ପଦ୍ମ ପୁରସ୍କାର ପାଇଁ ୧୧ ମହିଳା କ୍ରୀଡ଼ାବିତଙ୍କ ନାମ ସୁପାରିସ : ଓଡ଼ିଆ ଧାବିକା ଦୂତି ଚାନ୍ଦ ବଞ୍ଚିତ

ନୂଆଦିଲ୍ଲୀ : ଖେଳ ଦୁନିଆରେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ତଥା ଭାରତର ପ୍ରତିଷ୍ଠାକୁ ଶୀର୍ଷରେ ପହଞ୍ଚାଇଥିବା ମହିଳା କ୍ରୀଡ଼ାବିତଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଏହି ପରିପ୍ରେକ୍ଷୀରେ ପଦ୍ମ ପୁରସ୍କାର ପାଇଁ ମହିଳା କ୍ରୀଡ଼ାବିତଙ୍କ ନାମ ଗୃହ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି। ମହିଳା ମୁଷ୍ଟିଯୋଦ୍ଧା ଏମସି ମେରିକମ୍‌ଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ଏବଂ ନିକଟରେ ବିଶ୍ବ ବ୍ୟାଡମିଣ୍ଟନ୍‌ ବିଜୟିନୀ ପିଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପ୍ରଦାନ ପାଇଁ ସୁପାରିସ କରାଯାଇଛି। ଯଦି ମେରିକମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳେ ତାହା ହେଲେ ଏହା ପାଇବାରେ ସେ ଦେଶର ପ୍ରଥମ ମହିଳା ଖେଳାଳି ହେବେ। ଏତଦ୍ ବ୍ୟତୀତ ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା, କୁସ୍ତିଯୋଦ୍ଧା ବିନେଶ ଫୋଗଟ, ପର୍ବତାରୋହଣକାରୀ ତାସି ଓ ନୁଙ୍ଗଶି ମଲ୍ଲିକ, ହକି ଅଧିନାୟିକ‌ା ରାଣୀ ରାମପାଲ, କ୍ରିକେଟର୍‌ ହରମନପ୍ରୀତ କୌର୍, ଅଲିମ୍ପିଆନ୍‌ ବନ୍ଧୁକଚାଳିକା ସୀମା ସୁରୁରଙ୍କ ନାମ ପଦ୍ମଶ୍ରୀ ପାଇଁ ସୁପାରିସ କରାଯାଇଛି। ଛଅ ଥରର ବିଶ୍ବ ବିଜୟିନୀ ତଥା ରାଜ୍ୟସଭା ସାଂସଦ ମେରିକମ୍‌ଙ୍କୁ ୨୦୦୬ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମଭୂଷଣ ଦିଆଯାଇଥିଲା। ପିଭି ସିନ୍ଧୁଙ୍କୁ ୨୦୧୫ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଯେଉଁ ୧୧ ଜଣ ମହିଳା ଖେଳାଳିଙ୍କ ନାମ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି ସେଥିରୁ ତୀରନ୍ଦାଜ ତରୁଣଦୀପ ରାୟ ତଥା ହକି ଖେଳାଳି ଏମପି ଗଣେଶଙ୍କ ନାମ ମଧ୍ୟ ରହିଛି। ହେଲେ ସେଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କୃତିତ୍ବ ଅର୍ଜନ କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ନାମ ସୁପାରିସ କରାଯାଇ ନାହିଁ। ନିକଟରେ ଅର୍ଜୁନ ପୁରସ୍କାର ପାଇଁ ମଧ୍ୟ ତାଙ୍କ ନାମ ଚୟନ ହୋଇ ପାରିନଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ନାମ ବିଳମ୍ବରେ ସୁପାରିସ କରାଯାଇଥିବା ଦର୍ଶାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଖାରଜ କରିଦେଇଥିଲା।

ଭାରତୀୟ କ୍ରୀଡ଼ା ଇତିହାସରେ ଭାରତ ରତ୍ନ ସଚ୍ଚିନ ତେନ୍ଦୁଲକର ଏକ ମାତ୍ର ଏମିତି ଖେଳାଳି ଯାହାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ୨୦୦୮ରେ ପ୍ରଥମ ଥର ମାଉଣ୍ଟ ଏଭେରେଷ୍ଟ ଶିଖର ଛୁଇଁଥିବା ନ୍ୟୁଜିଲାଣ୍ଡର ପର୍ବତାରୋହୀ ସାର୍ ଆଡମଣ୍ଡ ହେଲାରିଙ୍କ ସହିତ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର