ଓସିଏ ଘରୋଇ ପ୍ରତିଯୋଗିତା ଅନିର୍ଦିଷ୍ଟ କାଳ ଘୁଞ୍ଚିଲା:ନିର୍ବାଚନ ପାଇଁ ପଡ଼ିଆ ମିଳୁନି: ଓସିଏ

ଅନୁଦାନ ନଥିବାରୁ ଜିଲ୍ଲା ସଂଘ ଅମଙ୍ଗ ନା ସଦସ୍ୟତା ପ୍ରସଙ୍ଗର ପ୍ରତିଫଳନ?

କଟକ: ଓଡ଼ିଶା କ୍ରିକେଟ୍‌ ସ˚ଘର ଘରୋଇ ପ୍ରତିଯୋଗିତାକୁ ଅନିର୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଚଳିତ ସାଧାରଣ ନିର୍ବାଚନ ପାଇଁ କିଛି ପଡ଼ିଆ ଉପଲବ୍ଧ ହେବନି ବୋଲି ଓସିଏ ଏହାକୁ ଘୁଞ୍ଚାଇ ଦେଉଥିବା କହିଛି। ତେବେ ଅନ୍ତଃଜିଲ୍ଲା ପ୍ରତିଯୋଗିତା ବାତିଲ କରାଯିବା ପଛରେ ଭିନ୍ନ କାରଣ ରହିଥିବା ଚର୍ଚ୍ଚା ହେଉଛି। ୪ବର୍ଷ ହେଲାଣି ଜିଲ୍ଲା ସଂଘଗୁଡ଼ିକୁ ଅନୁଦାନ ମିଳିନଥିବାରୁ ଏଥର ଦଳ ପଠାଇବାରେ ଯେଉଁ ଖର୍ଚ୍ଚ ହେବ ତାହାକୁ କିଏ ଭରଣା କରିବ ବୋଲି କେତେକ ଜିଲ୍ଲା ପକ୍ଷରୁ ପ୍ରଶ୍ନ କରାଯାଇଛି। ଅନ୍ୟପକ୍ଷରେ ମ୍ୟାଚ୍‌ଗୁଡ଼ିକ କେବଳ କଟକରେ ଆୟୋଜିତ ହେବାକୁ ଥିବାରୁ ଏଠାକାର ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କ ସହିତ ଓସିଏ ପୂର୍ବରୁ କରିଥିବା ବିଶ୍ବାସଘାତକତାର ଏହା ପରିଣାମ ବୋଲି କୁହାଯାଉଛି। ନୂଆ ସମ୍ବିଧାନରେ ଏମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ ବାଦ୍‌ ଦେବାରୁ ଏନେଇ ମାମଲା ଏବେ ଅଦାଲତକୁ ଯାଇଛି। ବିଭିନ୍ନଆଡୁ ଚାପ ପଡ଼ିବା ପରେ ଶେଷରେ ଓସିଏ, ସ୍କୁଲ୍‌, କଲେଜ ଓ କ୍ଲବ୍‌ଗୁଡ଼ିକୁ ସଦସ୍ୟତା ଦେଇଛି। କିନ୍ତୁ ପୁରୁଣା ବିଶ୍ବାସଘାତକତାର ପରିଣାମ ସ୍ବରୂପ ଏବେ କିଛି ପଡ଼ିଆ କର୍ତୁପକ୍ଷ ଓସିଏକୁ ପ୍ରଥମେ ମ୍ୟାଚ୍‌ ଆୟୋଜନ ଖର୍ଚ୍ଚ ମାଗିଛନ୍ତି। ଯାହାକୁ ଦେବା ପାଇଁ ଓସିଏ ଅସମର୍ଥ ହେବାରୁ ଉକ୍ତ ପଡ଼ିଆଗୁଡ଼ିକରେ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ କରିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଛି। ଏପରିସ୍ଥିତିରେ କେବଳ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଓସିଏ ଯେଣତେଣ ପ୍ରକାରେ ପ୍ରତିଯୋଗିତାକୁ ଘୁଞ୍ଚାଇବା ବାହାନା କରୁଥିବା ବେଳେ ଏହାପରେ ଚିତ୍ର କେଉଁ ଆଡ଼କୁ ବଦଳୁଛି ତାହାକୁ ଅପେକ୍ଷା କରିବାକୁ ହେବ।
ଗତ ଜାନୁଆରି ୨୦ ତାରିଖରେ ବସିଥିବା ଓସିଏ ପରିଚାଳନା ସମିତି ବୈଠକ ଅନୁଯାୟୀ, ଏପ୍ରିଲ ୨ରୁ ୧୬ ବର୍ଷରୁ କମ୍‌, ୧୫ରୁ ୧୯ ବର୍ଷରୁ କମ୍‌, ୨୦ରୁ ମହିଳା ଓ ୨୫ ତାରିଖରୁ କଳାହାଣ୍ତି କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ ପାଇଁ ଘୋଷଣା କରାଯାଇଥିଲା। ଏଥିସହିତ ପ୍ରବେଶିକା ଦେୟ ଓ ଦଳର ଗସ୍ତ ଖର୍ଚ୍ଚ ସ˚ପୃକ୍ତ ଜିଲ୍ଲା ବହନ କରିବ ବୋଲି କୁହାଯାଇଥିଲା। ଏହାକୁ ନେଇ କେତେକ ଜିଲ୍ଲା ସେତେ ବେଳେ ଅମଙ୍ଗ ହୋଇଥିଲେ। ୪ବର୍ଷ ହେଲାଣି ଅନୁଦାନ ମିଳିନଥିବାରୁ ଦୁଇ ବର୍ଷ ହେଲା ହାତରୁ ଖର୍ଚ୍ଚ କରି ଚୟନ ଶିବିର ଆୟୋଜନ କରାଯାଇଛି। ନିଜସ୍ବ ଖର୍ଚ୍ଚରେ ଖେଳାଳିମାନଙ୍କୁ କଟକ ପଠାଯାଉଛି। ହେଲେ ସେ ଖର୍ଚ୍ଚର ଟଙ୍କା ଜିଲ୍ଲାସଂଘ ଫେରିପାଇବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଖାସ୍‌ ଏଥିପାଇଁ ୪ଟି ଘରୋଇ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବା କେତେକ ଜିଲ୍ଲା ପକ୍ଷେ ଅସମ୍ଭବ ବୋଲି ଓସିଏକୁ ଜଣାଇ ଦେଇଛନ୍ତି।
କେବଳ ଏତିକି ନୁହେଁ, କଟକର ଯେଉଁ ପଡ଼ିଆଗୁଡ଼ିକରେ ଅନ୍ତଃଜିଲ୍ଲା ଆୟୋଜନ ହୋଇଥାଏ, ସେଥିମଧ୍ୟରୁ ଅଧିକା˚ଶ ସରକାରୀ ପଡ଼ିଆ। ହେଲେ ଗତ ୪ ବର୍ଷ ହେଲାଣି ସେମାନଙ୍କୁ କୌଣସି ଅନୁଦାନ ମିଳି ନଥିବା ବେଳେ, ପଡ଼ିଆର ଉନ୍ନୟନ କାର୍ଯ୍ୟ ପାଇଁ ମଧ୍ୟ ଓସିଏ କିଛି ଖର୍ଚ୍ଚ କରିନାହିଁ। ତେଣୁ ଆନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ ବେଳେ ଟେଣ୍ଟ୍‌, ଚେୟାର, ସ୍କୋରର୍‌, ଅମ୍ପାୟାରଙ୍କ ଖାଇବା ଖର୍ଚ୍ଚକୁ ସ˚ପୃକ୍ତ ପଡ଼ିଆ କର୍ତୁପକ୍ଷ ବହନ କରିଆସୁଛନ୍ତି। ହେଲେ ସରକାରୀ ପଡ଼ିଆ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଖର୍ଚ୍ଚର ବିବରଣୀ ଦେଖାଯାଉଥିଲେ ବି ଆୟ କିଛି ନାହିଁ। ତେଣୁ ଯେପର୍ଯ୍ୟନ୍ତ ଖର୍ଚ୍ଚ ଟଙ୍କା ମିଳିନାହିଁ, ସ˚ପୃକ୍ତ ସରକାରୀ ପଡ଼ିଆଗୁଡ଼ିକରେ ଓସିଏର ପ୍ରତିଯୋଗିତା ଆୟୋଜନ କରାଇ ନ ଦେବାକୁ କେତେକ ରୋକ୍‌ଠୋକ୍‌ ଓସିଏକୁ ଜଣାଇଦେଇଛନ୍ତି। ଏହା ସମ୍ବିଧାନ ସଦସ୍ୟତା ପ୍ରସଙ୍ଗର ଏକ ପ୍ରତିଫଳନ ବୋଲି ମଧ୍ୟ କେତେକ କହୁଛନ୍ତି। ଏହା ସତ୍ତ୍ବେ ନିର୍ବାଚନ ପରେ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଆୟୋଜନ କରାଯାଇପାରିବ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏପ୍ରିଲ ୨୫ ତାରିଖ ପରେ ବୈଠକ ଡକାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର