ୟାସିରଙ୍କ ଶତକ ସତ୍ତ୍ବେ ପାକିସ୍ତାନ ଫଲୋଅନ୍
ଆଡିଲେଡ୍: ଆଠ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ପାକିସ୍ତାନୀ ସ୍ପିନର୍ ୟାସିର୍ ସାହା ଶତକ ହାସଲ କରିବା ସତ୍ତ୍ବେ ପାକିସ୍ତାନ ଫଲୋଅନ୍ ଖେଳିବାକୁ ବାଧ୍ୟ ହୋଇଛି। ଚଳିତ ଦ୍ବିତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆର ଘୋଷିତ ପ୍ରଥମ ପାଳି ସ୍କୋର୍ ୫୮୯/୩ ଜବାବରେ ପାକିସ୍ତାନ ଦୟନୀୟ ସ୍ଥିତିରୁ ବାହାରି ୩୦୨ ରନ୍ କରି ନେଇଥିଲା। ତେବେ ପ୍ରଥମ ପାଳିରେ ୨୮୭ ରନ୍ ପଛରେ ପଡ଼ିଯିବାରୁ ଫଲୋଅନ୍ ଡକରା ପାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଆଝାର୍ ଅଲୀଙ୍କ ଦଳ ୩୯ ରନ୍ରେ ୨ ୱିକେଟ୍ ହରାଇ ଦେଇଥିବାରୁ ପରାଜୟ ମୁହାଁ ହୋଇଛି। ପାକିସ୍ତାନ ରବିବାର ତୃତୀୟ ଦିନ ଖେଳ ଆରମ୍ଭ ବେଳକୁ ୯୬ ରନ୍ରେ ୬ ୱିକେଟ୍ ହରାଇ ସାରିଥିଲା। ବାବର ଆଜମ୍ (୯୭, ୧୩୨ ବଲ୍, ୧୧ ଚୌକା) ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ବୋଲିଂ ବିଫଳତା ଓ ଆଚରଣ ପାଇଁ ଚର୍ଚିତ ୟାସିର୍ ସାହା ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ସୁଯୋଗ ପାଇଛନ୍ତି। ବାବର ଆଜମଙ୍କ ସହ ସପ୍ତମ ୱିକେଟ୍ ପାଇଁ ସେ ୧୦୫ ରନ୍ ଯୋଡ଼ିଥିଲେ। ନିଜର ୩୬ ଟେଷ୍ଟ୍ ଜୀବନରେ କେବେ ବି ଅର୍ଧଶତକଟିଏ ମାରିନଥିବା ୟାସିର୍ ୨୧୩ ବଲ୍ରୁ ୧୧୩ ରନ୍ କରିଥିଲେ। ପ୍ୟାଟ୍ କମିନ୍ସ ତାଙ୍କ ୱିକେଟ୍ ନେଇଥିଲେ। ମିଚେଲ୍ ଷ୍ଟାର୍କ କିନ୍ତୁ ୬ ୱିକେଟ୍ ନେଇ ଘାତକ ସାବ୍ୟସ୍ତ ହୋଇଛନ୍ତି। ପାକିସ୍ତାନର ଦ୍ବିତୀୟ ପାଳିରେ ମଧ୍ୟ ଷ୍ଟାର୍କ ଗୋଟିଏ ଏବଂ ହାଜେଲଉଡ୍ ୨ ୱିକେଟ୍ ନେଇ ଦଳକୁ ପୁଣି ଏକ ବଡ଼ ବିଜୟର ବାଟ କଢ଼ାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୫୮୯/୩, ଘୋଷିତ (ଡେଭିଡ୍ ୱାର୍ନର-୩୩୫*, ମାର୍ନସ ଲବୁସାନ୍-୧୬୨, ସାହିନ୍ ସାହ ଆଫ୍ରିଦି-୩/୮୮)। ପାକିସ୍ତାନ ପ୍ରଥମ ପାଳି: ୯୪.୪ ଓଭରରେ ୩୦୨ (ୟାସିର୍ ସାହା-୧୧୩, ବାବର ଆଜମ-୯୭, ମିଚେଲ ଷ୍ଟାର୍କ-୬/୬୬, ପ୍ୟାଟ୍ କମିନ୍ସ-୩/୮୩, ଜୋସ୍ ହାଜେଲ୍ଉଡ୍-୧/୪୮) ଏବଂ ଦ୍ବିତୀୟ ପାଳି: ୧୬.୫ ଓଭରରେ ୩୯/୩ (ସାନ୍ ମାସୁଦ୍-୧୪*, ଜୋସ୍ ହାଜେଲ୍ଉଡ୍-୨/୧୫, ମିଚେଲ୍ ଷ୍ଟାର୍କ-୧/୧୦)।
୮ ନମ୍ବର ଏବଂ ନିମ୍ନକ୍ରମ କୀର୍ତ୍ତିମାନ
ଆଠ ନମ୍ବର ସ୍ଥାନରେ ଆସି ଶତକ ହାସଲ କରିଛନ୍ତି ୟାସିର୍ ସାହା। ଚଳିତ ଗସ୍ତରେ ସେ ୬୦.୩୩ ହାରରେ ରନ୍ କରିଛନ୍ତି। କିନ୍ତୁ ତାଙ୍କ ବୋଲିଂ ହାରାହାରି ନିରାଶାଜନକ ଭାବେ ୧୦୦.୫୦ ରହିଛି। ଏଥି ସହିତ ୮ ନମ୍ବର ସ୍ଥାନରୁ ତଳକୁ ୭ ଜଣ ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କଲେ। ଶେଷ ଥର ପାଇଁ ୨୦୧୭ରେ ରାଞ୍ଚିରେ ଭାରତର ରିଦ୍ଧିମାନ ସାହା ଶତକ ହାସଲ କରିଥିଲେ। ପାକିସ୍ତାନ ପାଇଁ ଶେଷ ଥର ଲାଗି ୨୦୦୬ ମସିହାରେ ଜଣେ ୮ ନମ୍ବରରେ ଶତକ ହାସଲ କରିଥିଲେ। କରାଚିରେ ଭାରତ ବିପକ୍ଷରେ କମରାନ୍ ଆକମଲ୍ ୧୧୩ ରନ୍ର ପାଳି ଖେଳିଥିଲେ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି ସବୁଠୁ କମ୍ ବୋଲିଂ ହାର ରଖିଥିବା ଖେଳାଳିଙ୍କ ମଧ୍ୟରୁ ଶତକ ହାସଲ କରିବାରେ ୟାସିର୍ ଦ୍ବିତୀୟ ହୋଇଛନ୍ତି। ଟେଷ୍ଟ୍ ଶତକ ହାସଲ୍ ବେଳକୁ ୟାସିର୍ଙ୍କ ବ୍ୟାଟିଂ ହାରାହାରି ଥିଲା ୧୪.୦୬। ୱେଷ୍ଟଇଣ୍ଡିଜ୍ର ଜୋରୋମୀ ଟେଲର୍ ୧୨.୯୬ ହାରାହାରିରେ ଥାଇ ଟେଷ୍ଟ୍ ଶତକ ଜମାଇଥିଲେ।