ଜାତିସଂଘରେ ପୁଣି ପାକ୍‌କୁ ଝଟ୍‌କା : କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମନାକଲା

ଆତଙ୍କବାଦର ‌ଚେର ପାକିସ୍ତାନରେ: ମୋଦୀ

ଜେନେଭା : କଶ୍ମୀର ପ୍ରସଙ୍ଗରେ ଜାତିସଂଘ ପୁଣି ପାକିସ୍ତାନକୁ ଝଟ୍‌କା ଦେଇଛି। ଭାରତର ବଳିଷ୍ଠ ଯୁକ୍ତି ଏବଂ ପ୍ରମାଣଯୋଗ୍ୟ ଦଲିଲ୍‌ ଯୋଗୁଁ ଗତକାଲି ମାନବାଧିକାର ପରିଷଦ (ୟୁଏନ୍ଏଚ୍‌ଆର୍‌ସି)ରେ ପାକିସ୍ତାନର ମୁଖା ଖୋଲିଯାଇଥିଲା। ଆଜି ମଧ୍ୟ ଜାତିସଂଘ ପାକିସ୍ତାନର କଶ୍ମୀର ସଂକ୍ରାନ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଛି। କଶ୍ମୀର ମାମଲାରେ ଜାତିସଂଘର ମଧ୍ୟସ୍ଥତା ପାଇଁ ପାକିସ୍ତାନର ନୂତନ ପ୍ରସ୍ତାବକୁ ଆଜି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟ୍‌ରେସ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। କଶ୍ମୀର ମାମଲା ଦ୍ବିପାକ୍ଷିକ ଏବଂ ଏ ନେଇ ଜାତିସଂଘର ପୂର୍ବ ନୀତିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଗୁଟ୍‌ରେସଙ୍କ ମୁଖ୍ୟ ପ୍ରବକ୍ତା ଷ୍ଟିଫାନି ଡୁଜାରିନ୍‌ ସ୍ପଷ୍ଟ କରିଦେଇଛନ୍ତି।

ପାକିସ୍ତାନ ଲଗାତାର ମଧ୍ୟସ୍ଥତା ପାଇଁ କରୁଥିବା ଦାବି ଆଦୌ ଗ୍ରହଣୀୟ ନୁହେଁ ଏବଂ କଶ୍ମୀର ମାମଲାରେ ପୂର୍ବରୁ ଜାତିସଂଘ ଯେଉଁ ନୀତି ଆପଣାଇଥିଲା ସେଥିରେ ପରିବର୍ତ୍ତନର କିଛି କାରଣ ନାହିଁ ବୋଲି ଆଜି ଜାତିସଂଘ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଯଦି ଭାରତ ଓ ପାକିସ୍ତାନ ମିଳିତ ଭାବେ ମଧ୍ୟସ୍ଥତା ପାଇଁ ଆବେଦନ କରିବେ ତା’ହେଲେ ଏହା ବିଚାରକୁ ନିଆଯିବ। ଭାରତ ଏହି ମାମଲାରେ ପୂର୍ବରୁ ହିଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା କଶ୍ମୀର ମାମଲାରେ ଗ୍ରହଣୀୟ ନୁହେଁ ବୋଲି ଜଣାଇସାରିଛି।

ତେବେ ମଧ୍ୟସ୍ଥତା ପାଇଁ ପାକିସ୍ତାନକୁ ସବୁ ସ୍ତରରେ ଝଟ୍‌କା ମିଳିଥିବା ବେଳେ ଆଜି ଜାତିସଂଘ ଏହାର ସ୍ଥିତି ସ୍ପଷ୍ଟ କରିଦେଇଥିବାରୁ ଏହା ଭାରତର ଏକ ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି। କଶ୍ମୀର ପ୍ରସଙ୍ଗକୁ ଏକ ଅନ୍ତର୍ଜାତୀୟ ସଙ୍କଟ ଭାବେ ଉପସ୍ଥାପନ କରିବା ପାଇଁ ବିଭିନ୍ନ ମଞ୍ଚରେ ପାକିସ୍ତାନର ପ୍ରୟାସ ଭଣ୍ଡୁର ହୋଇଛି। ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏହି ମାମଲାରେ ପାକିସ୍ତାନକୁ କହିଛନ୍ତି ଯେ ଭାରତ ସହ ଦ୍ବିପାକ୍ଷିକ ସଂପର୍କରେ ସୁଧାର ଆଣି ଆଲୋଚନା ମାଧ୍ୟମରେ ହିଁ ସମାଧାନର ରାସ୍ତା ଖୋଜିବା ଆବଶ୍ୟକ। ଅନ୍ୟପକ୍ଷରେ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ସହିତ କୂଟନୈତିକ ସଂପର୍କ ହ୍ରାସ ପାଇଁ ପାକିସ୍ତାନ ଯେଭଳି ତରବରିଆ ଭାବେ ପଦକ୍ଷେପ ନେଇଥିଲା ସେଥିପାଇଁ ମଧ୍ୟ କଡ଼ା ସମାଲୋଚନାର ଶିକାର ହୋଇଛି।

ଆତଙ୍କବାଦର ‌ଚେର ପାକିସ୍ତାନରେ: ମୋଦୀ

ମଥୁରା : ଆତଙ୍କବାଦ ଏବେ ବିଶ୍ବର ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହା ଏକ ‘ବିଚାରଧାରା’ରେ ପରିଣତ ହୋଇଛି ଯାହା କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ମଧ୍ୟରେ ସୀମିତ ନାହିଁ। ଏହି ସମସ୍ୟାର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର ଏକଜୁଟ୍‌ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଉତ୍ତରପ୍ରଦେଶର ମଥୁରାରେ ଆୟୋଜିତ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ପାକିସ୍ତାନର ନାମ ନନେଇ କହିଛନ୍ତି, ଆତଙ୍କବାଦର ଚେର ଅତ୍ୟନ୍ତ ଗଭୀର ଭାବେ ପଡ଼ୋଶୀ ରାଷ୍ଟ୍ରରେ ମାଡ଼ିଚାଲିଛି। ଭାରତ ଏବେ ଆତଙ୍କବାଦର ମୁକାବିଲା କରୁଛି ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ସମର୍ଥ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେରିକାରେ ହୋଇଥିବା ଭୟଙ୍କର ୯/୧୧ ଆକ୍ରମଣର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ବ ଏକଜୁଟ୍‌ ହୋଇ ଏହାକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ବିରୋଧରେ ପଦକ୍ଷେପ ନେବାକୁ ହେବ। ଆତଙ୍କବାଦ ବିରୋଧରେ ଭାରତ ଅତୀତରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଭବିଷ୍ୟତରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଜାୟ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦୀଙ୍କୁ ତାଲିମ ଏବଂ ଆଶ୍ରୟ ଦେଉଥିବା ଦେଶ ବିରୋଧରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ହିଁ ଏ ଦିଗରେ ବଡ଼ ପଦକ୍ଷେପ ହେବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର