ଡୁ ପ୍ଲେସିସ୍‌ଙ୍କ ପରାମର୍ଶ ନେଇ ଓଡ଼ିଶା ଆସୁଛନ୍ତି ବାକ୍ସଟର୍‌, ଯୁବ ଖେଳାଳିଙ୍କ ଭରସା

ଭୁବନେଶ୍ବର: ଭୁବନେଶ୍ବରର ଆଇଏସ୍‌ଏଲ୍ ଦଳ ଓଡ଼ିଶା ଏଫ୍‌ସିର ନୂଆ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଦକ୍ଷିଣ ଆଫ୍ରିକାର ଷ୍ଟୁଆର୍ଟ ବାକ୍ସଟର୍‌ ନୂଆ ଆଶା ଦେଖାଇଛନ୍ତି। ଏକାଧିକ ଦେଶର ପ୍ରଶିକ୍ଷକ ଦାୟିତ୍ବ ତୁଲାଇ ସାରିଥିବା ବକ୍ସଟରଙ୍କ ଅଭିଜ୍ଞତା ଓ ଆତ୍ମବିଶ୍ବାସ ବଳରେ ଓଡ଼ିଶା ଏଫ୍‌ସି ଆଗକୁ ବଢ଼ିବ ବୋଲି ଆଶା ରଖିଛି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବାକ୍ସଟର୍‌ ମଧ୍ୟ ଓଡ଼ିଶା ଏଫ୍‌ସିକୁ ଆଇଏସ୍‌ଏଲ୍‌ର ସପ୍ତମ ଋତୁରେ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରାଇବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଏଫ୍‌ସି ସହ ଯୋଡ଼ିହେବା ପରେ ନିଜର ପ୍ରଥମ ସାକ୍ଷାତକାରରେ ବାକ୍ସଟର୍‌ ମଧ୍ୟ ଏକାଧିକ ପ୍ରସଙ୍ଗରେ ମତ ରଖିଥିଲେ।

ଯୁବ ଖେଳାଳିଙ୍କ ଭରସା
ଯୁବ ଖେଳାଳିଙ୍କ ଉପରେ ନିଶ୍ଚିତ ଭରସା କରାଯିବ। କ୍ଲବ୍‌ରେ ଏକ ସଂସ୍କୃତି ବିକଶିତ ଥିବ ବୋଲି ମୋର ବିଶ୍ବାସ। ପ୍ରଶିକ୍ଷଣ, ଦଳୀୟ ଭାବନା, ବୁଝାମଣା ଓ କ୍ଲବ୍‌ ପ୍ରତି ଦାୟିତ୍ବବୋଧତା ରହିଥିବା ଆବଶ୍ୟକ। ଯୁବ ଖେଳାଳିଙ୍କ ସହ କିଛି ଅଭିଜ୍ଞ ଖେଳାଳି ମଧ୍ୟ ରହିବେ। ମୁଁ ସମସ୍ତଙ୍କ ସହ କଥା ହେବା ପରେ ଦଳର ବିଭିନ୍ନ ପ୍ରକୃତି ଓ ଆହ୍ବାନକୁ ପରଖିବି। ଯୁବ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସେଭଳି କିଛି ନିର୍ଦ୍ଧିଷ୍ଟ ପଦ୍ଧତି ନାହିଁ। ସେମାନଙ୍କୁ କିନ୍ତୁ ତୁରନ୍ତ ଶିଖିବାକୁ ହେବ। ଅଭିଜ୍ଞ ଖେଳାଳି ହେବାକୁ ସେମାନଙ୍କୁ ୪୦୦ ମ୍ୟାଚ୍‌ ଖେଳିବାର ଆବଶ୍ୟକତା ନାହିଁ। କିନ୍ତୁ ଏସବୁ ସେମାନଙ୍କ ମନୋଭାବ ଉପରେ ନିର୍ଭର କରିବ। କିନ୍ତୁ ଖେଳାଳିଙ୍କ ଷ୍ଟାଇଲ୍‌କୁ ସେ ବଦଳାଇବାକୁ ଚେଷ୍ଟା କରିବେ ନାହିଁ ବୋଲି ବକ୍ସଟର୍ କହିଛନ୍ତି।

ଆଇଏସ୍‌ଏଲ୍‌ ଧାରଣା
ଆଇଏସଏଲ୍‌ରେ ଖେଳିଥିବା ଅନେକ ଖେଳାଳି ଓ କର୍ମକର୍ତାଙ୍କୁ ମୁଁ ଜାଣିଛି। ଲା ଲିଗା ଓ ପ୍ରିମିୟର୍‌ ଲିଗ୍‌ ଭଳି ମୁଁ ଏହ‌ାକୁ ଦେଖିନାହିଁ, କିନ୍ତୁ ଏଥି ପାଇଁ ମୁଁ ବଡ଼ ଉତ୍ସୁକ ରହିଛି। ମୁଁ ଜାପାନରେ ଯେଭଳି ଅଗ୍ରଗତି ଦେଖିଥିଲି ଏଠାରେ ମଧ୍ୟ ସେଭଳି ଅନୁଭବ କରିଛି। ପ୍ରଥମ ବର୍ଷ ‌ଜେ ଲିଗ୍ ଦେଖିଥିଲି, ଏବେ ଏହା ବିକଶିତ ହୋଇପାରିଛି। ଇଣ୍ଡିଆନ୍ ସୁପର୍ ଲିଗ୍ ଏହାର ସମାନ୍ତରାଳ ହେବାକୁ ଯାଉଛି। ଭାରତୀୟ ଫୁଟ୍‌ବଲ୍‌ ସହିତ ପ୍ରଥମ ସମ୍ପୃକ୍ତିକୁ ମୁଁ ପ୍ରଥମେ‌‌ ପେସାଦାର ଦୃଷ୍ଟିକୋଣରୁ ଦେଖିବି। ଓଡ଼ିଶା ଏଫସିକୁ ପ୍ଲେ ଅଫ୍‌ ନେବା ଲକ୍ଷ୍ୟ ରହିବ। କାରଣ ଷଷ୍ଠରୁ ଦଶମ ସ୍ଥାନ ଦଳ ପ୍ରାୟ ସମାନ। କିନ୍ତୁ ଲିଗ୍ ଜିତିବା ପାଇଁ ଯୁବ ଖେଳାଳିଙ୍କ ଉପରେ ଚାପ ପକାଯିବ ନାହିଁ। ଖେଳାଳିମାନଙ୍କ ମାନସିକ ସାମର୍ଥ୍ୟକୁ ମୁଁ ଏ ପର୍ଯ୍ୟନ୍ତ ଜାଣିନାହିଁ, ତେଣୁ ପ୍ରଥମେ ଶୀର୍ଷ ୪ ଭିତରେ ରହିବାର ଲକ୍ଷ୍ୟ ରଖି କାମ କରାଯିବ, ତା ପରେ ଦେଖାଯିବ କିଭଳି ବିତୁଛି।

ଫାପ୍ ଡୁ ପ୍ଲେସିସ୍‌ଙ୍କ ପରାମର୍ଶ
ଭାରତୀୟ ଖେଳାଳିଙ୍କୁ କେଉଁ ଷ୍ଟାଇଲ୍‌ ଭଲ ରହିବ ସେ ନେଇ ମୁଁ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଫାପ ଡୁ ପ୍ଲେସିସ୍‌ଙ୍କ ସହ ଆଲୋଚନା କରିଛି। ଭାରତୀୟ ଖେଳାଳିମାନେ କେଉଁଠି ଭାରି ଆଶାବାଦୀ। ଡୁ ପ୍ଲେସିସଙ୍କ ମତରେ ଭାରତରେ ସଫଳତା ପାଇବା ଲାଗି ପରୀକ୍ଷା ନିରୀକ୍ଷା ମନ୍ତ୍ର ଭଲ। ଭ‌ାରତୀୟ କ୍ରିକେଟରମାନେ ଫ୍ରଣ୍ଟ୍ ଫୁଟ୍‌ରେ ଚମତ୍କାର, କିନ୍ତୁ ବ୍ୟାକ୍‌ଫୁଟ୍‌ରେ ସେମାନଙ୍କୁ ଅନେକ କିଛି କରିବାକୁ ପଡ଼ିଥାଏ। ଏହା ନ କଲେ ସେମାନେ ଖେଳିପାରନ୍ତି ନାହିଁ। ତେଣୁ ମୋ କାମ ହେବ ଓଡ଼ିଶା ଏଫସି ଖେଳାଳିଙ୍କୁ ଫ୍ରଣ୍ଟ୍ ଫୁଟ୍ ଆଚରଣରେ ଖେଳାଇବି। ତେଣୁ ମୁଁ ଆଶାବାଦୀ ରହିଛି ଯେଉଁ ଢଙ୍ଗରେ ଖେଳାଳି ଉପଭୋଗ କରିବେ‌ ସେଭଳି ଖେଳନ୍ତୁ ଓ ଫଳାଫଳ ଦିଅନ୍ତୁ। ମୋର ବ୍ୟକ୍ତିଗତ ଭାବେ କିଛି ଆଶା ନାହିଁ। ସଂସ୍କୃତି ଯାହା ଥାଉ ନା କାହିଁ ମୁଁ ଖେଳାଳିଙ୍କୁ ଠିକଣା ଢଙ୍ଗରେ ପ୍ରଶିକ୍ଷିତ କରିବି।

ଭାରତୀୟ ଆହ୍ବାନ
ଭିନ୍ନ ଦେଶ ଭିନ୍ନ ଦଳର ଆସିଲେ ନିଶ୍ଚିତ ଭିନ୍ନ ସଂସ୍କୃତି ଓ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ସଂସ୍କୃତିକୁ ନ ଜାଣି ଆପଣ ନିଜ ବିଶ୍ବାସକୁ ଲଦି ଦେଲେ ବିଫଳତା ଭିତରକୁ ପଶିବାକୁ ପଡ଼ିବ।‌‌‌ ତେଣୁ ଖେଳାଳିର ମାନସିକତା, ସେମାନେ ବୁଝି ପାରୁଥିବା ଭାଷା ଆଦି ଠିକଣା ବଟମ୍ ଚିପିଲେ ହିଁ ସଫଳତା ମିଳିବ। ଆମକୁ ଏକାଠି କ’ଣ କ’ଣ କରିବାକୁ ପଡ଼ିବ ସେମାନଙ୍କୁ ବୁଝାଇବାକୁ ପଡ଼ିବ। ପ୍ରଥମେ ଖେଳାଳିଙ୍କ ଉପରେ ଏକାଗ୍ରତା ରଖିବି ଏବଂ ସେମାନଙ୍କ ସ୍ତର ପରଖିବି। ସେମାନେ ଏବେ କେଉଁ ସ୍ତରର ଅଛନ୍ତି ଭଲ ଭାବେ ଜାଣିବି। ମୋ ମତରେ ଅଧିକାଂଶ ଲିଗ୍ ଏବେ ବିକାଶ ପଥରେ ରହିଛନ୍ତି। ବିଦେଶ ଖେଳାଳିଙ୍କ ଉପରେ ଦଳ କେତେ ନିର୍ଭରଶୀଳ ଦେଖିବି। ମୁଁ ଭାବୁଛି ଭାରତୀୟ ଖେଳାଳିଙ୍କ ନିକଟରେ କ୍ଷମତା ରହିଛି, କିନ୍ତୁ ସମସ୍ତଙ୍କୁ ସର୍ବୋଚ୍ଚ ସ୍ତରକୁ ଯିବାକୁ ହେବ।

୮ ଦେଶର ପ୍ରଶିକ୍ଷକ
ବକ୍ସଟର୍ ଓଡ଼ିଶା ଏଫସି ଦାୟିତ୍ବ ନେବା ପୂର୍ବରୁ ଦକ୍ଷିଣ ଅଫ୍ରିକା ଜାତୀୟ ଫୁଟ୍‌ବଲ୍ ଦଳ ସହିତ ମୋଟ ୮ ଦେଶରେ ପ୍ରଶିକ୍ଷଣ ଦେଇ ସାରିଛନ୍ତି। ଗତବର୍ଷ ସେ ମହମ୍ମଦ ସଲାହଙ୍କ ଇଜିପ୍ଟ ଦଳକୁ ଆଫ୍ରିକାନ୍ କପ୍‌ କ୍ବାର୍ଟର ଫାଇନାଲରେ ପହଞ୍ଚାଇଥିଲେ। ସ୍ପାନିସ୍‌ ପ୍ରଶିକ୍ଷକ ଯୋସେପ୍‌ ଗମ୍ଭାୟୁଙ୍କ ପରେ ଏହି ୬୬ ବର୍ଷୀୟ ସ୍କଟଲାଣ୍ଡ୍ ଜନ୍ମିତ ପୂର୍ବତନ ଖେଳାଳି ଓଡ଼ିଶା ଏଫସି ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବରୁ ଦୁଇ ଥର ଦକ୍ଷିଣ ଆଫ୍ରିକା ଜାତୀୟ ଦଳର ଦାୟିତ୍ବ ନେବା ସହିତ ଫିନଲାଣ୍ଡ୍‌ ଓ ୧୯ ବର୍ଷରୁ କମ୍‌ ଇଂଲଣ୍ଡ ଦଳର ପ୍ରଶିକ୍ଷଣ ଦୟିତ୍ବ ସମ୍ଭାଳିଥିଲେ। ସ୍ବିଡେନ୍, ନରୱେ, ପର୍ତ୍ତୁଗାଲ, ଜାପାନ, ଇଂଲଣ୍ଡ, ସ୍କଟଲାଣ୍ଡ୍‌, ଅଷ୍ଟ୍ରେଲିଆ, ଆମେରିକା ଆଦି ଦେଶରେ ସେ ବିଭିନ୍ନ କ୍ଲବ୍‌ ଦାୟିତ୍ବ ବି ତୁଲାଇ ପ୍ରଚୁର ଅଭିଜ୍ଞତା ରଖିଛନ୍ତି।

ସମ୍ବନ୍ଧିତ ଖବର