ବୃହତ୍‌ ବିପର୍ଯ୍ୟୟ :ଶୀର୍ଷ ମାନ୍ୟତା ହାଲେପ୍‌ ବିଦା

ନାଦାଲ, ଫେଡେରର୍‌, ଜୋକୋଭିକ୍‌ ପ୍ରି-କ୍ୱାର୍ଟରରେ

ଲଣ୍ଡନ୍‌: ଶନିବାର ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଓ୍ଵିମ୍ବଲଡନ୍‌ରେ ବୃହତ୍‌ ବିପର୍ଯ୍ୟୟ ଘଟିଛି। ମହିଳା ଏକକ ତୃତୀୟ ପର୍ଯାୟରେ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌ଙ୍କ ପରାଜୟ ରୂପରେ ହିଁ ଏହି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଣମାନ୍ୟତା ଚାଇନିଜ୍‌ ତାଇପେର ସୁ ଓ୍ଵି ସିହେ ଶୀର୍ଷ ମାନ୍ୟତା ରୋମାନିଆ ଲଳନା ହାଲେପ୍‌ଙ୍କୁ ୪-୬, ୬-୪ ଓ ୭-୫ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ହାଲେପ୍‌ଙ୍କ ସହିତ ୨୬ ମାନ୍ୟତା ଦାରିଆ ଗାଭ୍ରିଲୋଭା, ୨୭ ମାନ୍ୟତା କାର୍ଲା ସୁଆରେଜ୍‌ ନାଭାରୋ, ୨୮ ମାନ୍ୟତା ଆନେଟ୍‌ କୋଣ୍ଟାଭିଟ୍‌ଙ୍କ ଓ୍ଵିମ୍ବଲଡନ୍‌ ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ଏହି ତିନି ଜଣଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଯଥାକ୍ରମେ ଅଣମାନ୍ୟତାପ୍ରାପ୍ତ ଆଲେକ୍‌ଜାନ୍ଦର ସାନୋଭିକ୍‌, ବେଲିନ୍ଦା ବେନ୍‌ସିକ୍‌ ଓ ଆଲିସନ୍‌ ଭାନ୍‌ ଉତ୍‌ଭାନ୍‌କ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଅନ୍ୟପକ୍ଷରେ ଏକାଦଶ ମାନ୍ୟତା ଆଞ୍ଜେଲିକ୍‌ କେର୍ବର, ଦ୍ୱାଦଶ ମାନ୍ୟତା ଜେଲିନା ଓସ୍ତାପେଙ୍କୋ, ଚତୁର୍ଦଶ ମାନ୍ୟତା ଦାରିଆ କାସ୍‌ାତ୍‌କିନା, ଅଣମାନ୍ୟତା ଡୋକିନିମା ସିବୁଲ୍‌କୋଭା ନିଜ ନିଜର ବିଜୟ ଅଭିଯାନ ଜାରି ରଖି ପ୍ରିକ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି।

ପୁରୁଷ ବର୍ଗରେ ଶୀର୍ଷ ମାନ୍ୟତା ତଥା ପୂର୍ବ ବିଜେତା ରୋଜର୍‌ ଫେଡେରର୍‌ ଏବଂ ଦ୍ୱିତୀୟ ମାନ୍ୟତା ରୋଫେଲ ନାଦାଲ ସହଜ ବିଜୟ ସହ ପ୍ରିକ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଶନିବାର ମୁକାବିଲାରେ ସ୍ପେନ୍‌ ତାରକା ନାଦାଲ ୬-୧, ୬-୨ ଓ ୬-୪ ସିଧାସଳଖ ସେଟ୍‌ରେ ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିବା ଡିମ ମିନାଉର୍‌ଙ୍କୁ ପରାସ୍ତ କରିଥିଲା ବେଳେ ଶୁକ୍ରବାର ରାତିରେ ସ୍ୱିଜରଲାଣ୍ଡ୍‌ ତାରକା ଫେଡେରର୍‌ ସିଧାସଳଖ ସେଟ୍‌ ୬-୩, ୭-୫ ଓ ୬-୨ରେ ଜର୍ମାନି ଜାନ୍‌ ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ପରାସ୍ତ କରି କୀର୍ତିମାନଭରା ନବମ ଓ୍ଵିମ୍ବଲଡନ୍‌ ଟ୍ରଫି ଜିତିବା ଦିଗରେ ଅଗ୍ରସର ହୋଇଛନ୍ତି। ପ୍ରି-କ୍ୱାର୍ଟରରେ ଫେଡେରର୍‌ଙ୍କ ମୁକାବିଲା ଫ୍ରାନ୍‌ସ ତାରକା ଆଦ୍ରିଆନ୍‌ ମାନାରିନୋଙ୍କ ସହ ହେବ। ଶନିବାର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ୍‌ ଡେଲ୍‌ପୋଟ୍ରୋ, ଫ୍ରାନ୍‌ସର ଗାଇଲ୍‌ସ ସିମନ୍‌, ଚେକ୍‌ ଗଣରାଜ୍ୟର ଜାରି ଭାସେଲି, କାନାଡାର ମିଲୋସ୍‌ ରାଓନିକ୍‌ ମଧ୍ୟ ନିଜ ନିଜର ତୃତୀୟ ପର୍ଯ୍ୟାୟ ଅତିକ୍ରମ କରିଛନ୍ତି। ହେଲେ ଗୁରୁବାର ସ୍ଥଗିତ ଥିବା ଏକ ମ୍ୟାଚ୍‌ରେ ଶୁକ୍ରବାର ଚତୁର୍ଥ ମାନ୍ୟତା ଆଲେକ୍‌ଜାନ୍ଦର ଭେରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା ବେଳେ ଶନିବାର ଆଉ ଆଗକୁ ବଢ଼ିପାରିନଥିଲେ। ଜର୍ମାନି ତାରକା ଭେରେଭ୍‌ ୬-୪, ୫-୭, ୬-୭, ୬-୧ ଓ ୬-୨ ସେଟ୍‌ରେ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟ ଅତିକ୍ରମ କରିଥିଲେ ମଧ୍ୟ ଶନିବାର ଲାଟିଭିଆର ଯୋଗ୍ୟତାପର୍ଯ୍ୟାୟ ଖେଳାଳି ଅର୍ନେଷ୍ଟ ଗୁଲ୍‌ବିସ୍‌ଙ୍କ ନିକଟରୁ ହାରି ବିଦାୟ ନେଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ୫ ସେଟ୍‌ ବିଶିଷ୍ଟ ମୁକାବିଲାରେ ଗୁଲ୍‌ବିସ୍‌ ୭-୬, ୪-୬, ୫-୭, ୬-୩ ଓ ୬-୦ରେ ମ୍ୟାଚ୍‌ ଜିତି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଲେ। ରୁଷିଆର କରିନ୍‌ ଖାଚାନୋଭ୍‌ ମଧ୍ୟ ୫ ସେଟ୍‌ ଧରି ସଂଘର୍ଷ କରିବା ପରେ ଆମେରିକାର ଫ୍ରାନ୍‌ସେସ୍‌ ତିଆଫୋଇଙ୍କୁ ପରାସ୍ତ କରିଥିଲେ। ପୂର୍ବତନ ଶୀର୍ଷ ମାନ୍ୟତା ନୋଭାକ୍‌ ଜୋକୋଭିକ୍‌ ମଧ୍ୟ ପ୍ରି-କ୍ୱାର୍ଟର ପହଞ୍ଚିଯାଇଛନ୍ତି। ଶନିବାର ସେ ୪-୬, ୬-୩, ୬-୨ ଓ ୬-୪ ସେଟ୍‌ରେ ବ୍ରିଟେନ୍‌ର କେଲି ଏଡ୍‌ମୁଣ୍ଡ୍‌ଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର