ଓସିଏ ସମ୍ବିଧାନ ବିବାଦ: ଗୁପ୍ତ ବୈଠକ ଡାକିଲେ ଆଶୀର୍ବାଦ

କ୍ଲବ୍‌ଗୁଡ଼ିକ ଉପରେ ମତାମତ ନିଆଯିବ O ବୈଠକ ନୁହେଁ, ଅନୌପଚାରିକ ବନ୍ଧୁମିଳନ: ଆଶୀର୍ବାଦ

କଟକ: ଓସିଏ (ଓଡ଼ିଶା କ୍ରିକେଟ୍‌ ସଂଘ) ସମ୍ବିଧାନରେ କ୍ଲବ୍‌ମାନଙ୍କୁ ସାମିଲ କରାଯିବା ଉଚିତ୍‌ କି ନୁହେଁ? ଯଦି ସାମିଲ କରାଯିବ ତାହେଲେ କେବଳ କଟକର କ୍ଲବ୍‌ କାହିଁକି, ସବୁ ଜିଲ୍ଲାରୁ କ୍ଲବ୍‌ଗୁଡ଼ିକୁ ସାମିଲ କରାଯାଉ। ଏଭଳି ଏକାଧିକ ବିଷୟ ଉପରେ ଆଲୋଚନା କରିବାକୁ ଶୁକ୍ରବାର ଓସିଏର ଅନୁବନ୍ଧିତ ଜିଲ୍ଲାଗୁଡ଼ିକୁ ନେଇ ଏକ ଗୁପ୍ତ ବୈଠକ ଡକାଯାଉଛି। ଏହି ବୈଠକକୁ କୌଣସି ସ୍କୁଲ୍‌, କଲେଜ କିମ୍ବା କ୍ଲବ୍‌ଗୁଡ଼ିକୁ ଡକାଯାଇନଥିବା ବେଳେ ଯେଉଁ ଜିଲ୍ଲାମାନେ ବିରୋଧୀ ଗୋଷ୍ଠୀଙ୍କ ସହ ହାତ ମିଶାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ବୈଠକରୁ ଦୂରେଇ ରଖାଯାଉଥିବା ଜଣାପଡ଼ିଛି। ଓଡ଼ିଶା କ୍ରିକେଟର କ୍ଷମତାକେନ୍ଦ୍ର କୁହାଯାଉଥିବା ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ବ୍ୟକ୍ତିଗତ ଭାବେ ଏହି ବୈଠକ ପାଇଁ ସମସ୍ତ ଜିଲ୍ଲାର ସମ୍ପାଦକମାନଙ୍କୁ ଫୋନ୍‌ ଜରିଆରେ ନିମନ୍ତ୍ରଣ କରିଛନ୍ତି।

ହେଲେ ବୈଠକ କେଉଁଠାରେ କରାଯିବ ତାହାକୁ ଗୁପ୍ତ ରଖାଯାଇଥିଲା ବେଳେ ଆସନ୍ତାକାଲି ଏ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ସେମାନଙ୍କୁ ଅବଗତ କରାଯାଇଛି। ତଥାପି ପ୍ରାଥମିକ ପର୍ଯ୍ୟାୟରେ ବୈଠକକୁ ଓସିଏ କ୍ଲବ୍‌ରେ କରାଯିବାକୁ ଯୋଜନା ହୋଇଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଚହଟାସ୍ଥିତ ଏକ ତାରକା ହୋଟେଲ୍‌ରେ ଆୟୋଜନ କରାଯାଉଥିବା ଜଣାପଡ଼ିଛି। ହେଲେ ଏହି ବୈଠକ ଖବରକୁ ଆଶୀର୍ବାଦ ବେହେରା ସମ୍ପୂର୍ଣ୍ଣ ରୂପେ ଖଣ୍ତନ କରିଛନ୍ତି। କାହାକୁ ବିରୋଧ କରି ବୈଠକ ଡକାଯାଉନଥିବା ସେ କହିଥିଲା ବେଳେ ଏହା ଏକ ବନ୍ଧୁମିଳନ ବୋଲି ଆଶୀର୍ବାଦ କହିଛନ୍ତି। ଦୀର୍ଘ ବର୍ଷ ଧରି ଜିଲ୍ଲାଗୁଡ଼ିକ ସହ ସମ୍ପର୍କ ଥିବାରୁ ଏକ ବନ୍ଧୁମିଳନରେ ଏକାଠି ହେବା ପାଇଁ ଶୁକ୍ରବାର ସମସ୍ତଙ୍କୁ ଡକାଯାଇଥିବା ସେ ସୂଚନା ଦେଇଛନ୍ତି। କିନ୍ତୁ କ୍ଲବ୍‌, ସ୍କୁଲ୍‌ ଓ କଲେଜଗୁଡ଼ିକୁ ଡକାନଯିବା ବିଷୟରେ ସେ ଚୁପ୍‌ ରହିଛନ୍ତି। ତେବେ ଦୁଇଦୁଇ ଥର ଅସନ୍ତୁଷ୍ଟ ଗୋଷ୍ଠୀମାନେ ଏକାଠି ହୋଇ ବିଦ୍ରୋହର ସ୍ବର ଉଠାଇବା ପରେ ଆଶୀର୍ବାଦଙ୍କ ଏହି ଗୁପ୍ତ ବୈଠକକୁ ନେଇ ଓସିଏ ସଦସ୍ୟଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବିସିସିଆଇ ପ୍ରଶାସନିକ ସମିତି କ୍ଲବ୍‌ମାନଙ୍କ ତାଲିକା ମାଗିଥିଲେ ବି ଏପର୍ଯ୍ୟନ୍ତ ଓସିଏ ପକ୍ଷରୁ ଏହା ଦିଆଯାଇନାହିଁ। ଶୁକ୍ରବାରର ବୈଠକ ପରେ କେବଳ ସ୍ବୀକୃତିପ୍ରାପ୍ତ କ୍ଲବ୍‌ଗୁଡ଼ିକ ତାଲିକା ନା ଅନ୍ୟ ଜିଲ୍ଲାଗୁଡ଼ିକର କ୍ଲବ୍‌ ତାଲିକା ପଠାଯିବ ତାହା ଉପରେ ନିଷ୍ପତ୍ତି ହେବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ତଥାପି ବୈଠକର ଆଲୋଚନା ଓ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ଗୋଷ୍ଠୀମାନେ ମଧ୍ୟ ନଜର ରଖିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର