ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ : ବାବରଙ୍କ ଶତକରେ ପାକିସ୍ତାନର ସେମି ଆଶା ଉଜ୍ଜୀବିତ

ବର୍ମିଂହାମ : ପାକିସ୍ତାନର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ବୁଧବାର ବିଶ୍ବକପ୍‌ର ଏକ ମହତ୍ବପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇ ପାକିସ୍ତାନ ସେମି ଦୌଡ଼ରେ ସାମିଲ ହୋଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମ ପରାଜୟ ବରଣ କରିଛି। ନ୍ୟୁଜିଲାଣ୍ଡ ଆଜି ପାକିସ୍ତାନ ସମ୍ମୁଖରେ ୨୩୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପାକିସ୍ତାନ ଏହାକୁ ବାବର ଆଜମଙ୍କ ଶତକ (୧୦୧*) ଓ ହାରିସ୍ ‌‌ସୋହେଲ (୬୮)ଙ୍କ ଅର୍ଧଶତକ ବଳରେ ୪୯.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଧିନାୟକ ସର୍ଫରାଜ ଖାନ୍ ଚୌକା ମାରି ପାକିସ୍ତାନର ବହୁମୂଲ୍ୟ ବିଜୟରେ ମୁଣ୍ଡି ମାରିଥିଲେ। ପାକିସ୍ତାନ ସପ୍ତମ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଥିଲା। ସେପଟେ ନ୍ୟୁଜିଲାଣ୍ଡ ୮ ବର୍ଷ ମଧ୍ୟରେ ବିଶ୍ବକପର ଲିଗ୍ ପର୍ଯ୍ୟାୟରେ ପ୍ରଥମ ପରାଜୟ ବରଣ କରିଥିଲା। ବାବର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ବୁଧବାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ସତ୍ତ୍ବେ ନ୍ୟୁଜିଲାଣ୍ଡ ୨୪ ରନ୍‌ରେ ଦୁଇ ପ୍ରାରମ୍ଭିକ ଖେଳାଳିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ମାର୍ଟିନ ଗପ୍ଟିଲ (୫) ଏବଂ କଲିନ ମୁନ୍ରୋ (୧୨) ପୁଣି ଥରେ ନିରାଶ କରିଥିଲେ। ଅଭିଜ୍ଞ ରସ୍ ‌ଟେଲର (୩) ଓ ଟମ୍ ଲାଥାମ (୧) ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ମହମ୍ମଦ ଆମିର (୧୦-୦-୬୭-୧) ନିଜ ପ୍ରଥମ ବଲ୍‌ରେ ଗପ୍ଟିଲଙ୍କୁ ବୋଲ୍ଡ କରିବା ପରେ ଯୁବ ବୋଲର ସାହିନ ଆଫ୍ରିଦି (୧୦-୩-୨୮-୩) ହିଁ ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ କେନ୍ ୱିଲିୟମସନ୍ କିନ୍ତୁ ଲଢ଼ିଥି‌ଲେ। ତେବେ ଅର୍ଧଶତକର ୯ ରନ୍ ପୂର୍ବରୁ ସଦାବ ଖାନଙ୍କ ଶିକାର ହୋଇଥିଲେ। ନ୍ୟୁଜିଲାଣ୍ଡ ୮୩ ରନ୍‌ରେ ଅଧାଦଳ ହରାଇବା ପରେ ଏହି ଦଳର ବଡ଼ ସ୍କୋର କରିବା ଆଶା ମଉଳି ଯାଇଥିଲା। ଜେମ୍ସ ନୀସାମ (୯୭*) ଓ କଲିନ୍ ଡି’ ଗ୍ରାଣ୍ଢୋମେ (୬୪)ଙ୍କ ମଧ୍ୟରେ ଷଷ୍ଠ ୱିକେଟ୍‌ରେ ହୋଇଥିବା ୧୩୨ ରନ୍‌ର ଭାଗୀଦାରି ବଳରେ ହିଁ ନ୍ୟୁଜିଲାଣ୍ଡ ୨୦୦ ରନ୍ ଟପିଥିଲା। ଗ୍ରାଣ୍ଢୋମେ ୪୮ତମ ଓଭରରେ ରନ୍ ଆଉଟ୍ ହେବା ପରେ କିୱି ଦଳ ଅଢ଼େଇ ଶହ ରନ୍ ଛୁଇଁ ପାରି ନଥିଲା। ନୀସାମ ବି ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର