ଚଳିତ ହକି ବିଶ୍ୱ ଲିଗ୍ ଫାଇନାଲର ଶେଷ ଲିଗ୍ ମ୍ୟାଚ୍ରେ ପୂର୍ବ ବିଜେତା ନେଦରଲାଣ୍ଡ୍ ମଙ୍ଗଳବାର ଶୋଚନୀୟ ପରାଜୟ ବରଣ କରିଛି। ଆଜି ସଂଧ୍ୟାର ଦ୍ୱିତୀୟ ଲଢ଼େଇରେ ଗତ ସଂସ୍କରଣର ଉପବିଜେତା ବେଲ୍ଜିୟମଠାରୁ ୦-୩ ଗୋଲ୍ରେ ପରାଜିତ ହୋଇଥିଲା। ପ୍ରତିଯୋଗିତାରେ ନେଦରଲାଣ୍ଡର ଏହା ଦ୍ୱିତୀୟ ପରାଜୟ ଥିଲା। ସେପଟେ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲ୍ଜିୟମ ଲଗାତାର ତୃତୀୟ ବିଜୟ ହାସଲ କରିଥିଲା। ପୂର୍ବରୁ ସ୍ପେନ୍ ଏବଂ ଆର୍ଜେଣ୍ଟିନାକୁ ହରାଇଥିବା ଏହି ଦଳ ନେଦରଲାଣ୍ଡ ବିପକ୍ଷ ବିଜୟ ସହ ଏକମାତ୍ର ଦଳ ଭାବେ ପ୍ରତିଯୋଗିତାର ତିନିଟି ଯାକ ମ୍ୟାଚ୍ ଜିତି ନେଲା।
ମଙ୍ଗଳବାରର ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଲ୍ଜିୟମ ନିୟନ୍ତ୍ରଣରେ ରହିଥିଲା। ୬୦ ମିନିଟ୍ର ଖେଳ ଭିତରେ ଏହି ଦଳ ୧୨ ପେନାଲ୍ଟି କର୍ନର ଅର୍ଜନ କରିଥିଲା। ସେଥିମଧ୍ୟରୁ ତିନିଟିକୁ ଗୋଲ୍ରେ ପରିଣତ କରି ବିଜୟର ସ୍ୱାଦ ଚାଖିଥିଲା। ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍ ସ୍କୋରର ଲୋଇକ୍ ଲୁଏପାର୍ଟ ଦୁର୍ଭାଗ୍ୟଜନକ ଭାବେ ଏକ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ୍ କରି ପାରି ନଥିଲେ। ଅନ୍ୟଥା ବେଲ୍ଜିୟମ ୪-୦ରେ ମ୍ୟାଚ୍ ଜିତି ଥାଆନ୍ତା। ବେଲ୍ଜିୟମ ପକ୍ଷରୁ ଲୁଏପାର୍ଟ ଦୁଇଟି (୧୯, ୩୦ ମିନିଟ୍) ଏବଂ ଟମ୍ ବୁନ୍ (୩୨ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ମଙ୍ଗଳବାରର ଦୁଇଟି ଗୋଲ୍ ସହ ଲୁଏପାର୍ଟ ନିଜ ବ୍ୟକ୍ତିଗତ ଗୋଲ୍ ସଂଖ୍ୟା ୭ରେ ପହଞ୍ଚାଇଥିଲେ। ବେଲ୍ଜିୟମର ୨୩ ନମ୍ବର ଖେଳାଳି ଆର୍ଥର ଡି’ ସୁଲଭେର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲା ବେଳେ ନେଦରଲାଣ୍ଡ ଗୋଲ୍ ରକ୍ଷକ ଭାନ ଡର୍ ଭାନ୍ ସାମ୍ ୧୩ ପେନାଲ୍ଟି କର୍ନରକୁ ନିଷ୍ଫଳ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଠେଲାପେଲା ହେଲେ ଖେଳାଳି
ଗତ ପାଞ୍ଚ ଦିନ ହେବ ସୁରୁଖୁରୁରେ ଚାଲିଥିବା ହକି ବିଶ୍ୱ ଲିଗ୍ ଫାଇନାଲରେ ମଙ୍ଗଳବାର ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଥିଲା। ହେଲେ ଦର୍ଶକ ନୁହେଁ ଖେଳାଳି ଏହି କାଣ୍ଡ ଭିଆଇଥିଲେ। ବେଲ୍ଜିୟମ ଓ ନେଦରଲାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଅବସରରେ ଦୁଇ ଦଳର ଖେଳାଳି ଟର୍ଫ ଉପରେ ଏବଂ ଦର୍ଶକଙ୍କ ସମ୍ମୁଖରେ ଠେଲାପେଲା ହୋଇଥିଲେ। ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ମାତ୍ର ଦୁଇ ମିନିଟ୍ ପୂର୍ବରୁ ବଲକୁ ନିୟନ୍ତ୍ରଣକୁ ନେବା ଲାଗି ବେଲ୍ଜିୟମର ୨୬ ନମ୍ବର ଖେଳାଳି ଭିକ୍ଟର େଓ୍ଵଗନେଜ୍ ଏବଂ ନେଦରଲାଣ୍ଡ୍ର ୧୦ ନମ୍ବର ଖେଳାଳି ଭାଲେଣ୍ଟିନ ଭର୍ଗାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ପରେ ଯାହା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। େଓ୍ଵଗନେଜଙ୍କ କହୁଣୀ ଭର୍ଗାଙ୍କ ଦେହରେ ବାଜିବା ପରେ ଉଭୟ ପରସ୍ପରକୁ ଠେଲାପେଲା କରିଥିଲେ। ଅମ୍ପାୟାର ଏବଂ ଦୁଇ ଦଳର ଖେଳାଳିଙ୍କ ହସ୍ତକ୍ଷେପ ପରେ ଯାଇ ମାମଲା ଶାନ୍ତ ପଡ଼ିଥିଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର