ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ୨୯ରୁ

ଭୁବନେଶ୍ୱର: ଦ୍ୱିତୀୟ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଏବଂ ମାନସିକ ଦୁର୍ବଳ ପୁରୁଷ ୭-ଏ ସାଇଡ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆସନ୍ତା ୨୯ ତାରିଖରୁ ହାଇଟେକ୍‌ କଲେଜ୍‌ ପଡ଼ିଆରେ ଖେଳାଯିବ। ଏହି ତିନିଦିନିଆ ପ୍ରତିଯୋଗିତା ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ୟୁସିସିଆଇ) ଏବଂ ଲାୟନ୍ସ କ୍ଲବ୍‌ ଇଣ୍ଟରନାସ୍‌ନାଲ୍‌ (ଏଲ୍‌ସିଆଇ)ର ମିଳିତ ସହଯୋଗରେ ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଏବଂ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କାବି) ଆନୁକୂଲ୍ୟରେ ଆୟୋଜିତ ହେବ। ଉଭୟ କ୍ରିକେଟ୍‌ ଏବଂ ଫୁଟ୍‌ବଲ୍‌ରେ ବାଲେଶ୍ୱର, ଭଦ୍ରକ, ଖୋର୍ଧା, ବଲାଙ୍ଗୀର, ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାରୁ ଦଳଗୁଡ଼ିକ ଭାଗ ନେବେ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇ ଓଡ଼ିଶା ସଭାପତି ରମେଶ ମହାପାତ୍ର ସୂଚନା ଦେଇଥିଲେ।
୭ ଜଣ ଲେଖାଏଁ ଖେଳାଳିଙ୍କୁ ନେଇ ଆୟୋଜିତ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ୨ ଗ୍ରୁପ୍‌ରେ ୬ ଦଳ ଭାଗନେବେ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ୍‌ ଖେଳିବେ। ଉଭୟ ମ୍ୟାଚ୍‌ ୩୧ ତାରିଖରେ ଖେଳାଯିବ ବୋଲି ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେହିଭଳି କ୍ରିକେଟ୍‌ରେ ଦୁଇଟି ଗ୍ରୁପ୍‌ରେ ୬ ଦଳ ଭାଗ ନେବେ।

ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ସହ ଖେଳିବେ। ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ୩୧ ତାରିଖ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ପ୍ରଥମ ଥର ଲାଗି ମ୍ୟାଚ୍‌ଗୁଡ଼ିକ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ ବୋଲି କାବି ଓଡ଼ିଶାର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍‌ ମହମ୍ମଦ ଜାଫର ଇକ୍‌ବାଲ୍‌ କହିଛନ୍ତି। ଫୁଟ୍‌ବଲ୍‌ରେ ପୁରୀ, କେନ୍ଦୁଝର, ସୋନପୁର, ବଲାଙ୍ଗୀର, ବରଗଡ଼, ବିଆର୍‌ଏମ୍‌ଏସ୍‌ଏଚ୍‌ଏ ଦଳ ରହିଥିଲା ବେଳେ କ୍ରିକେଟ୍‌ରେ ଭୁବନେଶ୍ୱରର ଦୁଇଟି ଦଳ ଭୁବନେଶ୍ୱର ‘ଏ’ ଓ ‘ବି’, କଟକ, ବାଲେଶ୍ୱର, ଭଦ୍ରକ, ବିଆର୍‌ଏମ୍‌ଏସ୍‌ଏଚ୍‌ଏ ଦଳ ଖେଳିବେ। ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯିବାକୁ ଥିଲା ବେଳେ ସମସ୍ତ ଖେଳାଳିମାନଙ୍କୁ ବ୍ୟବହାର ଉପଯୋଗୀ ସରଞ୍ଜାମ ପ୍ରଦାନ କରାଯିବ ବୋଲି ଏଲ୍‌ସିଆଇ ଡିଷ୍ଟ୍ରିକ୍ଟ ୩୨୨ ସି୪ ଗଭର୍ନର ଗୀତାରାଣୀ ପାଢ଼ୀ ସୂଚନା ଦେଇଥିଲେ। ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତର ଅଧ୍ୟକ୍ଷ କାର୍ତିକେ ସାଇନି ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉଦ୍‌ଯାପନୀ ଦିବସରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ କ୍ରୀଡ଼ା ସଚିବ ବିଶାଳ ଦେବ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ଦେଇଥିବା ନେଇ ୟୁସିସିଆଇ ଉପ ସଭାପତି ଅସିତ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର