ଓଡ଼ିଶା ୧୦୧, ଝାଡ଼ଖଣ୍ଡକୁ ପାଳି ଅଗ୍ରଣୀ

ବିଜୟ ମର୍ଚାଣ୍ଟ ଟ୍ରଫି ଦ୍ୱିତୀୟ ଦିବସ

କଟକ: ଜାମସେଦପୁରରେ ଚାଲିଥିବା ୧୬ ବର୍ଷରୁ କମ୍‌ ବିଜୟ ମର୍ଚାଣ୍ଟ ଟ୍ରଫିରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଝାଡ଼ଖଣ୍ଡର ୧୭୭ ରନ୍‌ ଜବାବରେ ଓଡ଼ିଶା ପ୍ରଥମ ପାଳିରେ ମାତ୍ର ୧୦୧ ରନ୍‌ରେ ସୀମିତ ରହିଗଲା। ଫଳରେ ୭୬ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ନେଇସାରିଥିବା ଝାଡ଼ଖଣ୍ଡ ଦ୍ୱିତୀୟ ପାଳିରେ ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୨ ଓ୍ଵିକେଟ୍‌ ବିନିମୟରେ ୧୨୪ ରନ୍‌ କରିସାରିଛି। ଏଥି ସହିତ ଘରୋଇ ଦଳ ଏବେ ୨୦୦ ରନ୍‌ ଆଗରେ ରହିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୪/୧ରୁ ଓଡ଼ିଶା ଦ୍ୱିତୀୟ ଦିନ ଖେଳ ଆରମ୍ଭ କରିଥିଲା। କିନ୍ତୁ ନିୟମିତ ଅନ୍ତରାଳରେ ଦଳ ଓ୍ଵିକେଟ୍‌ ହରାଇଥିଲା। ଅନେ୍ଵଶ ତ୍ରିପାଠୀ ୨୧, ପ୍ରତ୍ୟୁଷ ପ୍ରଧାନ ୧୩, କେଭିନ୍‌ ଖ୍ରୀଷ୍ଟୋଫର୍‌ ୧୦, ସୁଶୀଲ ବାରିକ ୩୦ ରନ୍‌ କରିଥିଲେ। ଝାଡ଼ଖଣ୍ଡର ସଫଳ ବୋଲର ଭାବେ ମନିଷି ୬ ଓ ମୋହିତ କୁମାର ରାଏ ୨ ଓ୍ଵିକେଟ୍‌ ନେଇଥିଲେ। ଅଗ୍ରଣୀ ପାଇବା ପରେ ଦ୍ୱିତୀୟ ପାଳିରେ ଝାଡ଼ଖଣ୍ଡ ମଧ୍ୟ ପ୍ରଥମରୁ ଓ୍ଵିକେଟ ହରାଇଥିଲା। ଝାଡ଼ଖଣ୍ଡ ଦ୍ୱିତୀୟ ପାଳିରେ ପରମିତ ସିଂହ ମାତ୍ର ୧ ଓ ଅଙ୍କିତ ମାତ୍ର ୮ ରନ୍‌ କରି ଯଥାକ୍ରମେ ଶୁଭମ୍‌ଶ୍ରୀ ଓ ସୁରଜ ବେହେରାଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଆର୍ଯ୍ୟନ ହୁଦା ଓ କୁମାର କୁଶାଗ୍ର ଅର୍ଧଶତକ ଅର୍ଜନ କରିବା ସହ ତୃତୀୟ ଓ୍ଵିକେଟରେ ୯୫ ରନ୍‌ ଯୋଗ କରିସାରିଲେଣି।

ସମ୍ବନ୍ଧିତ ଖବର