଇ ଲିଗ୍‌ ବିଜେତା ମୀନର୍ଭା ପଞ୍ଜାବ ବୁଧବାରଠୁ ଏଏଫ୍‌ସି କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଘରୋଇ ଅଭିଯାନ ଆରମ୍ଭ କରିବ। ଭୁବନେଶ୍ବର ସ୍ଥିତ କଳିଙ୍ଗ ‌ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିଥିବା ମୀନର୍ଭା ବୁଧବାର ଏଠାରେ ପ୍ରଥମ ଘରୋଇ ମ୍ୟାଚ୍‌ରେ ନେପାଳ ବିଜେତା ମନାଙ୍ଗ ମାର୍ସିୟାଙ୍ଗଦିକୁ ଭେଟିବ। ମ୍ୟାଚ୍‌ ସଂଧ୍ୟା ୬.୩୦ରେ ଆରମ୍ଭ ହେବାକୁ ଥିଲା ବେଳେ ଦର୍ଶକମାନେ ମାଗଣାରେ ଏହାର ମଜା ନେଇପାରିବେ।
ଗ୍ରୁପ୍‌-ଇରେ ‌ଆଇଏସ୍‌ଏଲ୍‌ ଦଳ ଚେନ୍ନାଇନ୍ ଏଫ୍‌ସି, ‌ବାଂଲାଦେଶର ଆବାହାନି ଢାକା ଏବଂ ‌ନେପାଳୀ ମନାଙ୍ଗ ମାର୍ସିୟାଙ୍ଗଦି କ୍ଲବ୍‌ ସହ ମୀନର୍ଭା ରହିଛି। ଏହି ଦଳ ଏପର୍ଯ୍ୟନ୍ତ ବାହାରେ ଦୁଇଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବିଜୟର ସ୍ବାଦ ଚାଖିନି। ଚେନ୍ନାଇନ୍‌ ସହ ଗୋଲ୍‌ ଶୂନ୍ୟ ଏବଂ ଢାକା ସହ ୨-୨ରେ ଅମୀମାଂସିତ ରଖିଥିଲା। ଫଳରେ ମୀନର୍ଭା (୨ ପଏଣ୍ଟ୍‌) ତାଲିକାର ତୃତୀୟ ସ୍ଥାନରେ ରହିଛି। ଘରୋଇ ପଡ଼ିଆ ସହ ଏହି ଦଳ ‌ତାଲିକାର ଶେଷସ୍ଥାନରେ ଥିବା ନେପାଳକୁ ଭେଟିବାର ଥିବାରୁ ବିଜୟ ପାଇବା ଲାଗି ଦୃଢ଼ ଦାବିଦାର ରହିଛି। ବାହାରେ ଦୁଇଟି ମ୍ୟାଚ୍‌ ‌ଖେଳି ଅମୀମାଂସିତ ରଖି ୨ ପଏଣ୍ଟ୍‌ ପାଇଛୁ। ବାହାର ମ୍ୟାଚ୍‌ ଟିକେ କଷ୍ଟକର ଥା‌ଏ। ଏବେ ଘରେ ଖେଳିବୁ, ଫଳରେ ମ୍ୟାଚ୍‌ ଜିତିବା ଲାଗି ସହଜ ହେବ। ଆମର ବିଶ୍ବାସ ନିଶ୍ଚିତ ମ୍ୟାଚ୍ ଜିତିବୁ ଏବଂ ପଏଣ୍ଟ୍‌ ତାଲିକାର ଉପରକୁ ଉଠିପାରିବୁ ବୋଲି ମୀନର୍ଭା ପ୍ରଶିକ୍ଷକ ସଚିନ ବଡ଼ାଧେ କହିଛନ୍ତି।
ଅନ୍ୟପକ୍ଷରେ ମନାଙ୍ଗ ପ୍ରଥମ ଥର ଲାଗି ଏହି ଭଳି ପ୍ରତିଯୋଗିତା ଖେଳୁଛି। ନେପାଳ ଲିଗ୍‌ରେ ୧୩ ମ୍ୟାଚ୍‌ରୁ ୧୨ ବିଜୟ ପାଇ ବିଜେତା ହେବା ସହ ଏଏଫ୍‌ସି ଯୋଗ୍ୟତା ପାଇଥିଲା। ଏଏଫ୍‌ସି ଯୋଗ୍ୟତା ହାସଲ ପରେ ଏହି ଦଳ ସିକିମ ଗୋଲ୍ଡ କପ୍‌ ବିଜେତା ହୋଇଥିଲା। ସଂପ୍ରତି ଏହି ଦଳ ପଏଣ୍ଟ୍‌ ତାଲିକାରେ ଶେଷରେ ରହିଥିଲେ ମଧ୍ୟ ପୂର୍ବ ଦୁଇ ମ୍ୟାଚ୍‌ରେ ‌ପ୍ରଭାବୀ ପ୍ରଦର୍ଶନ କରିଥିଲା। ଭାଗ୍ୟ ସାଥ୍ ନଦେବାରୁ ଢାକା ଦଳଠୁ ଗୋଟିଏ ଗୋଲ୍‌ ବ୍ୟବଧାନ ଏବଂ ଚେନ୍ନାଇନ୍ ସହ ଶେଷ ୩ ମିନିଟ୍‌ରେ ଦୁଇଟି ଗୋଲ୍‌ ବରଣ କରି ପରାଜୟ ବରଣ କରିଥିଲା। ଆମ ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ। ମୀନର୍ଭା ବିପକ୍ଷ ମ୍ୟାଚ୍‌ ଜିତି ପୁରା ୩ ପଏଣ୍ଟ୍‌ ପାଇବା ଲାଗି ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ମନାଙ୍ଗର ପ୍ରଶିକ୍ଷକ ଚିରିଙ୍ଗ ଗୁରୁଙ୍ଗ। ପଏଣ୍ଟ୍‌ ତାଲିକାରେ ଚେନ୍ନାଇନ୍‌ ଓ ଢାକା ୨ ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ବିଜୟ ଓ ଅମୀମାଂସିତ ସହ ୪ ପଏଣ୍ଟ୍‌ ପାଇ ପ୍ରଥମ ଦୁଇ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର