ବାରମ୍ବାର ମିଳୁଛି ସୁଯୋଗ; ପୂର୍ବରୁ ମଧ୍ୟ ଅଧିନାୟକତ୍ୱ ଛାଡିଥିଲେ ଧୋନି, ହେଲେ ୨ବର୍ଷ ପରେ ପୁଣି ମିଳିଥିଲା ଦାୟିତ୍ବ

ନୂଆଦିଲ୍ଲୀ: ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି। କ୍ରିକେଟର ରବୀନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରି ଯାଇଥିବା ବେଳେ ଧୋନିଙ୍କୁ ଅଧିନାୟକ ପଦକୁ ଫେରିବା ପାଇଁ ଅନୁରୋଧ କରିଥିଲେ। ସେ ଖେଳ ଉପରେ ଗୁରୁତ୍ବ ଦେବାକୁ ଚାହାନ୍ତି ବୋଲି ଜଣାଇଥିଲେ। ଏବେ ଧୋନି ଜାଦେଜାଙ୍କ ପ୍ରସ୍ତାବ ଗ୍ରହଣ ସିଏସକେର ଅଧିନାୟକ ଦାୟିତ୍ବ ସମ୍ଭାଳିବାକୁ ରାଜି ହୋଇଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଧୋନି ଅଧିନାୟକତ୍ୱ ଛାଡ଼ି ପୁଣି ଥରେ ମଙ୍ଗ ଧରିଥିଲେ।

ଧୋନି ୨୦୧୭ ଆରମ୍ଭରେ ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ। ସେପର୍ଯ୍ୟନ୍ତ ଧୋନି ମୋଟ ୧୯୯ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିସାରିଥିଲେ। ସେତେ‌ବେଳେ ଧୋନିଙ୍କ ଏହି ନିଷ୍ପତ୍ତି ବିଷୟରେ ଜାଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେ‌ଲେ ପ୍ରାୟ ଦୁଇ ବର୍ଷ ପରେ ସେପ୍ଟେମ୍ବର ୨୦୧୮ ରେ ଧୋନିଙ୍କୁ ଭାରତୀୟ ଅଧିନାୟକ ଭାବରେ ୨୦୦ତମ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡିଥିଲା। ଏସିଆ କପରେ ଆଫଗାନିସ୍ତାନ ବିପକ୍ଷ ସେହି ମ୍ୟାଚରେ ରୋହିତ ଶର୍ମା ଏବଂ ଶିଖର ଧୱନଙ୍କୁ ବାଦ୍ ଦିଆଯାଇଥିଲା, ଯେଉଁଥିପାଇଁ ଧୋନି ଅଧିନାୟକତ୍ୱର ଦାୟିତ୍ବ ଗ୍ରହଣ କରିଥିଲେ। ବିଶେଷ କଥା ହେଉଛି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଟାଇ ହୋଇଥିଲା।

ତେବେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନି  ସିଏସକେର ଅଧିନାୟକ ପଦରୁ ଓହରିବା ପରେ ଜାଦେଜାଙ୍କୁ ଦାୟିତ୍ବ ମିଳିଥିଲା। କିନ୍ତୁ ଜାଦେଜାଙ୍କ ନେତୃତ୍ବରେ ଚଳିତ ଆଇପିଏଲରେ ସିଏସକେ ଭଲ ପ୍ରଦର୍ଶନ କରିପାରି ନଥିଲା । କେବଳ ଏତିକି ନୁହେଁ, ଜାଦେଜାଙ୍କ ବ୍ୟାଟିଂ ମଧ୍ୟ ବହୁତ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଜାଦେଜା ଅଧିନାୟକ ପଦରୁ ଓହରିବା ପାଇଁ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜାଦେଜାଙ୍କ ପ୍ରସ୍ତାବ ଗ୍ରହଣ କରି ଦଳର ସ୍ୱାର୍ଥରେ ଧୋନି ସିଏସକେର ଅଧିନାୟକତ୍ୱ ସମ୍ଭାଳିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର