ମୁମ୍ବାଇର ପଞ୍ଚମ ପରାଜୟ: ପଞ୍ଜାବ କିଙ୍ଗ୍ସର ତୃତୀୟ ବିଜୟ, ରୋହିତଙ୍କ କୀର୍ତ୍ତିମାନ

ପୁଣେ: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି ରହିଛି। ମଙ୍ଗଳବାର ପଞ୍ଜାବ କିଙ୍ଗ୍ସଠାରୁ ୧୨ ରନ୍‌ରେ ହାରି ଲଗାତାର ପଞ୍ଚମ ପରାଜୟ ବରଣ କରିଛି ମୁମ୍ବାଇ। ଯାହା ଏହି ଦଳର ପ୍ରଶଂସକଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି। ଅନ୍ୟପକ୍ଷରେ ପଞ୍ଜାବ ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମଙ୍ଗଳବାର ମୁମ୍ବାଇ ସମ୍ମୁଖରେ ପଞ୍ଜାବ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୧୦ ଓଭର ବେଳକୁ ମୁମ୍ବାଇର ରନ୍ ସଂଗ୍ରହ ହାର ବି ଆବଶ୍ୟକ ହାରଠାରୁ ବେଶ୍ ଭଲ ଥିଲା। ହେଲେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ଏବଂ ଠିକଣା ସମୟରେ ତିଲକ ବର୍ମା ଓ କିରଣ ପୋଲାର୍ଡ ରନ୍‌ଆଉଟ୍ ହେବା ମ୍ୟାଚ୍‌ର ଗତିପଥକୁ ବଦଳାଇ ଦେଇଥିଲା। ସେହିଭଳି ଶେଷ ଓଭରରୁ ତିନିଟି ୱିକେଟ୍ ନେଇ ଓଡେନ୍ ସ୍ମିଥ୍ ପ୍ରତିପକ୍ଷ ମୁମ୍ବାଇର ସବୁ ଆଶାକୁ ଧୂଳିସାତ୍ କରି ଦେଇଥି‌ଲେ। ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୧୮୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ଦଳ ତା’ର ଶେଷ ୪ଟି ୱିକେଟ୍‌ ମାତ୍ର ୯ ରନ୍‌ରେ ହରାଇଥିଲା। ଅବଶ୍ୟ ୧୭ ବଲ୍‌ରୁ ୨୮ ରନ୍ କରିଥିବା ଅଧିନାୟକ ରୋହିତ ଶର୍ମା ସପ୍ତମ ଖେଳାଳି ଭାବେ ଟ୍ବେଣ୍ଟି-୨୦ରେ ୧୦,୦୦୦ ରନ୍ ପୂରଣ କରିବାର କୀର୍ତ୍ତିମାନ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଆଜି ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ଅଧିନାୟକ ରୋହିତ ଶର୍ମାଙ୍କ ନିଷ୍ପତ୍ତି ମୁମ୍ବାଇ ପାଇଁ ସେତେଟା ଫଳପ୍ରଦ ସାବ୍ୟସ୍ତ ହୋଇ ନଥିଲା। କାରଣ ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ଅଧିନାୟକ ମୟଙ୍କ ଅଗ୍ରୱାଲ (୫୨) ଓ ଶିଖର ଧାୱନ (୭୦) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୯୭ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଜନି ବେୟାରଷ୍ଟୋ (୧୨) ଏବଂ ଲିଆମ ଲିଭିଂ‌ଷ୍ଟୋନ (୨)ଙ୍କ ବିଫଳତା ପାଇଁ ଅବଶ୍ୟ ପଞ୍ଜାବର ରନ୍ ସଂଗ୍ରହ ହାର କିଛି ସମୟ ପାଇଁ କମି ଯାଇଥିଲା। ତେବେ ଶେଷ ଆଡ଼କୁ ୱିକେଟ୍ ରକ୍ଷକ ଜିତେଶ ଶର୍ମା (୩୦*) ଏବଂ ଶାହରୁଖ ଖାନ (୧୫)ଙ୍କ ଦ୍ରୁତ ବ୍ୟାଟିଂ ପାଇଁ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୫ ରନ୍ କରି ନେଇଥିଲା। ନିଜ ପାଳିର ପ୍ରଥମ ୧୦ ଓଭରରେ ପଞ୍ଜାବ କିଙ୍ଗ୍ସ ୯୯ ରନ୍ କରିଥିଲା। ୱିକେଟ୍ ହାତରେ ଥାଇ ମଧ୍ୟ ଶେଷ ୧୦ ଓଭରରେ ସେହି ୯୯ ରନ୍ କରିବାକୁ ସକ୍ଷମ ‌ହୋଇଥିଲା। ଫଳରେ ୨୦୦ ରନ୍ ଛୁଇଁପାରି ନଥିଲା।

ସମ୍ବନ୍ଧିତ ଖବର