ଜାତୀୟ ଭାରୋତ୍ତୋଳନ ଉଦ୍‌ଘାଟିତ: ଓଡ଼ିଶାରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ସମ୍ଭାବନା

ଭୁବନେଶ୍ବର: ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତା ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ରବିାବର ଉଦ୍‌ଘାଟିତ ହୋଇଛି। ଉଦ୍‌ଘ‌ାଟନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା, ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌) ସଭାପତି ସହଦେବ ଯାଦବ, ଭାରତୀୟ ପାରାଲିମ୍ପିକ୍‌ କମିଟି (ପିସିଆଇ) ସଭାପତି ଦୀପା ମଲ୍ଲିକ, କିଟ୍‌ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ଆଇଡବ୍ଲ୍ୟୁଏଲ୍‌ଏଫ୍‌ ସମ୍ପାଦକ ଆନନ୍ଦ ଗୌଡ଼, ଓଡ଼ିଶା ଭରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଏବଂ ସମ୍ପାଦକ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘ ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳାରେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ ଚାଲୁରହିବ। ଯୁବ (ବାଳକ ଓ ବାଳିକା), କନିଷ୍ଠ ଓ ବରିଷ୍ଠ (ମହିଳା ଓ ପୁରୁଷ) ବିଭାଗର ୧୦ ବିଭିନ୍ନ ଓଜନ ବର୍ଗରେ ଖେଳାଳିମାନେ ପଦକ ପାଇଁ ଲଢ଼େଇ କରିବେ। ୫୮ (୪୫ ପୁରୁଷ, ୧୩ ମହିଳା) ବୈଷୟିକ ଅଧିକାରୀ ପ୍ରତିଯୋଗିତାକୁ ପରିଚାଳନା କରୁଛନ୍ତି। ଏଥିରେ ୩୦ ରାଜ୍ୟରୁ ପ୍ରାୟ ୮୦୦ରୁ ଊର୍ଦ୍ଧ୍ବ ଭାରୋତ୍ତୋଳକ ଅଂଶଗ୍ରହଣ କରିଛନ୍ତି।

ଏହି ପ୍ରତିଯୋଗିତାରେ ପ୍ରଥମ ଥର ଅର୍ଥ ରାଶି ପୁରସ୍କାର ରହିଛି। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୧୦,୦୦୦, ୫,୦୦୦ ଓ ୩,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଓଡ଼ିଶାରେ ଆଗାମୀ ସମୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ହେବାର ସମ୍ଭାବନା ରହିଛି ବୋଲି ଉଦ୍‌ଘାଟନୀ ଉତ୍ସବ ଅବସରରେ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ସଭାପତି ଶ୍ରୀ ଯାଦବ ସୂଚନା ଦେଇଥିଲେ। କେବଳ ସହଯୋଗ ନୁହେଁ ଭଲ ଭାବରେ ଏହା କରାଯାଉଥିବାରୁ ଓଡ଼ିଶା ସରକାରଙ୍କୁ ଶ୍ରୀ ଯାଦବ କୃତଜ୍ଞତା ଜଣାଇଥିଲେ। ଏହି ପ୍ରତିଯୋଗିତାରୁ ଖେଳାଳିମାନେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ପଞ୍ଚମ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏଥିସହ ଆଇଡବ୍ଲ୍ୟୁଏଫ୍‌ ଯୁବ ଓ କନିଷ୍ଠ ବିଶ୍ବ ପ୍ରତିଯୋଗିତା ପାଇଁ ମଧ୍ୟ ଏଠାରୁ ଖେଳାଳି ଚୟନ କରାଯିବ।

ସମ୍ବନ୍ଧିତ ଖବର