ୱିମ୍ବଲଡନ୍‌ ପୁରସ୍କାର ରାଶି ୧୧.୮ ପ୍ରତିଶତ ବୃଦ୍ଧି

ଲଣ୍ଡନ: ୱିମ୍ବଲଡନ୍‌ ପୁରସ୍କାର ରାଶିରେ ୧୧.୮ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ମୋଟ ପୁରସ୍କାର ରାଶି ପରିମାଣ ୩୮ ମିଲିୟନ୍‌ ପାଉଣ୍ଡ୍‌ (୪୯ ମିଲିୟନ୍‌ ଡଲାର) ହେବ ବୋଲି ଆୟୋଜକ ଅଲ୍‌ ଇଂଲଣ୍ଡ୍‌ କ୍ଲବ୍‌ ମଙ୍ଗଳବାର ଘୋଷଣା କରିଛି। ଚଳିତ ବର୍ଷର ପ୍ରତିଯୋଗିତାରେ ପୁରୁଷ ଓ ମହିଳା ଏକକ ବିଜେତା ପ୍ରତ୍ୟେକ ୨.୩୫ ମିଲିୟନ୍‌ ପାଉଣ୍ଡ୍‌ ଲେଖାଏଁ ପୁରସ୍କାର ରାଶି ପକେଟସ୍ଥ କରିବେ। ଯାହାକି ୨୦୧୮ ସଂସ୍କରଣ ତୁଳନାରେ ୧ ଲକ୍ଷରୁ ଅଧିକ। କେବଳ ସେତିକି ନୁହେଁ, ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପ୍ରାରମ୍ଭିକ ରାଉଣ୍ଡ୍‌ଗୁଡ଼ିକରୁ ପରାଜୟ ସହ ବିଦାୟ ନେଉଥିବା ଖେଳାଳିଙ୍କ ପୁରସ୍କାର ରାଶିରେ ମଧ୍ୟ ବୃଦ୍ଧି କରାଯିବ। ଏକକ ବର୍ଗରେ ଯୋଗ୍ୟତା ପର୍ଯ୍ୟାୟରୁ ଆରମ୍ଭ କରି ପ୍ରଥମରୁ ତୃତୀୟ ରାଉଣ୍ଡ୍‌ ପର୍ଯ୍ୟନ୍ତ ପୁରସ୍କାର ରାଶିରେ ୧୦ ପ୍ରତିଶତ ବୃଦ୍ଧି କରାଯିବ। ପ୍ରଥମ ରାଉଣ୍ଡରୁ ବିଦା ଖେଳାଳି ୪୫,୦୦୦ ପାଉଣ୍ଡ୍‌ ପାଇବେ। ଚଳିତ ବର୍ଷର ୱିମ୍ବଲଡନ୍‌ ମୋଟ ପୁରସ୍କାର ରାଶି ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆ ଓପନ୍‌ର ମୋଟ ପୁରସ୍କାର ରାଶି ୬୨.୫ ମିଲିୟନ୍‌ ଅଷ୍ଟ୍ରେଲୀୟ ଡଲାର (୪୪ ମିଲିୟନ୍‌ ଡଲାର)କୁ ଟପିଯିବ। ତଥାପି ୱିମ୍ବଲଡନ୍‌ ବର୍ଧିତ ପୁରସ୍କାର ରାଶି ପରିମାଣ ଗତବର୍ଷର ୟୁଏସ୍‌ ଓପନ୍‌ ମୋଟ ପୁରସ୍କାର ରାଶି (୫୩ ଡଲାର)ଠୁ ତଳେ ରହିବ। ଏହା ସତ୍ତ୍ବେ ଗତ ଦଶନ୍ଧୀ ମଧ୍ୟରେ ୱିମ୍ବଲଡନ୍‌ ମୋଟ ପୁରସ୍କାର ରାଶିରେ ତିନିଗୁଣା ବଢ଼ିଛି।

ସମ୍ବନ୍ଧିତ ଖବର