ଟେଷ୍ଟ୍‌ କ୍ରିକେଟ୍‌କୁ ନୂଆ ଜୀବନ, ଉନ୍ମୋଚିତ ହେଲା ଆଇସିସି ଟେଷ୍ଟ୍‌ ଚାମ୍ପିଅନସିପ୍

ଆସେସ୍‌ରୁ ଆରମ୍ଭ, ଦୁଇ ବର୍ଷରେ ଖେଳାଯିବ ୭୧ ଟେଷ୍ଟ୍‌

ଦୁବାଇ: ବହୁ ପ୍ରତୀକ୍ଷିତ ‘ଆଇସିସି ଟେଷ୍ଟ୍‌ ଚାମ୍ପିଅନସିପ୍’ର ଶୁଭ ଉନ୍ମୋଚନ ସୋମବାର ହୋଇଯାଇଛି। ଟେଷ୍ଟ୍‌ କ୍ରିକେଟ୍‌ର ବିଶ୍ବକପ୍ ଭାବେ ପରିଗଣିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରତିଦ୍ବନ୍ଦ୍ବିତା ପର୍ବ ଗୁରୁବାରଠାରୁ ଆରମ୍ଭ ହେବ। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ଆସେସ୍ ଶୃଙ୍ଖଳା ଏହି ପ୍ରତିଯୋଗିତା ଅନ୍ତର୍ଗତ ପ୍ରଥମ ଶୃଙ୍ଖଳା ହେବ। ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସାମିଲ ରହିବ। ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଶୃଙ୍ଖଳା ‘ଆଇସିସି ଟେଷ୍ଟ ଚାମ୍ପିଅନସିପ୍’ ଅଧୀନରେ ଖେଳାଯିବ। ଟେଷ୍ଟ୍‌ କ୍ରିକେଟ୍‌କୁ ଅଧିକ ରୋଚକ, ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏବଂ ରୋମାଞ୍ଚକର କରିବା ଲାଗି ଆଇସିସି ଏହି ପ୍ରତିଯୋଗିତା ଆରମ୍ଭ କରିଛି। ଦୁଇ ବର୍ଷ ଧରି ଖେଳାଯିବାକୁ ଥିବା ‘ଆଇସିସି ଟେଷ୍ଟ ଚାମ୍ପିଅନସିପ୍’ରେ ଟେଷ୍ଟ୍‌ ଖେଳୁଥିବା ୧୨ରୁ ୯ ଦେଶ ଯଥା ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜକୁ ଦେଖିବାକୁ ମିଳି‌େବ। ୨୭ ଶୃଙ୍ଖଳାରେ ମୋଟ ୭୧ ଟେଷ୍ଟ୍‌ ଖେଳାଯିବ। ଶେଷରେ ଶୀର୍ଷ ଦୁଇସ୍ଥାନରେ ରହିଥିବା ଦଳକୁ ନେଇ ୨୦୨୧ ଜୁନ୍ ମାସରେ ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ଫାଇନାଲ୍ ଖେଳାଯିବ। ଭାରତ ସେଥିମଧ୍ୟରୁ ୬ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବ। ଘରୋଇ ଏବଂ ବିଦେଶ ଭିତ୍ତିରେ ଭାରତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଫର୍ମଟ୍‌ରେ ୧୮ ଟେଷ୍ଟ୍‌ ଖେଳିବ।

ଶୃଙ୍ଖଳା ପିଛା ୧୨୦ ପଏଣ୍ଟ୍‌
ଆଇସିସି ଟେଷ୍ଟ୍‌ ଚାମ୍ପିଅନସିପ୍‌ରେ ପ୍ରତ୍ୟେକ ଦଳ ଘରେ ଓ ବାହାରେ ଅନ୍ୟୁନ ତିନିଟି ଲେଖାଏଁ ଶୃଙ୍ଖଳା ଖେଳିବେ। ଚାମ୍ପିଅନସିପ୍ ଅନ୍ତର୍ଗତ କେବଳ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯିବ। ଦିବା/ରାତ୍ର ଟେଷ୍ଟ୍‌ର ବ୍ୟବସ୍ଥା ବି ରହିବ। ସେହିଭଳି ପ୍ରତ୍ୟେକ ଶୃଙ୍ଖଳାରେ ୧୨୦ ପଏଣ୍ଟ ମିଳିବ। ଯାହା ‌ସଂପୃକ୍ତ ଶୃଙ୍ଖଳାରେ ଖେଳାଯିବାକୁ ଥିବା ମ୍ୟାଚ୍ ସଂଖ୍ୟାରେ ବିଭକ୍ତ କରାଯାଇ ବି‌ଜୟୀ ଦଳକୁ ତଦନୁଯାୟୀ ପଏଣ୍ଟ୍‌ ମିଳିବ। ଉଦାହରଣ ସ୍ବରୂପ ଦୁଇ ଟିକିଆ ଶୃଙ୍ଖଳାର ପ୍ରତ୍ୟେକ ମ୍ୟାଚ୍‌ରେ ବିଜୟୀ ଦଳ ୬୦ ପଏଣ୍ଟ ଅର୍ଜନ କରିବ। ତିନି ଟିକିଆ ଶୃଙ୍ଖଳାର ପ୍ରତ୍ୟେକ ମ୍ୟାଚ୍‌ରେ ୪୦ ପଏଣ୍ଟ ହାସଲ କରିବାର ବ୍ୟବସ୍ଥା ରହିବ। ମ୍ୟାଚ୍ ଟାଇ ରହିଲେ ସଂପୃକ୍ତ ମ୍ୟାଚ୍‌ରେ ମିଳିବାକୁ ଥିବା ପଏଣ୍ଟ ଦୁଇ ଦଳ‌ ମଧ୍ୟରେ ବଣ୍ଟାଯିବ। ଡ୍ର’ ମ୍ୟାଚ୍‌‌ରେ ପଏଣ୍ଟ୍‌ ବଣ୍ଟନ ୩:୧ ଅନୁପାତରେ ହେବ। ଅର୍ଥାତ୍ ପ୍ରଥମ ପାଳିରେ ଅଗ୍ରଣୀ ଲାଭ କରିଥିବା ଦଳ ୩ ଭାଗ ଏବଂ ପଛୁଆ ଥିବା ଦଳ ଗୋଟିଏ ଭାଗ ପଏଣ୍ଟ୍‌ ପାଇବ। ଫାଇନାଲର ବିଜେତା ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ମୁକୁଟ ଲାଭ କରିବ। ଆଇସିସି ଟେଷ୍ଟ୍‌ ଚାମ୍ପିଅନସିପ୍ ଦ୍ବିପାକ୍ଷିକ ଟେଷ୍ଟ ଶୃଙ୍ଖଳାର ଗୁରୁତ୍ବ ବଢ଼ାଇବ। ବିଶ୍ବକପ୍ ଭଳି ଏହା ଟେଷ୍ଟ୍‌ କ୍ରିକେଟ୍‌ର ସର୍ବୋଚ୍ଚ ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାକୁ ବର୍ତମାନର ବହୁ କ୍ରିକେଟରଙ୍କ ସହ ପୂର୍ବତନ କ୍ରିକେଟରମାନେ ମଧ୍ୟ ସ୍ବାଗତ କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଏହାକୁ ଦୃଢ଼ ସମର୍ଥନ ଦେଇଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ ହିଁ ଅସଲ କ୍ରିକେଟ୍ ହୋଇଥିବାରୁ ଏଭଳି ଏକ ପ୍ରତିଯୋଗିତାକୁ ସବୁ ଦଳ ଜିତିବାକୁ ଭରପୁର ଚେଷ୍ଟା କରିବେ ବୋଲି ଇଂଲଣ୍ଡର ଅଗ୍ରଣୀ ଟେଷ୍ଟ୍‌ ୱିକେଟ୍ ସଂଗ୍ରହକାରୀ ଜେମ୍ସ ଆଣ୍ଡରସନ୍ କହିଛନ୍ତି।

ସମ୍ବନ୍ଧିତ ଖବର