ଓଡ଼ିଶା ମହିଳା ଲିଗ୍‌: ପୂର୍ବତଟ ରେଳବାଇ, ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜୟୀ

ଭୁବନେଶ୍ବର (ଇମିସ): ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଚାଲିଥିବା ଓଡ଼ିଶା ମହିଳା ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୁଧବାର ତିନିଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପୂର୍ବତଟ ରେଳବାଇ, ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ବିଜୟୀ ହୋଇଥିଲା ବେଳେ କ୍ରୀଡ଼ା ଛାତ୍ରାବାସ ଓ ସାଇ-ଏସ୍‌ଟିସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମାଂସିତ ରହିଥିଲା।

କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ୧-୦ ଗୋଲ୍‌ରେ ଓଡ଼ିଶା ପୁଲିସକୁ ପରାସ୍ତ କରିଥିଲା। ରେଳବାଇ ପକ୍ଷରୁ ସୋନାଲି ବେହେରା (୮୧ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ମୋନିକା ମିଞ୍ଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଠାରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ୪-୦ ଗୋଲ୍‌ରେ ଓଜିପି କ୍ଲବ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳର ଯଶୋଦା ମୁଣ୍ଡା (୫, ୧୦ ମିନିଟ୍‌) ଦୁଇଟି ଏବଂ କାମିନି ମୁଣ୍ଡା (୫୧ ମିନିଟ୍‌) ଓ ସୁମିତ୍ରା ଖାଲ୍‌ଖୋ (୫୫ ମିନିଟ୍‌) ଗୋଟିଏ ଲେଖଏଁ ଗୋଲ୍‌ କରିଥିଲେ। ଯଶୋଦାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

କଳିଙ୍ଗ ଷ୍ଟାଡିୟମ୍‌ରେ କ୍ରୀଡ଼ା ଛାତ୍ରାବାସ ଓ ସାଇ-ଏସ୍‌ଟିସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଉଭୟ ଦଳ ୨‌ ଲେଖାଏଁ ଗୋଲ୍‌ କରିଥିଲେ। ଛାତ୍ରାବାସର ଦୀପା ନାୟକ (୩୬, ୫୨ ମିନିଟ୍‌) ଏବଂ ସାଇ-ଏସ୍‌ଟିସିର ମନୀଷା ନାଏକ (୨୯, ୬୩ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମନୀଷାଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର