ନୂଆଦିଲ୍ଲୀ: ଏକ ଟେଲିଭିଜନ ସୋ’ରେ ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ରଖିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ଖେଳାଳି ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ମହଙ୍ଗା ପଡ଼ିଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନିଲମ୍ବନ ଲାଗୁ କରାଯାଇଛି। ଫଳରେ ଶନିବାରଠାରୁ ସିଡନିରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଏକ ପ୍ରକାର ବାଦ୍ ପଡ଼ିଛନ୍ତି। ଶନିବାରର ପ୍ରଥମ ମ୍ୟାଚ୍ ତାଲିକାରୁ ଉଭୟଙ୍କ ନାମକୁ ବାଦ୍ ଦିଆଯାଇଛି। ‘କଫି ୱିଥ୍ କରଣ’ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଦୁଇ ଖେଳାଳି ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇଥିଲେ। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ନିଲମ୍ବିତ କରାଗଲା ବୋଲି ଶୁକ୍ରବାର ବିସିସିଆଇ ଦାୟିତ୍ବରେ ଥିବା ସିଓଏ (ପ୍ରଶାସନିକ ସମିତି)ର ଅଧ୍ୟକ୍ଷ ବିନୋଦ ରାଏ ପ୍ରକାଶ କରିଥିଲେ। ଏଥି ସହିତ ଉଭୟଙ୍କୁ ପୁଣି ଥରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ମଧ୍ୟ ବିସିସିଆଇ ସୂତ୍ରରୁ ସୂଚନା ମିଳିଛି। ତେବେ ବିସିସିଆଇର ଆଭ୍ୟନ୍ତରୀଣ ତଦନ୍ତ ସମିତି କିମ୍ବା ଅସ୍ଥାୟୀ ଅମ୍ବୁଡସମ୍ୟାନ୍ କିଏ ତଦନ୍ତ କରିବ ଅଦ୍ୟାବଧି ସ୍ପଷ୍ଟ କରାଯାଇନାହିଁ। ଟିଭି ସୋ ପ୍ରସଙ୍ଗରେ ସିଓଏ ଅଧ୍ୟକ୍ଷ ବିନୋଦ ରାଏ ଗୁରୁବାର ନିଲମ୍ବନ ସୁପାରିସ୍ କରିଥିଲେ ମଧ୍ୟ ଅନ୍ୟତମ ସଦସ୍ୟା ଡାଏନା ଏଦୁଲଜୀ ଆଇନଗତ ପରାମର୍ଶ ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଡାଏନା ଶୁକ୍ରବାର ସମାନ ମତ ରଖିଥିଲେ। ତଦନ୍ତ ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ନିଲମ୍ବନ କରାଯାଉ ବୋଲି ସୁପାରିସ୍ କରିଥିଲେ। ବିନୋଦ ରାଏ ଏଥିରେ ଏକମତ ହୋଇ ଶେଷରେ ଚୂଡାନ୍ତ ନିଷ୍ପତ୍ତି ଶୁଣାଇଥିଲେ। ଉଭୟ ଖେଳାଳିଙ୍କ ଆଚରଣକୁ ମଧ୍ୟ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ନାପସନ୍ଦ କରିଛନ୍ତି। ଏଭଳି ବିବାଦୀୟ ପରିସ୍ଥିତି ଉପୁଜୁଥିବା କାରଣରୁ ବିସିସିଆଇ ମଧ୍ୟ ଭବିଷ୍ୟତରେ ଖେଳାଳିଙ୍କୁ କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବାରୁ ବାରଣ କରିବା ନିଷ୍ପତ୍ତି ନେଇପାରେ। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବୁଧବାର ପାଣ୍ଡ୍ୟା ଏଥିନେଇ ପ୍ରଥମେ ଟ୍ବିଟରରେ କ୍ଷମା ମାଗିଥିଲେ। ପରେ ପ୍ରଶାସନିକ ସମିତି (ସିଓଏ)ର କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇ ନିଜ କର୍ମ ପାଇଁ ଦୁଃଖ ପ୍ରକାଶ କରିବା ସହ କାହାର ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସଫେଇ ଦେଇଥିଲେ। ରାହୁଲ ସେଭଳି କିଛି ବିବାଦୀୟ କଥା କହି ନଥିଲେ ମଧ୍ୟ ବନ୍ଧୁ ପାଣ୍ଡ୍ୟାଙ୍କୁ ଏଥିରେ ସମର୍ଥନ କରିଥିଲେ। ମାମଲା ବିବାଦୀୟ ହେବା ପରେ ପାଣ୍ଡ୍ୟା କ୍ଷମା ମାଗିଥିଲେ ମଧ୍ୟ ରାହୁଲ ଏବେ ବି ଚୁପ୍ ରହିଛନ୍ତି। ଆନୁଷ୍ଠାନିକ ଭାବେ ସେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ତଦନ୍ତ ଶେଷ ହେବା ପରେ ଉଭୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତୁରନ୍ତ ସ୍ବଦେଶ ଫେରିବାକୁ ନିର୍ଦେଶ
ସିଡନି: ବିସିସିଆଇର ନିଲମ୍ବନ ଘୋଷଣା ପରେ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ତୁରନ୍ତ ସ୍ବଦେଶ ଫେରିଯିବାକୁ କୁହାଯାଇଛି। ଯେତେ ଶୀଘ୍ର ସମ୍ଭବ ଟିକେଟ୍ ବୁକ୍ କରି ନେବାକୁ ଆଦେଶ ଦିଆଯାଇଛି। ସମ୍ଭବତଃ ଶନିବାର ସକାଳୁ ସେମାନେ ଭାରତ ଅଭିମୁଖେ ଅଷ୍ଟ୍ରେଲିଆ ଛାଡ଼ିବେ ବୋଲି ବିଶ୍ବାସ କରାଯାଉଛି। ତାଙ୍କ ବଦଳରେ କାହାରି ନାମ ଘୋଷଣା କରାଯାଇ ନାହିଁ। ଉଭୟ ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯିବା ପରେ ଋଷବ ପନ୍ତ୍ କିମ୍ବା ମନୀଷ ପାଣ୍ଡେଙ୍କ ଭଳି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଡକରା ମିଳିପାରେ। ଏହି ଦୁଇ ଜଣଙ୍କ ବାଦ୍ ବିଜୟ ଶଙ୍କର, ଶ୍ରେୟସ ଆୟର ଡାକରା ପାଇଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ବୋଲି ଜଣେ ବିସିସିଆଇ ଅଧିକାରୀ ପ୍ରକାଶ କରିଛନ୍ତି। ସେହିଭଳି ପାଣ୍ଡ୍ୟା ଏବଂ ରାହୁଲଙ୍କ ଅଷ୍ଟ୍ରେଲିଆ ଗସ୍ତ ବିବାଦୀୟ ଢଙ୍ଗରେ ଶେଷ ହୋଇଥିବା ବେଳେ ଏହା ପରେ ଥିବା ନ୍ୟୁଜିଲାଣ୍ଡ୍ ଗସ୍ତ ପାଇଁ ଦିନିକିଆ ଦଳରୁ ମଧ୍ୟ ଉଭୟ ବାଦ୍ ପଡ଼ିବା ଏକ ପ୍ରକାର ନିଶ୍ଚିତ ରହିଛି। ଏହା ବ୍ୟତୀତ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ସେମାନଙ୍କୁ ଅପେକ୍ଷା କରିଛି। ତଦନ୍ତ ଶେଷ ହେବା ପରେ ଏହା ଚୂଡାନ୍ତ ହେବ।
ଭଜିଙ୍କ ତୀବ୍ର ସମାଲୋଚନା
ନୂଆଦିଲ୍ଲୀ: ନିଲମ୍ବିତ କ୍ରିକେଟର୍ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ପୂର୍ବତନ ଅଫସ୍ପିନର୍ ହରଭଜନ ସିଂହ ତୀବ୍ର ସମାଲୋଚନା କରିଛନ୍ତି। ସେମାନଙ୍କ ଅଶୋଭନୀୟ ମନ୍ତବ୍ୟ ଦ୍ବାରା କ୍ରିକେଟରଙ୍କ ଖ୍ୟାତିରେ ଆଞ୍ଚ ଲାଗିଛି ବୋଲି ଭଜି କହିଛନ୍ତି। ଏହା ଦଳୀୟ ସଂସ୍କୃତିଠାରୁ ଢେର ଊର୍ଧ୍ବରେ। ଯେଉଁ କଥା ଆମେ କେବେ ସାଙ୍ଗ ସାଥୀ ମହଲରେ ବି ଚିନ୍ତା କରିପାରିନାହୁଁ ହାର୍ଦିକ-ରାହୁଲ ତାହାକୁ ଏକ ଟିଭି ଚ୍ୟାନେଲରେ କହିବାର ସାହାସ କରିଛନ୍ତି। ଏବେ ମୋ ବିଷୟରେ, ଅନିଲ କୁମ୍ବଲେ ଏବଂ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳିଙ୍କ ସମ୍ପର୍କରେ ଜନସାଧାରଣ କି ଧାରଣା ଆଣୁଥିବେ ବୋଲି ଭଜି ପ୍ରଶ୍ନ କରିଛନ୍ତି।
ଅପ୍ରଯୁଜ୍ୟ ମନ୍ତବ୍ୟକୁ ଆମେ ସମର୍ଥନ କରୁନାହୁଁ: କୋହଲି
ସିଡ୍ନି: ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜ ମତ ରଖିଛନ୍ତି। ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ, ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଭାରତୀୟ ଦଳର ମତ ନୁହେଁ ବୋଲି କୋହଲି କହିଛନ୍ତି। ଉଭୟଙ୍କ ଆଚରଣ ଦଳୀୟ ସଂସ୍କୃତିକୁ ନେଇ ପ୍ରଶ୍ନବାଚୀ ଉଠାଇଥିଲେ ମଧ୍ୟ କୋହଲି ରୋକଠୋକ୍ ଏଡ଼ାଇ ଦେଇଛନ୍ତି। ‘କୌଣସି ପ୍ରକାର ଅପ୍ରଯୁଜ୍ୟ ମତକୁ ଆମେ ନିଶ୍ଚିତ ଭାବେ ସମର୍ଥନ କରୁନାହୁଁ। ଉଭୟ ଖେଳାଳି ସେମାନଙ୍କ ଭୁଲକୁ ନେଇ ଅନୁତାପ କରିଛନ୍ତି ଏବଂ ଏହାର ବିଶାଳତାକୁ ବୁଝିପାରିଛନ୍ତି। ସେମାନେ ଯାହା କରିଛନ୍ତି ଠିକ୍ ନ ଥିଲା ବୋଲି ବୁଝି ସାରିଛନ୍ତି। କୌଣସି ଦାୟିତ୍ବସମ୍ପନ୍ନ କ୍ରିକେଟର୍ ଏଭଳି ମତ ଦେଇପାରିବ ନାହିଁ। ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ ହୋଇପାରେ, ଦଳଗତ ନୁହେଁ ବୋଲି କୋହିଲି କହିଛନ୍ତି। କିନ୍ତୁ ଦଳୀୟ ଶିବିର ଉତ୍ସାହକୁ ଏହି ବିବାଦ ପ୍ରଭାବିତ କରିପାରି ନାହିଁ ବୋଲି କୋହଲି ପ୍ରଥମ ଦିନିକିଆ ପୂର୍ବରୁ କହିଛନ୍ତି। ତେବେ ପାଣ୍ଡ୍ୟାଙ୍କ ନିଲମ୍ବନ ନିଶ୍ଚିତ ଦଳର ସନ୍ତୁଳନକୁ ପ୍ରଭାବିତ କରିବ ବୋଲି ଅଧିକାଂଶ ମତ ଦେଇଛନ୍ତି। ସେ ଦଳର ମଧ୍ୟକ୍ରମରେ ସିମ୍ ବୋଲିଂ ଅଲରାଉଣ୍ଡର୍ ଭାବେ ଖେଳିବା ନିଶ୍ଚିତ ଥିଲା। ଏବେ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳର ଯୋଜନା ବଦଳାଇବାକୁ ପଡ଼ିବ। ସିମ୍ ଅଲରାଉଣ୍ଡର୍ ବଦଳରେ ସ୍ପିନ୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜାଙ୍କ ନାମ ନଜରରେ ରହିଛି। ଏସବୁ ପ୍ରସଙ୍ଗରେ ଆମର ନିୟନ୍ତ୍ରଣ ନ ଥିବାରୁ ଦଳର ସମନ୍ବୟକୁ ନଜରରେ ରଖି ଚୂଡାନ୍ତ ଏକାଦଶ ବାଛିବୁ ବୋଲି କୋହଲି କହିଛନ୍ତି।
ହରି ପ୍ରସାଦ ‘କାଇ’ର ନୂଆ ବୈଷୟିକ ନିର୍ଦେଶକ
ଭୁବନେଶ୍ବର: ଚତୁର୍ଥ ଥର ପାଇଁ ସର୍ବଭାରତୀୟ କରାଟେ ସଂଘ ‘କାଇ’ର ଉପସଭାପତି ପଦ ବଜାୟ ରଖିଥିବା ଓଡ଼ିଶା ରାଜ୍ୟ କରାଟେ ସଂଘର ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଜାତୀୟ ସଂଘର ନୂଆ ବୈଷୟିକ ନିର୍ଦେଶକ ମନୋନୀତ ହୋଇଛନ୍ତି। ଏକ୍ଷେତ୍ରରେ ସେ ପର୍ଭେଜ୍ ମିସ୍ତ୍ରି ଓ କନହରାଜ୍ଙ୍କ ପରେ ତୃତୀୟ ହେଲେ। ଯାହାକି ଓଡ଼ିଶା ପାଇଁ ଏକ ସଫଳତାର ଫର୍ଦ ଯୋଡ଼ି ହୋଇଯାଇଛି। ଗତ ୮ ତାରିଖରେ ଦିଲ୍ଲୀରେ ଜାତୀୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ୪ ବର୍ଷ ପାଇଁ କର୍ମକର୍ତା ନିର୍ବାଚିତ ହୋଇଥିଲେ। ସେଥିରେ ଓଡ଼ିଶାର ଏହି କରାଟେ ଗୁରୁ ଉପସଭାପତି ପଦ ବଜାୟ ରଖିବା ସାଙ୍ଗକୁ ବୈଷୟିକ ନିର୍ଦେଶକ ପଦ ମଣ୍ଡନ କରିଥିଲା ବେଳେ ଅରୁଣାଚଳ ପ୍ରଦେଶର ସେନ୍ସାଇ ଲିଖାତାରା ସଭାପତି, ଜମ୍ମୁ ଓ କଶ୍ମିରର ସେନ୍ସାଇ ଆମ୍ବେଦକର ଗୁପ୍ତା ସଂପାଦକ, ପଶ୍ଚିମବଙ୍ଗର ପ୍ରେମଜିତ ସେନ୍ କୋଷାଧ୍ୟକ୍ଷ, ପୂର୍ବତନ ସଂପାଦକ ସିହାନ ଭରତ ଶର୍ମା ଉପସଭାପତି ଏବଂ ମଧ୍ୟପ୍ରଦେଶର ରତନ ଗମ୍ଭିର ମୁଖ୍ୟ ପ୍ରଶିକ୍ଷକ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ଡ. ପଟ୍ଟନାୟକ ଓଡ଼ିଶା ସଂଘର ପ୍ରତିଷ୍ଠାତା ସଦସ୍ୟ, ସଂପାଦକ ଓ ପ୍ରଶିକ୍ଷକ ଭାବେ କାର୍ଯ୍ୟକରି ଚାଲିଥିଲା ବେଳେ ୧୨ ବର୍ଷ ଧରି ଜାତୀୟ ସଂଘର ଉପସଭାପତି ରହି ଆସିଛନ୍ତି। ଏନେଇ ଶୁକ୍ରବାର ରାଜ୍ୟ କରାଟେ ସଂଘ ପକ୍ଷରୁ ଉତ୍କଳ କରାଟେ ସ୍କୁଲ୍ଠାରେ ଡ. ହରିପ୍ରସାଦ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ବର୍ଧନା ଉତ୍ସବରେ କାର୍ଯ୍ୟକାରୀ ସଭାପତି ସନତ ନାୟକ, ଉପସଭାପତି ସଂଜୟ ଦାସ, ସୌମ୍ୟରଂଜନ ସାସମଲ, ସହସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲ୍ଲିକ, କାର୍ଯ୍ୟକାରୀ ସଦସ୍ୟ ଦୀପକ ସାମନ୍ତରା, ସନ୍ଦୀପ ମହାନ୍ତି, ଚିତ୍ତରଞ୍ଜନ ସ୍ବାଇଁ, ହିମାଂଶୁ ଶେଖର ଦାସ, ମିର ଅଜମଦ୍ ଅଲ୍ଲୀ, ପ୍ରଦୀପ ସରକାର, ଦିଲୀପ ଜେନା, ଅନୁପମା ସ୍ବାଇଁ, କ୍ରିଷ୍ଣା ଶିକାରୀ, ଅନୁରାଧା ପାତ୍ର, ସୁସ୍ମିନୀ ପାଲ୍ଟାସିଂହ, ସନ୍ଦୀପ ଦାସ, ଶୁଭସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।