ଦିବାରାତ୍ର ଟେଷ୍ଟ୍‍ରେ ନ୍ୟୁଜିଲାଣ୍ଡ୍‌ ବିଜୟୀ

ଇଂଲଣ୍ଡ ପାଳି ଓ ୪୯ ରନ୍‌ରେ ହାରିଲା

ଅକ୍‌ଲାଣ୍ଡ୍‌: ଇଂଲଣ୍ଡ ବିପକ୍ଷ ଦିବାରାତ୍ର ବିଶିଷ୍ଟ ପ୍ରଥମ ଟେଷ୍ଟ୍‍କୁ ଘରୋଇ ନ୍ୟୁଜିଲାଣ୍ଡ୍‌ ଏକ ପାଳି ଓ ୪୯ ରନ୍‌ରେ ଜିତି ନେଇଛି। ଦୁଇ ଦିନର ବର୍ଷା ବାଧା ସତ୍ତ୍ୱେ ପ୍ରଥମ ପାଳିରେ ମାତ୍ର ୫୮ ରନ୍‌ କରି ଲଜ୍ଜିତ ହୋଇଥିବା ଇଂଲଣ୍ଡକୁ ଶେଷକୁ ପରାଜୟ ବରଣ କରିବାକୁ ପଡ଼ିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ୍‌ ମଧ୍ୟ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି।
ଇଂଲଣ୍ଡର ୫୮ ରନ୍‌ ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ପାଳିକୁ ୪୨୭/୮ରେ ଘୋଷଣା କରିଥିଲା। ସୋମବାର ଇଂଲଣ୍ଡ ୧୩୨/୩ରୁ ଖେଳ ଆରମ୍ଭ କରି ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୩୨୦ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ମାର୍କ ଷ୍ଟୋନ୍‌ମ୍ୟାନ୍‌ (୫୫), ଜୋ ରୁଟ୍‌ (୫୧), ବେନ୍‌ ଷ୍ଟୋକ୍‌ସ (୬୬) ଏବଂ କ୍ରିସ୍‌ ଓ୍ଵକ୍‌ସ (୫୨) କେବଳ ଅର୍ଧଶତକ ହାସଲ କରିପାରିଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଟ୍ରେଣ୍ଟ୍‌ ବୋଲ୍‌ଟ, ନିଲ୍‌ ଓ୍ଵାଗ୍‌ନର୍‌ ଏବଂ ଟଡ୍‌ ଆସ୍‌ଲେ ପ୍ରତ୍ୟେକ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ପଞ୍ଚମ ଦିବସ ଚା’ପାନ ବିରତି ପରେ ୪ ଓ୍ଵିକେଟ୍‌ ହରାଇ ଇଂଲଣ୍ଡ ପାଳି ବ୍ୟବଧାନରେ ହାରିଯାଇଥିଲା। ମ୍ୟାଚ୍‌ରେ ମୋଟ ୯ ଓ୍ଵିକେଟ୍‌ ନେଇଥିବା ଟ୍ରେଣ୍ଟ୍‌ ବୋଲ୍‌ଟ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୫୮ (କ୍ରେଗ୍‌ ଓଭରର୍ଟନ୍‌-୩୩*, ଟ୍ରେଣ୍ଟ ବୋଲ୍‌ଟ-୬/୩୨, ଟିମ୍‌ ସାଉଦି-୪/୨୫)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୧୪୧ ଓଭରରେ ୪୨୭/୮, ଘୋଷିତ (କେନ୍‌ ଓ୍ଵିଲିୟମ୍‌ସନ୍‌-୧୦୨, ହେନରି ନିକଲ୍‌ସ-୧୪୫*, ବିଜେ ଓ୍ଵାଟଲିଙ୍ଗ୍‌-୩୧, ଟିମ୍‌ ସାଉଦି-୨୫, ଗ୍ରାଣ୍ଡହୋମ୍‌-୨୯, ଷ୍ଟୁଆର୍ଟ ବ୍ରଡ୍‌-୩/୭୮, ଜେମ୍‌ସ ଆଣ୍ଡର୍‌ସନ୍‌-୩/୮୭)। ଇଂଲଣ୍ଡ ଦ୍ୱିତୀୟ ପାଳି: ୧୨୬.୧ ଓଭରରେ ୩୨୦ (ମାର୍କ ଷ୍ଟୋନ୍‌ମ୍ୟାନ୍‌-୫୫, ଜୋ ରୁଟ୍‌-୫୧, ବେନ୍‌ ଷ୍ଟୋକ୍‌ସ-୬୬, କ୍ରିିସ୍‌ ଓ୍ଵକ୍‌ସ-୫୨, ଟଡ୍‌ ଆସ୍‌ଲେ-୩/୩୯, ଟ୍ରେଣ୍ଟ ବୋଲ୍‌ଟ-୩/୬୭, ନିଲ୍‌ ଓ୍ଵାଗ୍‌ନର-୩/୭୭)।

ସମ୍ବନ୍ଧିତ ଖବର