ଅକଳରେ ପକାଇଦେଲେ

ଲୋକାୟୁକ୍ତ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଜାରି

ଭୁବନେଶ୍ୱର: କେବେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବ? ଲୋକାୟୁକ୍ତ ନିଯୁକ୍ତି କେବେ? ଏଭଳି ଦାବିରେ ବିରୋଧୀ ଦଳ ଗତକାଲିଠାରୁ ଅଟଳ ରହିଛନ୍ତି। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଏହାର ସାମାନ୍ୟତମ ପ୍ରଭାବ ପଡୁନାହିଁ। ଆଜି ଦ୍ୱିତୀୟ ଦିନ ପାଇଁ ଏହି ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଲାଗି ରହିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ମୂକ ଓ ବଧିର ପାଲଟି ଗଲେଣି ବୋଲି କଟାକ୍ଷ କରିବାକୁ ଭୁଲିନାହାନ୍ତି। ବିଜେପି ମଧ୍ୟ ଗୃହରେ ଅନୁରୂପ ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛି। ଅନ୍ୟପକ୍ଷରେ ଗତ ଦୁଇ ଦିନ ଧରି ବିରୋଧୀ ଏହି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଜବରଦସ୍ତ ଚାପ ସୃଷ୍ଟି କରୁଥିଲେ ହେଁ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିମ୍ବା ସରକାରୀ ଦଳ ମୁଖ୍ୟ ସଚେତକ ମୁହଁ ଖୋଲୁନାହାନ୍ତି। ପ୍ରତି କଥାରେ ସରକାରଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳର ଟାଣୁଆ ବିଧାୟକମାନେ ମଧ୍ୟ ଏହି ଘଟଣାରେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ବାଚସ୍ପତି ମଧ୍ୟ ଏହି ଘଟଣାରେ ଏଯାଏ କୌଣସି ରୁଲିଂ ଦେଇନାହାନ୍ତି। ଏଥିସହିତ ଗତକାଲି ପରି ଆଜି ମଧ୍ୟ ପ୍ରଶ୍ନକାଳ ଠାରୁ ଆରମ୍ଭ କରି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନାହିଁ। ବରଂ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି। ୨୦୧୪ ମସିହାରେ ବିଧାନସଭାରେ ପାରିତ ହୋଇଥିବା ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ସରକାରଙ୍କୁ ହଲାପଟା କଲେଣି ବିରୋଧୀ। ଗତକାଲି ଏହି ପ୍ରସଙ୍ଗ ନେଇ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହରେ ଝଡ଼ ସୃଷ୍ଟି କରିଥିଲେ। ଅପରାହ୍ନରେ କକ୍ଷତ୍ୟାଗ କରି ଚାଲିଯାଇଥିଲେ ବିରୋଧୀ। ଆଜି କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନୂଆ ତରିକାରେ ଏହି ପ୍ରସଙ୍ଗ ଉଠିଥିଲା। ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣାରେ ବସିଯାଇଥିଲେ। ଫଳରେ ବାଚସ୍ପତି ଅକଳରେ ପଡିଯାଇଥିଲେ। ନିଜ ଆସନରେ ଠିଆ ହୋଇ ଧାରଣାରୁ ବିରତ ରହିବାକୁ ଅନୁରୋଧ କରିଥିଲେ ହେଁ, ଏହା ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲା। ଯେହେତୁ ଖୋଦ୍‌ ବିରୋଧୀ ଦଳ ନେତା (ତୃତୀୟ ଥର ପାଇଁ) ଧାରଣାରେ ବସିଥିଲେ, ଏଣୁ ବାଚସ୍ପତି ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସମ୍ମାନ ଦେଇ ସାଢେ ଏଗାରଟା ଯାଏ ଗୃହକୁ ମୁଲତବୀ କରିଥିଲେ। ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। କହିଥିଲେ, ନା ସରକାର ଲୋକପାଳଙ୍କୁ ନିଯୁକ୍ତି ଦେଉଛନ୍ତି ନା ନୂଆ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ପ୍ରକାଶ ପାଉଛି। ଗତକାଲିଠାରୁ ବିରୋଧୀ ଦଳ ଦାବି କରି ଆସୁଛନ୍ତି ଯେ ବାଚସ୍ପତି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଗୃହକୁ ଡାକନ୍ତୁ ଓ ସେ ଏନେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ବିବରଣୀ ରଖନ୍ତୁ। ହେଲେ ବାଚସ୍ପତି ନା ରୁଲିଂ ଦେଉଛନ୍ତି ନା ବିରୋଧୀ ଦଳକୁ ସୁରକ୍ଷା ମିଳୁଛି। ସରକାର ମଧ୍ୟ ଏହି ଘଟଣାରେ ନିରବ ରହିଛନ୍ତି। ବିରୋଧୀ ଦଳ ଚାହୁଁନି, ଗୃହରେ ଅଚଳାବସ୍ଥା ଲାଗି ରହୁ। ମାତ୍ର ସାଧାରଣଲୋକଙ୍କ ସ୍ୱାର୍ଥ ସଂପର୍କିତ ଏହି ପ୍ରସଙ୍ଗକୁ ବି ଛଡାଯାଇପାରିବ ନାହିଁ। ସରକାର ବିରୋଧୀ ଦଳର ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ୍‌ ବୋଲି ଶ୍ରୀ ମିଶ୍ର କହିଥିଲେ।

ଯଦି ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରୁନାହାନ୍ତି, ତେବେ ତୁରନ୍ତ ଲୋକପାଳ ନିଯୁକ୍ତି କରିବା ଦରକାର ବୋଲି ବିରୋଧୀ ଦଳ ନେତା ଦାବି କରିବା ସହିତ ସେ କାର୍ଯ୍ୟାଳୟରେ ବି କର୍ମଚାରୀ ଅଛନ୍ତି ଓ ଦରମା ପାଉଛନ୍ତି ବୋଲି ମନେ ପକାଇ ଦେଇଥିଲେ। ଏଥିସହିତ ଗୃହରେ ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ବାଟ କାଢିବା ଲାଗି ବିରୋଧୀ ଦଳ ନେତା ପରୋକ୍ଷରେ ସୂଚାଇଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଥିଲେ, ଆମେ ନିରବଦ୍ରଷ୍ଟା ହୋଇ ବସିପାରିବୁ ନାହିଁ। ବାଚସ୍ପତି ତୁରନ୍ତ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ। ଗୃହରେ କଣ ଚାଲିଛି, ଓଡ଼ିଶାବାସୀ ଦେଖୁଛନ୍ତି। ତେବେ ବାଚସ୍ପତି କୌଣସି ରୁଲିଂ ଦେବା ପରିବର୍ତ୍ତେ ମୁଲତବୀ ଆଲୋଚନା ଲାଗି ଚାହିଁବାରୁ କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିଥିଲେ ଓ ବିଜେପି ବିଧାୟକ ମଧ୍ୟଭାଗରେ ଧାରଣାରେ ବସିଥିଲେ। ଫଳରେ ବାଚସ୍ପତି ୧୧ଟା ୪୧ରେ ଗୃହକୁ ଦ୍ୱିତୀୟ ଥର ପାଇଁ ୩ଟା ଯାଏ ମୁଲତବୀ ରଖିଥିଲେ। ଅପରାହ୍ଣ ୩ଟାରେ ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୁଣି ଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଲକ୍ଷ୍ୟ କରି ସେ ପଚାରିଥିଲେ, କେତେଦିନ ଧରି ଗୃହ ଏପରି ଚାଲିବ? ବାଚସ୍ପତି ଗୃହ ଚାଲିବା ପାଇଁ ଉଦ୍ୟମ କରନ୍ତୁ। ଅନ୍ତତଃପକ୍ଷେ ଗୃହ ଚଳାଇବା ପାଇଁ ସେ ଉଦ୍ୟମ କରୁଥିବା ନେଇ ବାହାରକୁ ଯେପରି ଜଣାପଡ଼ିବ ବୋଲି ସେ ବ୍ୟଙ୍ଗୋକ୍ତି କରି କହିଥିଲେ। ବାଚସ୍ପତି ଏବଂ ଶାସକ ଦଳ ସଦସ୍ୟମାନଙ୍କ ନିରବତାର ସୁଯୋଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ, ଗରିବ ଲୋକଙ୍କ ପଇସାରେ ବିଧାନସଭା ଚାଲେ। ଦୁଇଦିନ ଧରି ବିଧାୟକମାନେ ଲୋକାୟୁକ୍ତ ବିଲ୍‌ର କାର୍ଯ୍ୟକାରିତା ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଛନ୍ତି। ଗୃହ ଅଚଳ ହୋଇରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ମଧ୍ୟ ଛଅ ଥର ସରକାରଙ୍କୁ ପଚାରିଛନ୍ତି। ସରକାର କିଛି ଉତ୍ତର ଦେଉନାହାନ୍ତି। ବାଚସ୍ପତି ବି ନିରବ ରହିଲେ ଗୃହର ଗାରିମା କ୍ଷୁଣ୍ଣ ହେଉଛି। ଏହା ଦ୍ୱାରା ଶାସକ ଦଳ ବା ବିରୋଧୀ ଦଳ ବିଧାୟକମାନଙ୍କ ସମ୍ମାନ, ସ୍ୱାଭିମାନ ନଷ୍ଟ ହୋଇଯିବ। ଏଭଳି ପରିସ୍ଥିତିରେ ଇତିହାସ ବାଚସ୍ପତିଙ୍କ ଭୂମିକାକୁ ନିନ୍ଦା କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଥିଲେ।

ଏହାସତ୍ତ୍ୱେ ବାଚସ୍ପତି ଶ୍ରୀ ଅମାତ ଗୃହର କାର୍ଯ୍ୟବିଧିକୁ ଯିବା ବୋଲି କହିବାରୁ ବିରୋଧୀ କଂଗ୍ରେସ, ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଆରମ୍ଭ କରିଦେଇଥିଲେ। ହଟ୍ଟଗୋଳ ଯୋଗୁଁ ଗୃହର କାର୍ଯ୍ୟ ବ୍ୟାହତ ହୋଇଥିଲା। ଫଳରେ ତୃତୀୟ ଥର ପାଇଁ ବାଚସ୍ପତି ୩ଟା ୪ ମିନିଟ୍‌ରୁ ଏକ ଘଣ୍ଟା ପାଇଁ ଗୃହକୁ ମୁଲତବୀ କରିଦେଇଥିଲେ। ଅପରାହ୍ଣ ୪ଟା ୪ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ଫିସ୍‌କାଲ୍‌ ରେସ୍‌ପନ୍‌ସିବିଲିଟି ଆଣ୍ଡ ବଜେଟ୍‌ ମ୍ୟାନେଜମେଣ୍ଟ ରିପୋର୍ଟ ଉପସ୍ଥାପନ କରିବାକୁ ଡାକିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। କଂଗ୍ରେସ, ବିଜେପି ସଦସ୍ୟମାନେ ‘ବାଚସ୍ପତିଙ୍କ ରୁଲିଂ ଆମର ଦାବି’, ‘ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ’ ପ୍ରଭୃତି ସ୍ଲୋଗାନ ଦେଇଥିଲେ। ବାଚସ୍ପତି କହିଲେ ଯେ ବଜେଟ୍‌ ଆଲୋଚନା ହେବ। ବିଧାୟକମାନେ ଆଲୋଚନାରେ ଅଂଶଗ୍ରହଣ କରନ୍ତୁ। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ୪ଟା ୬ ମିନିଟ୍‌ରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। ଅପରାହ୍ଣ ଅଧିବେଶନରେ ଗୃହ ମାତ୍ର ଛଅ ମିନିଟ୍‌ ଚାଲିଥିଲା।

ସମ୍ବନ୍ଧିତ ଖବର