ପାରା ବ୍ୟାଡମିଣ୍ଟନ୍‌ ଖେଳାଳି ସୁନୀଲ ପ୍ରଧାନ ଅକ୍ଷମ ହୋଇ ବି ସକ୍ଷମ

କଟକ, (ଦୀପ୍ତି ରଂଜନ ସାମଲ) : ଭିନ୍ନକ୍ଷମ ହେଲେ ବି ସକ୍ଷମ। ଏଭଳି ଉକ୍ତିର ଯଥାର୍ଥତା ପ୍ରତିପାଦିତ କରିପାରିଛନ୍ତି ପାରା ବ୍ୟାଡମିଣ୍ଟନ ଖେଳାଳି ସୁନୀଲ ପ୍ରଧାନ। ମାତ୍ର ୪ ଫୁଟ ୨ ଇଞ୍ଚ ଉଚ୍ଚତା ହୋଇଥିଲେ ବି ବ୍ୟାଡମିଣ୍ଟନ କୋର୍ଟରେ ତାଙ୍କୁ ହରାଇବା ସହଜ ନୁହେଁ। ପିଲାଦିନରୁ ସ˚ଘର୍ଷମୟ ଜୀବନରେ ଯାତ୍ରା କରି ଏବେ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ନାଁ କମେଇସାରିଲେଣି। ଯଦିଓ ତାଙ୍କୁ ବଡ଼ସ୍ତରରେ ସେତେଟା ସଫଳତା ମିଳିନି, କିନ୍ତୁ ସେ ହାର‌୍‌ ନମାନି ସେଥିପ୍ରତି ପରିଶ୍ରମ କରିଚାଲିଛନ୍ତି। ୨୦୧୮ରେ ଆଣ୍ଠୁରେ ଆଘାତ ଲାଗିବାରୁ ଦୁଇବର୍ଷ ହେଲାଣି ଆନ୍ତର୍ଜାତିକ କ୍ରୀଡ଼ାଠୁ ସେ ଦୂରରେ ଅଛନ୍ତି। ତଥାପି ଡିସେମ୍ବରରୁ ଥାଇଲାଣ୍ତରେ ଆରମ୍ଭ ହେବାକୁଥିବା ଆଇ ଵାଜ ଵାର୍ଲ୍ଡ ଗେମ୍‌ରୁ ପୁଣି ଥରେ ଆନ୍ତର୍ଜାତିକ ଯାତ୍ରା ଆରମ୍ଭ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ନାମ: ସୁନୀଲ ପ୍ରଧାନ
ପିତା-ମାତା: ଯୁଧିଷ୍ଠିର ପ୍ରଧାନ-ଇଚ୍ଛା ପ୍ରଧାନ
ବୟସ: ୩୦ ବର୍ଷ
ଉଚ୍ଚତା: ୪ ଫୁଟ ୨ ଇଞ୍ଚ
ଖେଳ: ପାରା ବ୍ୟାଡମିଣ୍ଟନ
ପଦକ: ୨୦ ଜାତୀୟ, ୧ ଆନ୍ତର୍ଜାତିକ

ଗଞ୍ଜାମ ଜିଲ୍ଲା ମୁଜାଗଡ଼ ଅଞ୍ଚଳର ଯୁଧିଷ୍ଠିର ପ୍ରଧାନ ଓ ଇଚ୍ଛା ପ୍ରଧାନଙ୍କ ସାନ ପୁଅ ହେଉଛନ୍ତି ସୁନୀଲ। ବାପା କଟକ ଛତ୍ରବଜାରରେ ବ୍ୟବସାୟ କରୁଥିବାରୁ ସୁନୀଲଙ୍କ ଜନ୍ମ ଓ ପିଲାଦିନ କଟକରେ କଟିଛି। ଶଙ୍କରପୁର ବାରିକ ସାହିରେ ରହୁଥିଲା ବେଳେ ସାଙ୍ଗ ସାଥୀଙ୍କ ସହ ଗଳି ଭିତରେ କ୍ରିକେଟ ଖେଳୁଥିଲେ। ଶୀତଦିନେ ସ˚ଧୢାରେ ବ୍ୟାଡମିଣ୍ଟନ ଖେଳିବାକୁ ଯାଆନ୍ତି। ସାହି ପିଲାମାନଙ୍କ ସହ ଖେଳୁଖେଳୁ ବ୍ୟାଡମିଣ୍ଟନର ସବୁ କୌଶଳକୁ ଧିରେଧିରେ ସେ ଜାଣିପାରିଲେ ଓ ନିୟମିତ ଭାବେ ଏହାକୁ ଖେଳିବାକୁ ଚାହିଁଲେ। ତାଙ୍କର ପ୍ରତିଭାକୁ ସେତେବେଳେ ପ୍ରଶିକ୍ଷକ ଶିବ ପ୍ରସାଦ ଦାସ ଜାଣିବାକୁ ପାଇ ତାଙ୍କ ପାଖରେ ପ୍ରଶିକ୍ଷଣ ନେବାକୁ ଡକାଇଥିଲେ। ଶିବପ୍ରସାଦଙ୍କ ପାଖରୁ ସେ ମାର୍ଜିତ ବ୍ୟାଡମିଣ୍ଟନ ଅଭ୍ୟାସ ଆରମ୍ଭ କରିଥିଲେ। ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଖେଳିବାକୁ ମନୋନୀତ ହୋଇଥିଲେ। ବାଙ୍ଗାଲୋରେ ଅନୁଷ୍ଠିତ ଭିନ୍ନକ୍ଷମ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଏକକରେ କା˚ସ୍ୟ ଓ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ। ସେହିବର୍ଷ ମଦୁରାଇରେ ସର୍ବଭାରତୀୟ ଭିନ୍ନକ୍ଷମ ପ୍ରତିଯୋଗିତାରେ ଯୁଗଳରେ ସେ ରୌପ୍ୟ ପଦକ ପାଇ ଆନ୍ତର୍ଜାତିକ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ବାଙ୍ଗାଲୋରରେ ଆୟୋଜିତ ଆଇ ଵାଜ୍‌ ବିଶ୍ବ କ୍ରୀଡ଼ାରେ ସେ ଅ˚ଶଗ୍ରହଣ କରିଥିଲେ। ସଫଳତା ମିଳିନଥିଲେ ବି ଏହାପରଠୁ ନିୟମିତ ଭାବେ ଜାତୀୟ ପ୍ରତିଯୋଗିତା ଗୁଡ଼ିକରେ ସେ ପଦକ ଜିତିବାରେ ଲାଗିଥିଲେ। ବର୍ତ୍ତମାନସୁଦ୍ଧା ସେ ୨୦ ଜାତୀୟ ପଦକ ପାଇଥିଲା ବେଳେ ସେଥିମଧ୍ୟରେ ୩ ସ୍ବର୍ଣ୍ଣ ଓ ୮ ରୌପ୍ୟ ଅନ୍ତର୍ଭୁକ୍ତ। ହେଲେ ଆର୍ଥିକଭାବେ ସ୍ବଚ୍ଛଳ ନଥିବାରୁ ସେ ର୍ୟାଙ୍କିଙ୍ଗ୍‌ ପ୍ରତିଯୋଗିତାରେ ଖେଳିବା ସମ୍ଭବ ହୋଇନଥିଲା। ଯେଉଁଥିପାଇଁ ସେ କେବଳ ଜାତୀୟ ପ୍ରତିଯୋଗିତା ଉପରେ ଅଧିକ ଧ୍ୟାନ ଦେଇଥିଲେ। ତେବେ ୨୦୧୩ ମସିହାଠୁ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ତାଙ୍କର ଜୀବନଧାରାକୁ ବଦଳାଇ ଦେଇଥିଲେ। ପ୍ରମୋଦ ତାଙ୍କର ସବୁକିଛି ବୁଝିବା ସହ ଖେଳରେ ମଧ୍ୟ ସବୁପ୍ରକାରର ସମର୍ଥନ ଯୋଗାଇ ଦେଉଥିଲେ। ଯାହାଫଳରେ ୨୦୧୭ରେ ବ୍ୟାଙ୍କକ୍‌ରେ ହୋଇଥିବା ଥାଇଲାଣ୍ତ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେ ଅ˚ଶଗ୍ରହଣ କରିବାକୁ ସୁଯୋଗ ପାଇଥିଲା ବେଳେ ପୁରୁଷ ଯୁଗଳରେ ରୌପ୍ୟ ପଦକ ଜିତିଥିଲେ। ଏହାପରଠୁ ସେହିବର୍ଷ ଦକ୍ଷିଣ କୋରିଆରେ ବିଶ୍ବ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା, ୨୦୧୮ରେ ବ୍ୟାଙ୍କକ୍‌ରେ ଦୁବାଇ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଓ ଥାଇଲାଣ୍ତ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେ ଅ˚ଶଗ୍ରହଣ କରିଥିଲେ ମଧ୍ୟ କୌଣସି ସଫଳତା ପାଇପାରିନଥିଲେ। ତେବେ ୨୦୧୮ରେ ଏସୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ଯିବା ପୂର୍ବରୁ ଟ୍ରାଏଲ୍ସ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଯାହାଫଳରେ ସେ ଭୁବନେଶ୍ବର ଫେରିଆସିଥିଲା ବେଳେ ଆରୋଗ୍ୟ ହେବା ପାଇଁ ସବୁପ୍ରକାର ଚେଷ୍ଟା କରିଥିଲେ। ନିକଟ ଅତୀତରେ ଭୁବନେଶ୍ବରରେ ହୋଇଥିବା ଅଭିନବ ବିନ୍ଦ୍ରା ଏକାଡେମୀରେ ଫିଜିଓଥେରାପି କରିବା ପରେ ସେ ଏବେ ଆନ୍ତର୍ଜାତିକ ସ୍ତରରେ ଖେଳିବା ପାଇଁ ସ˚ପୂର୍ଣ୍ଣ ସମର୍ଥ ହୋଇସାରିଛନ୍ତି। ହେଲେ କରୋନା ଯୋଗୁଁ ସବୁକିଛି ଅଟକି ରହିଥିଲା ବେଳେ ଥାଇଲାଣ୍ତରେ ଆଇ ଵାଜ୍‌ ବିଶ୍ବ କ୍ରୀଡ଼ା ଆରମ୍ଭ ହେବା ନେଇ ତାରିଖ ବାହାରିଲାଣି। ତେଣୁ ସେଠାରେ ଅ˚ଶଗ୍ରହଣ କରି ପୁଣି ଥରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିବା ସୁନୀଲ କହିଛନ୍ତି।

ଅନେକ ସ˚ଘର୍ଷ ଭିତରେ ଗତି କରି ଆସିଥିବା ସୁନୀଲ ଏବେ ଏକାକି ତାଙ୍କ ପରିବାର ଚଳାଉଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପୂର୍ବରୁ କିଛି ଆର୍ଥିକ ସହାୟତା ମିଳିଥିଲେ ବି ବଡ଼ ଧରଣର ପ୍ରୋତ୍ସାହନ ମିଳିନାହିଁ। ତଥାପି ଏଥିପ୍ରତି ସେ ମନଉଣା କରିନଥିଲେ ବି ଆଗକୁ ଅଧିକ ପଦକ ଆଣିଲେ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ ବୋଲି ସେ ଆଶା କରିଛନ୍ତି। ଏଥିସହ ତାଙ୍କର ଜୀବନରେ ପରିବର୍ତ୍ତନ ଆଣିଥିବା ପ୍ରମୋଦ ଭଗତଙ୍କ ପ୍ରତି ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି।

‘ଭିନ୍ନକ୍ଷମଙ୍କ ପାଇଁ କ୍ରୀଡ଼ାରେ ଅନେକ ସୁଯୋଗ ଅଛି’
ପିଲାଦିନୁ ଭିନ୍ନକ୍ଷମ ହୋଇଥିବାରୁ ମନ ଭାଙ୍ଗିଯାଇଥିଲା। ହେଲେ ପରିବାର ଲୋକଙ୍କ ସହ ସାଙ୍ଗସାଥୀମାନେ ସବୁବେଳେ ମୋତେ ଉତ୍ସାହିତ କରିଆସିଛନ୍ତି। ଯେଉଁଥିପାଇଁ କେବେ ବି ନିଜକୁ ଅକ୍ଷମ ବୋଲି ଭାବିନାହିଁ। ରେଭେନ୍ସାରେ ପଢିବା ସହ ଭଲ ଖେଳୁଥିବାରୁ ପରିବାର ଲୋକେ ସବୁବେଳେ ସମର୍ଥନ ଦେଇଆସୁଛନ୍ତି। ଏବେ ବି ଅନେକ ଭିନ୍ନକ୍ଷମ ନିଜକୁ ଅକ୍ଷମ ଭାବୁଛନ୍ତି। କିନ୍ତୁ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କ୍ୟାରିଅର କରିବାକୁ ସୁବିଧା ରହିଛି। ବିଶେଷକରି କ୍ରୀଡ଼ାରେ ଅନେକ ବାଟ ରହିଛି। ସରକାର ବି ସମର୍ଥନ କରିବାକୁ ଆଗେଇ ଆସିଲେଣି। ତେଣୁ ସବୁ ଭିନ୍ନକ୍ଷମମାନେ ଉଚ୍ଚ ଭାବନା ରଖି ଆଗେଇ ଆସିବାକୁ ସୁନୀଲ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର