ରାମାୟଣ-ମହାଭାରତରେ ମାନସିକ ଶାନ୍ତି ଖୋଜୁଛନ୍ତି ମିସୀ

ମୋନାକୋ: ମାତ୍ର ୨୩ ବର୍ଷ ବୟସରେ କ୍ରୀଡ଼ା ଜଗତରୁ ସନ୍ୟାସ ନେଇ ସାରା ବିଶ୍ବକୁ ଚକିତ କରି ଦେଇଥିବା ଆମେରିକୀୟ ସନ୍ତରଣ ତାରକା ମିସୀ ଫ୍ରାଙ୍କଲିନ୍ ଏବେ ହିନ୍ଦୁ ଧର୍ମଗ୍ରନ୍ଥ ପଢ଼ିବାରେ ମନ ଲଗାଇଛନ୍ତି। ପାଞ୍ଚଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିବା ମିସୀ ସୋମବାର ରାତିରେ ଲୌରିଅସ୍ କ୍ରୀଡ଼ା ପୁରସ୍କାର ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନିଜେ ଏହା କହିଛନ୍ତି। ଏକଦା ସନ୍ତରଣାଗାରରେ ଚହଳ ସୃଷ୍ଟି କରିଥିବା ମିସୀ ଗତବର୍ଷ ଡିସେମ୍ବର ମାସରେ ଅଚାନକ ସମସ୍ତ ପ୍ରକାର ଖେଳରୁ ଅବସର ଘୋଷଣା କରିଥିଲେ। କାନ୍ଧ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଖେଳ ଛାଡ଼ିବା ସହ ମନୋରଞ୍ଜନ ପାଇଁ ଯୋଗ କରିବା ଆରମ୍ଭ କରିଥିଲେ। ହେଲେ ହିନ୍ଦୁ ଧର୍ମ ବିଷୟରେ ଜାଣିବା ପରେ ଆଧ୍ୟାତ୍ମିକତା ପ୍ରତି ଢଳିଥିଲେ। ସଂପ୍ରତି ସେ ଜର୍ଜିଆ ବିଶ୍ବ ବିଦ୍ୟାଳୟରେ ଧର୍ମ ପଢ଼ୁଛନ୍ତି। ସୋମବାରର ଲୌରିଅସ୍ ପୁରସ୍କାର ଉତ୍ସବ ଅବସରରେ ସେ କହିଥିଲେ ଯେ ଗତ ଏକ ବର୍ଷ ହେବ ମୁଁ ବିଭିନ୍ନ ଧର୍ମ ବିଷୟରେ ପଢ଼ାପଢ଼ି କରୁଛି। ଏଥିରୁ ଅନେକ କିଛି ଶିଖିବାକୁ ମିଳୁଛି। ମୋ ଆଖି ଖୋଲିଯାଇଛି। ମୋତେ ବିଭିନ୍ନ ସଂସ୍କୃତି, ଲୋକ ଏବଂ ସେମାନଙ୍କ ଧାର୍ମିକ ମାନ୍ୟତା ପଢ଼ିବା ବହୁତ ଭଲ ଲାଗେ। ଲଣ୍ଡନ ଅଲିମ୍ପିକ୍ସରେ ଏକାଥରକେ ପାଞ୍ଚଟି ସ୍ବର୍ଣ୍ଣ ଜିତିଥିବା ମିସୀ ଆହୁରି କହିଥିଲେ, ମୁଁ ନିଜେ ଜଣେ ଖ୍ରୀଷ୍ଟିଆନ୍। ହେଲେ ‌ମୋର ଅଧିକ ରୁଚି ହିନ୍ଦୁ ଓ ମୁସଲମାନ ଧର୍ମରେ ରହିଛି। ଏହି ଦୁଇଟି ଧର୍ମ ବିଷୟରେ ମୁଁ ବେଶୀ କିଛି ଜାଣି ନଥିଲି, ହେଲେ ସେମାନଙ୍କ ବିଷୟରେ ପଢ଼ିବା ପରେ ଉଭୟ ଧର୍ମ ମୋତେ ବହୁତ ଆକର୍ଷିତ କରିଛି। ସଂପ୍ରତି ମୁଁ ମହାଭାରତ ଓ ରାମାୟଣ ପଢ଼ୁଛି। ଏଥିରୁ ହିନ୍ଦୁ ଧର୍ମ ବିଷୟରେ ଅନେକ କିଛି ଜାଣିଛି। ଏଥିରେ ଥିବା ସବୁ କାହାଣୀ ଓ କଥା‌ ଅବିଶ୍ବସନୀୟ। ଭଗବାନ ରାମ ଏବଂ ସୀତାଙ୍କ ବିଷୟରେ ପଢ଼ିବାକୁ ମୋତେ ବହୁତ ଭଲ ଲାଗେ।

ସମ୍ବନ୍ଧିତ ଖବର