ଗେଲ୍‌-ୱାର୍ନରଙ୍କୁ ନେଇ ପଞ୍ଜାବ-ହାଇଦ୍ରାବାଦ ମୁହାଁମୁହିଁ

ନୂଆଦିଲ୍ଲୀ: ଆଇପିଏଲ୍‌-୧୩କୁ ବିସିସିଆଇ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହି ଟି-୨୦ ପ୍ରତିଯୋଗିତାର ଭବିଷ୍ୟତ ମଧ୍ୟ ଝୁଲି ରହିଛି। ରବିବାର କିନ୍ତୁ ଆଇପିଏଲ୍‌ର ଦୁଇ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଓ ‌ଡେଭିଡ୍‌ ୱାର୍ନରଙ୍କୁ ନେଇ ଉଭୟ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। କିଏ ସବୁଠୁ ବିଧ୍ବଂସୀ ବ୍ୟାଟ୍‌ସମ୍ୟାନ୍‌ ବୋଲି ଷ୍ଟାର୍‌ ସ୍ପୋର୍ଟସ ଆରମ୍ଭ କରିଥିବା ଏକ ଅଭିଯାନରୁ ହିଁ ଏହି ବିତର୍କର ସୂତ୍ରପାତ ହୋଇଥିଲା। କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ରଥମେ ଗେଲ୍‌ଙ୍କ କୀର୍ତ୍ତିମାନ ସବୁ ଲେଖିଥିଲା ଏମିତି ‘ସର୍ବାଧିକ ଆଇପିଏଲ୍‌ ଶତକଧାରୀଙ୍କ ମଧ୍ୟରୁ ଅନ୍ୟତମ, ସର୍ବାଧିକ ବ୍ୟକ୍ତିଗତ ସ୍କୋରର୍‌, ୧୫୦ରୁ ଊର୍ଧ୍ବ ଷ୍ଟ୍ରାଇକ୍‌ ରେଟ୍‌, ଆଇପିଏଲ୍‌ ଇତିହାସର ସବୁଠୁ ଦ୍ରୁତତମ ଶତକ ଏବଂ ପ୍ରତିଯୋଗିତାରେ ସର୍ବାଧିକ ଛକା ତାଙ୍କ ନାମରେ ରହିଛି। ଆମେ ଭାବୁଛୁ ଆପଣ ଉତ୍ତର ପାଇଯାଇଥିବେ’। ଏହାର କିଛି କ୍ଷଣ ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଲେଖିଥିଲା ‘୩ କମଳା ଟୋପି, ୧ ଆଇପିଏଲ୍‌ ଟ୍ରଫି ତୋଳି ଧରିବା ଆବଶ୍ୟକ’। ଏହି ଦୁଇଟି ସୂଚନା ଦୁଇ ଖେଳାଳିଙ୍କ କୃତିତ୍ବର ଅବତାରଣା କରିଥିଲା। ଗେଲ୍‌ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଶତକ (୬) ସହିତ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ୧୭୫ ରନ୍‌ କରିଥିଲେ। ଯାହାକି ୨୦୧୩ ମସିହାରୁ ଅତୁଟ ରହିଛି। ୱାର୍ନରଙ୍କ ନାମରେ କିନ୍ତୁ ୪ ଶତକ ରହିଛି। ସେ ୨୦୧୫, ୨୦୧୭ ଏବଂ ୨୦୧୮ରେ ଅଗ୍ରଣୀ ରନ୍ ସ୍କୋରର୍‌ ଭାବେ ଅରେଞ୍ଜ୍ କ୍ୟାପ୍‌ (କମଳା ଟୋପି) ଜିତିଥିଲେ ଏବଂ ୨୦୧୬ରେ ଅଧିନାୟକ ଭାବେ ଟ୍ରଫି ଜିତିଥିଲେ। ଗେଲ୍‌ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚା‌ଲେଞ୍ଜର୍ସ ବାଙ୍ଗାଲୋର୍ ଏବଂ ପରେ ଏବେ କିଙ୍ଗସ ଇଲେଭେନ୍ ପଞ୍ଜାବ ପାଇଁ ଖେଳୁଛନ୍ତି। କିନ୍ତୁ କେବେ ବି ବିଜେତା ଦଳର ଅଂଶ ବିଶେଷ ହୋଇପାରିନାହାନ୍ତି।

ସମ୍ବନ୍ଧିତ ଖବର