ରଣଜୀ ଟ୍ରଫି: ଓଡ଼ିଶାର ପ୍ରଥମ ପରାଜୟ, ଜମ୍ମୁ କାଶ୍ମୀର ଶୀର୍ଷକୁ ଉନ୍ନୀତ

ଭୁବନେଶ୍ବର: ପ୍ରଥମ ପାଳିରେ ଅଗ୍ରଣୀ ନେବା ସତ୍ତ୍ବେ ଓଡ଼ିଶା ଟାଙ୍ଗୀର ଡ୍ରିମ୍ସ ପଡିଆରେ ଅନୁଷ୍ଠିତ ଜମ୍ମୁ କାଶ୍ମୀର ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ ହାରିଯାଇଛି। ଏଥି ସହିତ ଓଡ଼ିଶା ଦଳ ଚଳିତ ଋତୁରେ ଷଷ୍ଠ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଛି। ଗତ ମ୍ୟାଚ୍‌ରେ ହରିଆଣାକୁ ରୋମାଞ୍ଚକର ଭାବେ ୧ ୱିକେଟ୍‌ରେ ହରାଇ ଶୀର୍ଷକୁ ଉଠିଥିବା ଓଡ଼ିଶା (୨୮ ପଏଣ୍ଟ) ମଙ୍ଗଳବାର ୩ ଦିନ ଭିତରେ ୪ ୱିକେଟ୍‌ରେ ହାରିଯାଇଥିଲା। ଏହି ପରାଜୟ ପରେ ଓଡ଼ିଶା ଏଲିଟ୍‌ ‘ସି’ ଗ୍ରୁପ୍‌ ପଏଣ୍ଟ ଟେବୁଲ୍‌ରେ ଦ୍ବିତୀୟକୁ ଖସିଯାଇଛି। ଜମ୍ମୁ ୬ ମ୍ୟାଚ୍‌ରୁ ୫ ବିଜୟ ସହିତ ୩୨ ପଏଣ୍ଟ୍‌ ପାଇ ଶୀର୍ଷକୁ ଉନ୍ନୀତ ହୋଇଛି।

ଟାଙ୍ଗୀର ଡ୍ରିମ୍ସ ପଡିଆରେ ନିଜର ଅନେକ ସ୍ମରଣୀୟ ବିଜୟ ହାସଲ କରିଥିବା ଓଡ଼ିଶା ମଙ୍ଗଳବାର ୧୩୬/୭ରୁ ଅସମାପ୍ତ ଦ୍ବିତୀୟ ପାଳି ଖେଳିଥିଲା। ୩୦ ରନ୍‌ ଯୋଡ଼ି ଶେଷ ୩ ୱିକେଟ୍ ହରାଇଥିଲା। ୩ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ (୧୩, ୫ ବଲ୍‌, ୧ ଚୌକା, ୧ ଛକା), ରାଜେଶ ମହାନ୍ତି (୯, ୮ ବଲ୍‌, ୨‌ ଚୌକା) ଏବଂ ବସନ୍ତ ମହାନ୍ତି (୫*, ୨ ବଲ୍‌, ୧ ଚୌକା)ଙ୍କ ‌ଛୋଟ ଛୋଟ ଅବଦାନ ରହିଥିଲା। ସକାଳର ସମସ୍ତ ୩ ୱିକେଟ୍ ନେଇ ଉମର ନାଜିର ମୀର୍‌ ୫ ୱିକେଟ୍ ସଫଳତା ପାଇଥିଲେ। ଜମ୍ମୁ କାଶ୍ମୀର ସମ୍ମୁଖରେ ୨୦୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟାଂଶ ରାଇନା (୬୯, ୧୫୧ ବଲ୍‌, ୧୦ ଚୌକା)ଙ୍କ ଅର୍ଧଶତକୀୟ ପାଳି ପରେ ଶୁଭମ୍‌ ପୁନ୍ଦିର (୪୫, ୮୩ ବଲ), ଅବଦୁଲ ସମାଦ (୩୦*, ୨୬ ବଲ୍‌) ଏବଂ ଆକ୍ବିବ୍ ନବି (୨୬*, ୨୫ ବଲ୍‌) ଆକ୍ରମଣାତ୍ମକ ଖେଳି ବିଜୟ ଶେଷ କରିଥିଲେ। ଚୂଡାନ୍ତ ଏକାଦଶକୁ ପ୍ରତ୍ୟାବର୍ତନ କରିଥିବା ଯୁବ ଦ୍ରୁତ ବୋଲର ଦେବବ୍ରତ ପ୍ରଧାନ ନିଜର ପ୍ରଥମ ୪ ୱିକେଟ୍‌ ସଫଳତା ସହିତ ମ୍ୟାଚ୍‌ରେ ମୋଟ ୭ ୱିକେଟ୍ ନେଇଥିଲେ। ଉଭୟ ପାଳିରେ ଅପରାଜିତ ରହି ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ଆକ୍ବିବ୍ ନବି (୫/୩୯, ୨୩*, ୨/୪୦, ୨୬*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୬୧। ଜମ୍ମୁ କାଶ୍ମୀର ପ୍ରଥମ ପାଳି: ୧୨୪ (ଶୁଭମ ଖଜୁରିଆ ୪୦, ବସନ୍ତ ମହାନ୍ତି ୪/୪୨, ଦେବବ୍ରତ ପ୍ରଧାନ-୩/୧୨, ସୂର୍ଯ୍ୟକାନ୍ତ ପ୍ରଧାନ-୨/୩୬, ରାଜେଶ ମହାନ୍ତି-୧/୩୨ )। ଓଡ଼ିଶା ଦ୍ବିତୀୟ ପାଳି: ୬୨ ଓଭରରେ ୧୬୬ (ଶାନ୍ତନୁ ମିଶ୍ର ୨୬, ଅନୁରାଗ ଷଡ଼ଙ୍ଗୀ ୨୬, ଉମର ନଜିର-୫/୭୨, ଅକିବ ନବି-୨/୪୦)। ଜମ୍ମୁ କାଶ୍ମୀର ଦ୍ବିତୀୟ ପାଳି: ୬୫.୩ ଓଭରରେ ୨୦୫/୬ (ସୂର୍ଯ୍ୟାଂଶ ରାଇନା-୬୯, ଶୁଭମ ପୁନ୍ଦିର-୪୫, ଅବଦୁଲ ସମାଦ-୩୦*, ଆକ୍ବିବ୍ ନବି-୨୬*, ଦେବବ୍ରତ ପ୍ରଧାନ-୪/୪୮, ରାଜେଶ ମହାନ୍ତି-୧/୩୭, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୫)।

ସମ୍ବନ୍ଧିତ ଖବର