ମା ଦିବସ ବିଶେଷ: ଫୁଟ୍‌ବଲ୍‌ ପଡ଼ିଆରେ ଦୁଇ ପିଢ଼ିର ମା’

ଭୁବନେଶ୍ବର/ଲୁଧିଆନା: ରବିବାର ସାରା ଦେଶ ମା’ ଦିବସ ପାଳନ କରୁଥିଲା ବେଳେ ଖେଳାଳିମାନେ ବି ଏଥିରୁ ନିବୃତ ହୋଇନାହାନ୍ତି। କିନ୍ତୁ ମା’ ହେବା ପରେ ଜଣେ କ୍ରୀଡ଼ାବିତ୍‌ର ଖେଳ ଜୀବନ ଯେ ସମାପ୍ତ ହୋଇଯାଏ ଏଭଳି ଧାରଣା ବଦଳିଯାଇଛି। ଗର୍ଭବତୀ ହେବା ଏବଂ ପିଲା ଜନ୍ମ ଦେବା ପରେ ପଡିଆକୁ ଫେରି ପୂର୍ବଭଳି ଚମକ ଦେଖାଇଛନ୍ତି ଅନେକ ଭାରତୀୟ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ସଦସ୍ୟା ଅମୂଲ୍ୟା କମଲ। ଗତବର୍ଷ କନ୍ୟା ନିଭେଦାଙ୍କୁ ଜନ୍ମ ଦେଦାର ଅଢ଼େଇ ମାସ ପରେ ଅମୂଲ୍ୟା ଭାରତୀୟ ଦଳ ତାଲିମ ଶିବିରକୁ ଫେରିଥିଲେ। ଗର୍ଭବତୀ ହେବା ଏକ ନିଆରା ଅନୁଭବ, କିନ୍ତୁ‌ ମୋତେ ମୋ ଈଚ୍ଛାଶକ୍ତି ଫୁଟ୍‌ବଲ୍‌କୁ ଫେରାଇ ଆଣିଛି। ମୋ ପରିବାର ଏବଂ କନ୍ୟା ବି ସମର୍ଥନ କରିଛନ୍ତି ବୋଲି ଅମୂଲ୍ୟା କହିଛନ୍ତି। ମା’ ଦିବସ ନିଶ୍ଚିତ ଭାବେ ସ୍ବତନ୍ତ୍ର। ମା’ ହେବା ପରେ ମୁଁ କେବଳ ପ୍ରଥମ ଥର ହିରୋ ମହିଳା ଲିଗ୍‌ ଖେଳୁନାହିଁ, ପ୍ରଥମ ଥର ପାଇଁ ମଧ୍ୟ ଏକ ପେସାଦାର ପ୍ରତିଯୋଗିତା ଖେଳୁଛି ବୋଲି ସମ୍ପ୍ରତି ଲୁଧିଆନାରେ ଆଇଡବଲ୍ୟୁଏଲ୍‌ ଖେଳୁଥିବା ଅମୂଲ୍ୟା ପ୍ରକାଶ କରିଛନ୍ତି।

୨୦୧୭ ମସିହାର ପଞ୍ଜାବରେ ଅନୁଷ୍ଠିତ ଜାତୀୟ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତାରେ କର୍ଣ୍ଣାଟକ ପାଇଁ ଖେଳୁଥିବା ବେଳେ ଅମୂଲ୍ୟା ଗର୍ଭବତୀ ହୋଇଥିଲେ। ପେଟରେ ପିଲା ଏବଂ ପାଦରେ ଫୁଟ୍‌ବଲ୍‌କୁ ଭଲ ପାଇବାର ଦୋଛକିରେ ପଡିଥିଲେ ବି ପଛଘୁଞ୍ଚା ଦେଇନଥିଲେ। ଏଭଳି ହିସାବ କିନ୍ତୁ ସେ ଏବେ କରିଥିଲେ। ଗର୍ଭବତୀ ଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କ ସ୍ଥାନୀୟ ମ୍ୟାଚ୍‌ ଦେଖିବାକୁ ସେ ଯାଉଥିଲେ। ୫ ମାସର ଗର୍ଭବତୀ ଥିବା ବେଳେ ଫୁଟ୍‌ବଲକୁ ମୁଣ୍ଡରେ ଖେଳୁଥିଲେ। ଏଥି ପାଇଁ ଜଣେ ସାଥୀ ଖେଳାଳି ବାରଣ କରିଥିଲେ ମଧ୍ୟ ‘ପେଟରେ ଲାଗିବାକୁ ଦେବିନି’ ବୋଲି କହୁଥିଲେ।
ଏବେ ଅମୂଲ୍ୟା ନିଜର ଫୁଟ୍‌ବଲ୍ ପ୍ରତ୍ୟାବର୍ତନ ଲାଗି ନିଜ ଶାଶୁ ଓ ସ୍ବାମୀଙ୍କୁ ଶ୍ରେୟ ଦେଇଛନ୍ତି। ଫୁଟବଲ୍ ଭଳି ସୁନ୍ଦର ଖେଳକୁ ଫେରି ଆସିବାକୁ ଉଭୟ ମୋତେ ଉତ୍ସାହିତ କରିଥିଲେ। ଶାଶୁଙ୍କ ସମର୍ଥନ ମିଳିନଥିଲେ ମୁଁ ଗୋଟିଏ ଇଞ୍ଚ ବି ଆଗକୁ ବଢ଼ି ପାରନ୍ତି ନାହିଁ। ସେ ପିଲାର ଯତ୍ନ ନେଉଥିବାରୁ ମୁଁ ତାଲିମ କିମ୍ବା ଖେଳିପାରୁଛି ବୋଲି ଅମୂଲ୍ୟା ପ୍ରକାଶ କରିଛନ୍ତି। ସମ୍ପ୍ରତି ଲୁଧିଆନାରେ ଚାଲିଥିବା ଆଇଡବଲ୍ୟୁଏଲ୍‌ରେ ବାଙ୍ଗାଲୋର୍‌ ୟୁନାଇଟେଡ୍‌ ପାଇଁ ‌ଖେଳୁଛନ୍ତି ଅମୂଲ୍ୟା। ତାଙ୍କ ଶାଶୁ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଆସିଛନ୍ତି। ଖେଳ ଏବଂ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ଆଣିବା ସମ୍ଭବ ବୋଲି କୁହନ୍ତି ଏହି ତାରକା। ଫୁଟ୍‌ବଲ୍‌କୁ ଯେକେହି ଖେଳିପାରିବେ, କେବଳ ଫିଟନେସ୍‌ ରଖିବା ଜରୁରୀ। ପରିବାରରୁ ସମର୍ଥନ ମିଳୁଥିବାରୁ ମୁଁ ଭାଗ୍ୟବାନ। ମୁଁ କେବେ ବି ଏହି ଖେଳକୁ ଛାଡ଼ିବି ନାହିଁ। ମା’ ଭାବେ, କନ୍ୟା ଭାବେ କିମ୍ବା ପତ୍ନୀ ଭାବେ ଫୁଟବଲ୍‌ ଖେଳି ପରିଚୟ ପାଇଛି। ଏହାକୁ ମୁଁ ପରବର୍ତୀ ପିଢ଼ିକୁ ନେବି ବୋଲି ମଧ୍ୟ ଅମୂଲ୍ୟା କହିଥିଲେ।

ଆଶ୍ଚର୍ଯ୍ୟର ବିଷୟ ଅମୂଲ୍ୟାଙ୍କ ମା’ ଜଣେ ଫୁଟ୍‌ବଲ୍ ପ୍ରଶିକ୍ଷିକା। ଭାରତୀୟ ଫୁଟ୍‌ବଲ୍ ଦଳର ଗୋଲ୍‌ରକ୍ଷକ ପ୍ରଶିକ୍ଷକ ଥିବା ଚିତ୍ରା ଗଙ୍ଗାଧରନଙ୍କ ବଡ଼ ଝିଅ ହେଉଛନ୍ତି ଅମୂଲ୍ୟା। ମା’ ଏବଂ ପ୍ରଶିକ୍ଷକ ଭାବେ ଅମୂଲ୍ୟାଙ୍କ ‌ଖେଳ ଜୀବନ ଗଢ଼ିଥିଲେ ଚିତ୍ରା। ୨୦୦୭ ମସିହାରେ ଇରାନ୍ ବିପକ୍ଷ ଘରେ-ବାହାରେ ଶୃଙ୍ଖଳା ଦ୍ବୟରେ ଉଭୟ ଥିଲେ ଜାତୀୟ ଦଳ ଦାୟିତ୍ବରେ। ଏହା ଥିଲା ଅପୂର୍ବ ସଂଯୋଗ। ତଥାପି କେହି କାହାରି ସୀମା ଅତିକ୍ରମ କରନ୍ତିନାହିଁ। ମୁଁ ଜାତୀୟ ଦାୟିତ୍ବରେ ଥିବା ବେଳେ ଦେଶର ସ୍ବାର୍ଥକୁ ଆଗରେ ରଖିଥାଏ ବୋଲି କୁହନ୍ତି ଚିତ୍ରା। ସ୍ବାମୀ କମଲ ଦୟାକର ବାଙ୍ଗାଲୋର୍ ଫୁଟ୍‌ବଲ୍ କ୍ଲବ୍ ସଭାପତି ଏବଂ ମୁଁ ସେଠାରେ ମୁଖ୍ୟ ପ୍ରଶିକ୍ଷକ ବୋଲି ସୂଚନା ଦେଇଛନ୍ତି ଚିତ୍ରା। ଅମୂଲ୍ୟା ଏକ ଫୁଟ୍‌ବଲ୍ ପରିବାରରୁ ଆସିଥିବାରୁ ଏବେ ନିଜ କନ୍ୟାକୁ ବି ଫୁଟ୍‌ବଲର୍ କରିବା ଆଶାରେ ରହିଛନ୍ତି।

ଓଡ଼ିଶାରେ ଅନୁରାଧା
ଓଡ଼ିଶାରେ ଏହାର ଏକ ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ। ମା’ ହେବା ପରେ ବି ଅନୁରାଧା ଅନେକ ଦିନ ଧରି ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାରେ ସକ୍ରିୟ ଅଂଶଗ୍ରହଣ କରିଥ‌ିଲେ ଏବଂ ପଦକ ଜିତିବା ଧାରାକୁ ଜାରି ରଖିଥିଲେ। କେବଳ ଏତିକିରେ ସୀମିତ କି ସନ୍ତୁଷ୍ଟ ହୋଇ ରହିନଥିଲେ ଜାତୀୟ ରେକର୍ଡଧାରୀ ଅନୁରାଧା। ନିଜ ଖେଳ ଜୀବନ ସରୁ ନସରୁଣୁ କନ୍ୟା ଅଂଶିକା ରାଉତରାୟଙ୍କୁ ବି ଖେଳାଳି ଭାବେ ଗଢ଼ି ତୋଳିଛନ୍ତି। ଅନୁରାଧା ୧୦୦ ମିଟର୍ ବାଧାଦୌଡ଼ରେ ଜାତୀୟ କୀର୍ତିମାନ କରିଥିବା ବେଳେ ସଟ୍‌ପୁଟ୍‌ରେ ଆଂଶିକା ଉପ କନିଷ୍ଠ ଏବଂ କନିଷ୍ଠ ବର୍ଗରେ ଏକାଧିକ ଜାତୀୟ କୀର୍ତିମାନକୁ ନିଜ ନାମରେ କରିସାରିଛନ୍ତି।

ସମ୍ବନ୍ଧିତ ଖବର