ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ଫେବ୍ରୁଆରି ୬ରୁ

ଭୁବନେଶ୍ବର: ସିଟି କ୍ଲବ୍ ପକ୍ଷରୁ ବିଶିଷ୍ଟ ମହିଳା ଫୁଟ୍‌ବଲ୍ ପ୍ରଶିକ୍ଷକ ନନ୍ଦ କିଶୋର ପଟ୍ଟନାୟକଙ୍କ ସ୍ମୃତିରେ ଅୟୋଜିତ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତା ଫେବ୍ରୁଆରି ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାକୁ ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ୮ଟି ଦଳ ଓଡ଼ିଶା ପୁଲିସ୍‌, କ୍ରୀଡ଼ା ଛାତ୍ରାବାସ, ବିଜୁ ପଟ୍ଟନାୟକ ଫୁଟ୍‌ବଲ୍ ଏକାଡେମି, କଟକର ବିଡ଼ାନାସୀ କ୍ଲବ୍‌, ରାଉରକେଲା, ରାଇରଙ୍ଗପୁର ଓ ବାରିପଦା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବିଜେତାକୁ ୨୦,୦୦୦ ଟଙ୍କା ଏବଂ ଉପ ବିଜେତାକୁ ୧୫,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ପୂର୍ବତନ ମହିଳା ଫୁଟ୍‌ବଲର୍‌ମାନଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯିବ। ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଏହି ପ୍ରତିଯୋଗିତାର ବ୍ରାଣ୍ଡ୍ ଆମ୍ବାସାଡ଼ର ନିଯୁକ୍ତ କରାଯାଇଛି। ଆୟୋଜନ ସମିତି ଅଧ୍ୟକ୍ଷ ଭାବେ ଡକ୍ଟର ସୌର୍ଯ୍ୟରଂଜନ ପରିଜା ରହିଥିବା ବେଳେ ମହମ୍ମଦ ସାହିଦ୍ ଜବାର, ସହଦେବ ରାଉତ, ଭାଗ୍ୟଧର ଜଗଦ୍ଦେବ, ଅଶୋକ ମହାନ୍ତି, ଆର୍‌ କେ ମଣ୍ଡଳ, ଜଲିଲ୍ ଖାନ୍‌, ସମରେନ୍ଦ୍ର ଜେନା ପ୍ରମୁଖ ସଦସ୍ୟ ରହିଛନ୍ତି। ପ୍ରଦୀପ ରାଉତରାୟ, ଅଜିତ୍ ସାମନ୍ତରାୟ, ଅରୁଣ ସାହୁ, ଶୁଭେନ୍ଦୁ ପଣ୍ଡା, ବାବୁ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଶନିବାରର ପ୍ରସ୍ତୁତି‌ ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରତ‌ିଯୋଗିତାର ପ୍ରାୟୋଜକ ହେବାକୁ ଆଗ୍ରହୀ ଅନୁଷ୍ଠାନ ସିଟି କ୍ଲବ୍‌ ସମ୍ପାଦକ ପ୍ରଦୀପ କୁମାର ରାଉତରାୟଙ୍କ ସହ ଯୋଗାଯୋଗ (୯୯୩୭୧ ୯୯୧୧୮) କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର