ଓଡ଼ିଶା ଶେଷରେ ଜମ୍ମୁ କଶ୍ମୀରକୁ ହରାଇଲା

ମହିଳା ଦିନିକିଆ କ୍ରିକେଟ୍‌

କଟକ: ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟକୁ ଓଡ଼ିଶା ଉନ୍ନୀତ ହୋଇଛି। ବୋସ୍‌ ପଡ଼ିଆରେ ଶେଷ ହୋଇଥିବା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ଓଡ଼ିଶା ୫ ଵିକେଟ୍‌ରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି। ଫଳରେ ଏଲିଟ୍‌ ଗ୍ରୁପ୍‌ ସି’ରୁ ଓଡ଼ିଶା ସହିତ ହିମାଚଳ ପ୍ରଦେଶ (୩୨) ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଛି। ଓଡ଼ିଶା ୮ ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ ୨୦ ପଏଣ୍ଟ୍‌ ପାଇଥିଲା। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମଧ୍ୟ ସମାନ ସ˚ଖ୍ୟାକ ପଏଣ୍ଟ୍‌ ପାଇଥିବାରୁ ଦୁଇ ଦଳଙ୍କ ମଧ୍ୟରେ ବରାବର ସ୍ଥିତି ରହିଥିଲା। କିନ୍ତୁ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ ଉତ୍ତରପ୍ରଦେଶକୁ ହରାଇଥିବାରୁ ନକ୍‌ଆଉଟ ଯୋଗ୍ୟତା ପାଇଥିଲା। ଲିଗ୍‌ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଆସାମ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜମ୍ମୁ କଶ୍ମୀର ବିପକ୍ଷରେ ଓଡ଼ିଶା ବିଜୟୀ ହୋଇଥିଲା ବେଳେ ହାଇଦ୍ରାବାଦ, ଝାଡ଼ଖଣ୍ତ ଓ ହିମାଚଳ ପ୍ରଦେଶଠୁ ପରାସ୍ତ ହୋଇଥିଲା।
ଗୁରୁବାର ବୋସ୍‌ ପଡ଼ିଆରେ ଟସ୍‌ ଜିତି ବ୍ୟାଟି˚ ନେଇଥିବା ଜମ୍ମୁ କଶ୍ମୀର ଦଳ ୧୯.୧ ଓଭରରେ ସମସ୍ତ ଵିକେଟ ହରାଇ ୪୫ ରନ୍‌ କରିଥିଲା। ରୁବିୟା ସୟଦ ୧୦ ରନ୍‌ କରିଥିଲା ବେଳେ ଅନ୍ୟମାନେ ୫ ରନ୍‌ ଉପରକୁ ଉଠି ପାରିନଥିଲେ। ଘରୋଇ ଦଳର ସୁଜାତା ମଲ୍ଲିକ ୪ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩ ଵିକେଟ୍‌ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୀମାଲକ୍ଷ୍ମୀ ଏକ୍କା ଓ ମଧୁସ୍ମିତା ବେହେରା ଗୋଟିଏ ଵିକେଟ ଲେଖାଏଁ ପାଇଥିଲେ। ତେବେ ୪୬ ରନ୍‌ର ସହଜ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ୫ ଵିକେଟ ହରାଇଥିଲା। ତେବେ ୭.୪ ଓଭରରେ ମ୍ୟାଚ୍‌କୁ ଜିତିଥିଲା। ପ୍ରଜ୍ଞା ପାରମିତା ମହାନ୍ତି ୬, ମଧୁସ୍ମିତା ବେହେରା ୫, ମାଧୁରୀ ମେହେଟ୍ଟା ୧, ସୁଶ୍ରୀ ଦିବ୍ୟଦର୍ଶିନୀ ୧, ସରିତା ମେହେର ୨ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ କାଦମ୍ବିନୀ ମହାକୁଡ଼ ୪ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ୧୪ ରନ୍‌ର ଅପରାଜିତ ପାଳି ଯୋଗୁଁ ଓଡ଼ିଶା ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର