ଭୁବନେଶ୍ବର,: ଓଡ଼ିଶାରେ ଯେ କ୍ରୀଡ଼ା ଭିତ୍ତିଭୁମି ଲକ୍ଷ୍ୟହୀନ, ଯୋଜନାହୀନ ଏବଂ ଉଦ୍ଦେଶ୍ୟହୀନ ଭାବେ ପ୍ରତିଷ୍ଠା କରାଯାଉଛି ତାହା କ୍ରମେ ଗୋଟିଏ ପରେ ଗୋଟିଏ ଉଦାହରଣରୁ ପ୍ରମାଣିତ ହେବାରେ ଲାଗିଛି। ବଡ଼ ପ୍ରତିଯୋଗିତାରୁ ବିଶ୍ବବ୍ୟାପୀ ପ୍ରଶଂସା ମିଳୁଥିଲେ ବି ରାଜ୍ୟରେ ତୃଣମୂଳସ୍ତରରେ କ୍ରୀଡ଼ାବିତ୍ଙ୍କ ହାଲଚାଲ୍ ବୁଝିବା ତଥା ପ୍ରୋତ୍ସାହନ ଯୋଗାଇବାରେ ସରକାରୀ ବ୍ୟବସ୍ଥା କ୍ରମେ ଦୁର୍ବଳ ହେବାରେ ଲାଗିଛି। କଳିଙ୍ଗ ଷ୍ଟାଡିୟମ୍ରେ ୪ କୋଟି ପ୍ରାୟ ବ୍ୟୟରେ ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍ ନିର୍ମାଣ ସରିଥିଲେ ମଧ୍ୟ ଓଡ଼ିଶା ଖେଳାଳିଙ୍କୁ ଏହାର ଫାଇଦା ମିଳିବାର ନା ଗନ୍ଧ ଧରୁନାହିଁ। ଏବେ ପାଳି ପଡିଛି ସୁଟିଂ ରେଞ୍ଜ୍ର। କଳିଙ୍ଗ ଷ୍ଟାଡିୟମ୍ରେ ଥିବା ରାଜ୍ୟର ଏକମାତ୍ର ୫୦ ମିଟର୍ ସୁଟିଂ ରେଞ୍ଜ୍କୁ ବିନା ବିଜ୍ଞପ୍ତି ଏବଂ ମନମୁଖି ଭାବେ ବନ୍ଦ କରିଦିଆଯାଇଥିବାରୁ ଏହା ବି ରାଜ୍ୟର ଉଦୀୟମାନ ପ୍ରତିଭାଙ୍କୁ ଲକ୍ଷ୍ୟଭ୍ରଷ୍ଟ କରିବାରେ ବଡ଼ ଯୋଗଦାନ ରଖିବାକୁ ଯାଉଛି। ଏହାକୁ ନେଇ ରାଜ୍ୟରେ ଥିବା ହାତଗଣତି ଜାତୀୟ ସ୍ତରର ଖେଳାଳି ଯେତିକି ଅସନ୍ତୁଷ୍ଟ, ନିଜ ଖେଳାଳି ଜୀବନର ଭବିଷ୍ୟତ ନେଇ ସେତିକି ହତାଶ।
Sambad is now on WhatsApp
Join and get latest news updates delivered to you via WhatsApp
ଏକବିଂଶ ଶତାବ୍ଦୀରେ ଭାରତକୁ ବଂଧୁକଚାଳନାରୁ ସର୍ବାଧିକ ଅଲିମ୍ପିକ୍ ପଦକ ମିଳିଛି। ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ ସ୍ବର୍ଣ୍ଣ (ଅଭିନବ ବିନ୍ଦ୍ରା) ପଦକ ବି ବଂଧୁକଚାଳନା ଦେଇଛି। ଓଡ଼ିଶାରେ ଆନୁଷ୍ଠାନିକ ରାଜ୍ୟ ବଂଧୁକଚାଳନା ସଂଘ ଗଠନ ବିଳମ୍ବରେ ହୋଇଥିଲେ ବି ବେଶ ସକ୍ରୀୟ ହୋଇଉଠିଥିଲା। ଅନ୍ୟ ଖେଳ ଭଳି ବଂଧୁକଚାଳନା ସର୍ବତ୍ର ଅଭ୍ୟାସ କରାଯାଇ ପାରିନଥାଏ। ସେଥି ପାଇଁ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ସୁରକ୍ଷିତ ଏବଂ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ୍ରେ ଏକମାତ୍ର ୫୦ ମିଟର୍ ସୁଟିଂ ରେଞ୍ଜ୍କୁ ଉଦ୍ଘାଟନ କରିଥିଲେ। ଉଦୀୟମାନ ଖେଳାଳିମାନଙ୍କ ଲାଗି ଏହା ଆଶାର ଆଲୋକ ଦେଖାଇଥିଲା। କିନ୍ତୁ କଳିଙ୍ଗ ଷ୍ଟାଡିୟମ୍ ଯେଉଁ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରି ପ୍ରଶଂସା ସାଉଁଟିଥିଲା, ପ୍ରକାରାନ୍ତାରେ ବଂଧୁକଚାଳନାର ପ୍ରବଂଧକଭାବେ ଛିଡ଼ା ହୋଇଗଲା। ବିଶେଷ କରି ହକି ଷ୍ଟାଡିୟମ୍ ନିକଟରେ ଥିବାରୁ ଏହାକୁ ନିୟମିତ ଭାବେ ବନ୍ଦ କରିବାକୁ ପଡ଼ିଲା। ଏହି ଅନିୟମିତ ବନ୍ଦ ଶେଷକୁ ୨୦୧୬ ମସିହାରୁ ସ୍ଥାୟୀ ବନ୍ଦର ରୂପ ନେବାକୁ ଲାଗିଛି। ବିରଳ ଏହି ସୁଟିଂ ରେଞ୍ଜ୍ରେ ଏବେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ବେଳେ ଗୋଦାମ ଘରଭାବେ ବ୍ୟବହୃତ ହେଉଛି। ଘାସ ଓ ଅଳିଆ ଅବର୍ଜନା ଅରଣାମୟ କରି ଦେଇଛି। ଖେଳାଳିଙ୍କ ଅଭ୍ୟାବ ବନ୍ଦ ହେବାରୁ ବଂଧୁକର ଗର୍ଜନ ପରିବର୍ତେ ରେଞ୍ଜ୍ରେ ଏବେ ଶାନ୍ତ ପରିବେଶ ରାଜ କରୁଛି। ଖେଳାଳିଙ୍କ ଭବିଷ୍ୟତକୁ ନଜରରେ ରଖି ଏହି ରେଞ୍ଜ୍ର ରକ୍ଷଣାବେକ୍ଷଣ ଓ ପ୍ରଶିକ୍ଷଣ ଲାଗି ରାଜ୍ୟ ରାଇଫଲ୍ ସଂଘ (ଓଆର୍ଏ) ସହିତ ଓଡ଼ିଶା ସରକାର ୩ ବର୍ଷିଆ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ନିରଂତର ପ୍ରତିବଂଧକ ଭିତରେ ଏହାର ଅବଧି ୨୦୧୮ରୁ ଶେଷ ହୋଇଛି। ସୁଟିଂ ରେଞ୍ଜ୍ ଏବେ ଅଭ୍ୟାସ ତ ଦୂରର କଥା ଗୋଦାମ ଘର, ଆବର୍ଜନାମୟ, ପରିତ୍ୟକ୍ତ, ଅନାବଶ୍ୟକତାର ମୁକସାକ୍ଷୀ ପାଲଟିଯାଇଛି। କୌଣସି ଖେଳର ରାଜ୍ୟ ସଂଘ ସହିତ ରାଜ୍ୟ ସରକାରଙ୍କ ସୁସମ୍ପର୍କ ନ ଥିବାର ଏହା ମଧ୍ୟ ପ୍ରମାଣ ଛାଡ଼ିଛି। ଅନ୍ୟପକ୍ଷରେ ବଂଧୁକଚାଳକମାନଙ୍କ ପାଇଁ ରାଜ୍ୟ ସରକାର ପରୋକ୍ଷରେ ବି କିଛି କିଛି କରୁନାହାନ୍ତି। ବରଂ ଅବିନବ ବିନ୍ଦ୍ରା ଏବଂ ଗଗନ ନାରଙ୍ଗଙ୍କ ନାମରେ ହେଉଥିବା ହାଇ ପରଫର୍ମାନ୍ସ କେନ୍ଦ୍ରରୁ ଓଡ଼ିଶାକୁ କିଛି ଫାଇଦା ମିଳିବାର ବ୍ୟବସ୍ଥା କରିନାହାନ୍ତି।
କ୍ରୀଡ଼ା ବିଭାଗକୁ ଅଧିକ କ୍ରୀୟାଶୀଳ ଏବଂ କାର୍ଯ୍ୟକ୍ଷକ କରାଯାଉଥିବା ଯେ ଡିଣ୍ଡିମ ପିଟା କଥା ଏହା ବଂଧୁକଚାଳନା ଭଳି ଅଲିମ୍ପିକ୍ ସଫଳ କ୍ରୀଡ଼ାରୁ ଅନୁମେୟ। ଏହି ଖେଳ ପାଇଁ ଥିବା ଏକମାତ୍ର ରେଞ୍ଜ୍କୁ ସରକାର ନିଜେ ବନ୍ଦ କରି ଦେଇ ବଡ଼ ସ୍ବପ୍ନ ଦେଖାଇବାର କିଛି ମାନେ ନାହିଁ ବୋଲି ଓଆରଏ ସମ୍ପାଦକ ହରି ପ୍ରସାଦ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଅଭ୍ୟାସରୁ ବଞ୍ଚିତ ହୋଇ ପ୍ରତିବର୍ଷ ୩୦/୪୦ ଖେଳାଳି ପ୍ରି-ନ୍ୟାସନାଲ୍ ପ୍ରତିଯୋଗିତାରେ ବି ଭାଗ ନେଇ ପାରୁନାହାନ୍ତି। .୨୨ ସ୍ପୋର୍ଟସ ରାଇଫଲ୍ ଏବଂ .୨୫ ମିଟର୍ ପିସ୍ତଲ୍ ଇଭେଣ୍ଟ୍ ପ୍ରତିଯୋଗୀ ମଧ୍ୟ ଆଗକୁ ବଢ଼ି ପାରୁନାହାନ୍ତି। ରାଜ୍ୟ ସରକାର ଓ କର୍ପୋରେଟ୍ଙ୍କ ଅର୍ଥରେ ବଡ଼ ପ୍ରତିଯୋଗିତା କରି ତୃଣମୂଳ ସ୍ତରକୁ ଭଲିଯିବା ବଡ଼ ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ରାଜନୀତିରେ ପଶି ହେବନି: ଆଶିଷ
ରାଜ୍ୟ ସରକାର ଜାଣଶୁଣି ସୁଟିଂ ରେଞ୍ଜ୍କୁ ବନ୍ଦ କରିଦେବାକୁ ଚାହୁଁଛନ୍ତି। ଜାତୀୟ ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ଅଭ୍ୟାସର ଆବଶ୍ୟକତା ଥିବାରୁ ମୁଁ ବାରମ୍ବାର କ୍ରୀଡ଼ା ବିଭାଗର ଦ୍ବାରସ୍ଥ ହୋଇଛି, କାକୁତି ମିନତି କରିଛି। ନାନା ପ୍ରତିଶ୍ରୁତି ମିଳିଛି, କିନ୍ତୁ ଏହାର କିଛି ସୁଫଳ ମିଳିନାହିଁ। ମୋ ବ୍ୟର୍ଥତା ଚରମ ସୀମାରେ ପହଞ୍ଚିଛି। ଆମେ ଖେଳାଳି ଲୋକ, ରାଜନୀତିରେ ପଶି ହେବ ନାହିଁ’ ବୋଲି ଦୁଃଖର ସହ କହିଥିଲେ ରାଜ୍ୟର ବିରଳ ରିନୋନ୍ଡ ସଟ୍ ତାରକା ଆଶିଷ କୁମାର ନାୟକ।
ଅଭ୍ୟାସ ନ ମିଳିଲେ ଅସୁବିଧା: ସରୋଜିନୀ
କଳିଙ୍ଗ ଷ୍ଟାଡିୟମ୍ ୫୦ ମିଟର୍ ରେଞ୍ଜ୍ ବନ୍ଦ ହୋଇଯିବା ଆମ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆମେ ଏହି ଖେଳକୁ କ୍ୟାରିୟର୍ କରିବାକୁ ଆଗଭର ହୋଇ ଆସିଥୁଲୁ। କିନ୍ତୁ ସରକାରଙ୍କ ଅସହଯୋଗ ଆମକୁ ନିରୁତ୍ସାହିତ କରିବାର କୌଣସି ସୁଗୋଗ ହତାଛଡ଼ା କରୁନାହିଁ ବୋଲି ପ୍ରକାଶ କରିଥିଲେ ରାଜ୍ୟର ଅନ୍ୟତମ ଜାତୀୟ ସ୍ତରର ଖେଳାଳି ସରୋଜିନୀ ନାୟକ।