ଜାତୀୟ ଯୁବ ଦୌଡ଼କୁଦ: ଓଡ଼ିଶାକୁ ଆଉ ୨ ରୌପ୍ୟ

ଭୁବନେଶ୍ବର: ଭୋପାଳରେ ଚାଲିଥିବା ୧୭ତମ ଜାତୀୟ ଯୁବ ଦୌଡ଼କୁଦ (୧୮ ବର୍ଷରୁ କମ୍) ପ୍ରତ‌ିଯୋଗିତାରେ ରବିବାର ଓଡ଼ିଶାକୁ ଦୁଇ ରୌପ୍ୟ ପଦକ ମିଳିଛି। ବାଳକ ୧୦୦ ମିଟର୍ ଦୌଡ଼ରେ ଦଣ୍ଡପତି ଜୟରାମ ୧୦.୯୧ ସେକେଣ୍ଡ୍ ସମୟ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲେ। କେରଳର ଅସଲିନ୍‌ ଆଲେକଜାଣ୍ଡର୍‌ (୧୦.୮୭ ସେକେଣ୍ଡ) ଏବଂ ବେଙ୍ଗଲର ଅଲମାସ କବିର (୧୦.୯୨ ସେକେଣ୍ଡ୍‌) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ୮୦୦ ମିଟର୍‌ ବାଳିକା ଦୌଡ଼ରେ ଓଡ଼ିଶା ପାଇଁ ଲକ୍ଷ୍ମୀପ୍ରିୟା କିଶାନ (୨ ମିନିଟ୍‌ ୧୬.୪୮ ସେକେଣ୍ଡ୍‌) ଝାଡ଼ଖଣ୍ଡର ଆଶକିରଣ ବାର୍ଲାଙ୍କ (୨:୦୮.୪୫) ପଛକୁ ରହି ରୌପ୍ୟ ପଦକ ପାଇଥିଲେ। ହରିୟାଣାର ଆଶା (୨:୧୬.୬୦ ସେକେଣ୍ଡ୍‌) କାଂସ୍ୟ ପଦକ ହାସଲ କରିଥିଲେ। ଏଥି ସହିତ ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶା ୩ ପଦକ ଜିତିଛି। ପ୍ରଥମ ଦିବସରେ ସବିତା ଟୋପ୍ପୋ ୧୦୦ ମିଟର ହର୍ଡଲ୍‌ସ (ବାଧାଦୌଡ଼)ରେ ୧୪.୧୫ ସେ‌କେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ରବିବାର ଲଙ୍ଗଜମ୍ପ୍‌ରେ ଯମୁନା ଟୁଡୁ ଓ ସବିତା ଟୋପ୍ପୋ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମରେ ରହିଥିଲେ। ବାଳକ ୮୦୦ ମିଟର୍‌ ଦୌଡରେ ପଙ୍କଜ ମଣ୍ଡଳ ମଧ୍ୟ ଅଷ୍ଟମ ସ୍ଥାନରେ ରହିଥିଲେ। ସୋମବାର ଏହି ୩ ଦିନିଆ ପ୍ରତିଯୋଗିତା ଶେଷ ହେବ।

ସମ୍ବନ୍ଧିତ ଖବର