ଆଜି ଜାତୀୟ କ୍ରୀଡ଼ା ଦିବସ : ଅଜ୍ଞାତବାସରେ ଉପେକ୍ଷିତ ଓଡ଼ିଶାର ପ୍ରଥମ ‘ଅର୍ଜୁନ ପୁରସ୍କାର’ ବିଜେତା

ବ୍ରହ୍ମପୁର, (ଜ୍ଞାନେନ୍ଦ୍ର ନାରାୟଣ ରଥ): ସେ ଥିଲେ ରାଜ୍ୟର ପ୍ରଥମ ପୁରୁଷ କ୍ରୀଡ଼ାବିତ୍‌, ଯିଏକି ହାସଲ କରିଥିଲେ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ‘ଅର୍ଜୁନ ପୁରସ୍କାର’। ସେହିବର୍ଷ ସେ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ପ୍ରତିନିଧିତ୍ବ କରି ଗୋଟେ କି ଯୋଡ଼େ ନୁହେଁ ୬ଟି ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଲଗାତାର‌ ୫ ଥର ଜାତୀୟ ଭାରୋତ୍ତୋଳନ ବିଜେତା। ତାଙ୍କୁ ମିଳିଛି ଦେଶର ଶ୍ରେଷ୍ଠ ଭାରୋତ୍ତୋଳକର ସମ୍ମାନ। ଅବସର ଜୀବନରେ ମଧ୍ୟ ସେ ନିଜକୁ ଭାରୋତ୍ତୋଳନ ସହ ଯୋଡ଼ି ରଖିଥିଲେ। ନବାଗତଙ୍କୁ ମାର୍ଗଦର୍ଶନ କରିବାରେ ତାଙ୍କୁ ମିଳୁଥିଲା ଆନନ୍ଦ। ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଏହି ମହାନ୍ କ୍ରୀଡ଼ାବିତ୍‌ ହେଲେ ୧୯୮୧ ମସିହାର ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀ। ‌ହେଲେ ଯେଉଁ କ୍ରୀଡ଼ାକୁ ସେ ଅଧିକ ଭଲ ପାଉଥିଲେ, ଯାହା ପାଇଁ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ହଠାତ୍ ତା’ଠାରୁ ଦୂରେଇ ଗଲେ। କ୍ରୀଡ଼ା ଜଗତରୁ ସମସ୍ତ ସମ୍ପର୍କ ଛିନ୍ନ କରିଦେଲେ। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୫ବର୍ଷ ହେବ ସେ ଆଉ ଫେରିନାହାନ୍ତି କ୍ରୀଡ଼ାକ୍ଷେତ୍ରକୁ, ସତେ ଯେମିତି ଅଜ୍ଞାତବାସରେ ଅଛନ୍ତି।

ରାଜ୍ୟର ପ୍ରଥମ ପୁରୁଷ ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀଙ୍କୁ ମିଳିନି ହକ୍‌
ଆଜୀବନ ସେବା ପୁରସ୍କାର ଆବେଦନକୁ ରାଜ୍ୟ ସରକାର କରିଥିଲେ ପ୍ରତ୍ୟାଖ୍ୟାନ

ଏହା ପଛ‌ର କାରଣ ଖୋଜୁ ଖୋଜୁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଲା। ସୂଚନା ମୁତାବକ, ଏଭଳି ଜଣେ ମହାନ୍ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଇନାହିଁ। ସେଥିରେ ମଧ୍ୟ ତାଙ୍କର କୌଣସି ଅନୁଶୋଚନା ନଥିଲା। ତେବେ ୨୦୧୬ ମସିହାରେ କ୍ରୀଡ଼ା‌ କ୍ଷେତ୍ରରେ ଜୀବନବ୍ୟପୀ ସାଧନା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ଼ ପାଇଁ ବିଜୟ କୁମାର ଶତପଥୀଙ୍କ ନାମକୁ ତାଙ୍କର ଜଣେ ଶୁଭେଚ୍ଛୁଙ୍କ ଦ୍ବାରା ଆବେଦନ କରାଯାଇଥିଲା। କଥାରେ ଅଛି ଚିହ୍ନା ବ୍ରାହ୍ମଣ ପାଇଁ ପଇତା ଲୋଡ଼ା ପଡେ ନାହିଁ। କିନ୍ତୁ ବିଜୟ ଶତପଥୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ଭାବେ ‌ଯାହାର ଫଟୋ କ୍ରୀଡ଼ା ବିଭାଗ ନିଜ କାର୍ଯ୍ୟାଳୟର କାନ୍ଥରେ ଟାଙ୍ଗିଛି, ତାଙ୍କର ବିଭିନ୍ନ ସଫଳତା ସମ୍ପର୍କିତ ସାର୍ଟି‌ଫିକେଟ୍‌ ଗୁଡ଼ିକ ଦାଖଲ କରିବାକୁ କୁହାଗଲା। ଯାହା ତାଙ୍କୁ ବିଶେଷ ଭାବେ ନିରାଶ କରିଥିଲା। କୋହକୁ ଚାପି ରଖି କ୍ରୀଡ଼ାକ୍ଷେତ୍ରରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସେହି ଶୁଭେଚ୍ଛୁ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ବିଜୟ ଶତପଥୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲୁ, କିନ୍ତୁ ତାହା ସମ୍ଭବ ହେଲାନି। ଏବେ ସେ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ବ୍ରହ୍ମପୁର ସୋମନାଥନଗର ୪ର୍ଥ ଗଳି ସ୍ଥିତ ନିଜ ବ‌ାସଭବନରେ ରହୁଛନ୍ତି। କାହା ସହ ଯୋଗଯୋଗ କିମ୍ବା ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଘର ଓ ପରିବାର ମଧ୍ୟରେ ନିଜକୁ ସୀମିତ ରଖିବାକୁ ପସନ୍ଦ କରୁଛନ୍ତି। ରାଜ୍ୟରେ କ୍ରୀଡ଼ା ବ୍ୟବସ୍ଥିତ‌ ଢଙ୍ଗକୁ ଆସିବା ପୂର୍ବରୁ ହିଁ ବିଜୟ ଶତପଥୀ ପାଇଥିଲେ ଅର୍ଜୁନ। ଏହି ଅଗ୍ରଜଙ୍କ ପାଇଁ ରାଜ୍ୟ ଗର୍ବ ଓ ଗୌରବାନ୍ବିତ ଥିଲେ ବି ସରକାର ତାଙ୍କୁ ସେଭଳି ସମ୍ମାନ ଓ ସ୍ବୀକୃତି ପ୍ରଦାନ କରିନାହାନ୍ତି। ମନସ୍ତାପ ଏବଂ ଅସୁସ୍ଥତା କାରଣରୁ ଅଜ୍ଞାତବାସରେ ରହିବାକୁ ପସନ୍ଦ କରିଛନ୍ତି।

ସଂକ୍ଷେପରେ ସଫଳ କ୍ୟାରିୟର୍‌
୧୯୭୭, ୧୯୭୮, ୧୯୭୯, ୧୯୮୧, ୧୯୮୨ରେ ଜାତୀୟ ଭାରୋତ୍ତାଳନ ପ୍ରତିଯୋଗିତାରେ ଶ୍ରେଷ୍ଠ ଭାରୋତ୍ତୋଳକ ବିବେଚିତ ହୋଇଥିଲେ। ୧୯୮୧ରେ ଦେଶର ଶ୍ରେଷ୍ଠ ଭାରୋତ୍ତୋଳକ ହେବାର ସମ୍ମାନ ଲାଭ କରିଛନ୍ତି। ୧୯୭୯ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଖେଳିବାର ସୁଯୋଗ ପାଇଥିଲେ। ଇଂଲଣ୍ଡରେ ଅନୁଷ୍ଠିତ ଏହି ରାଜ୍ୟଗୋଷ୍ଠୀ ଭାରୋତ୍ତାଳନ ପ୍ରତିଯୋଗିତାରେ ସେ ୫ମ ସ୍ଥାନ ହାସଲ କରିଥିଲେ। ୧୯୮୦ରେ ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ପ୍ରଥମ ଅନ୍ତର୍ଜାତୀୟ ପଦକ (ରୌପ୍ୟ) ହାସଲ କରିଥିଲେ। ୧୯୮୧ରେ ଜାପାନ୍‌ର ନାଗୋୟାରେ ଆୟୋଜିତ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ, ସେହି ବର୍ଷ ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଆୟୋଜିତ ମିନି କମନ୍‌ୱେଲ୍ଥ ଗେମ୍‌ସରେ ସ୍ବର୍ଣ୍ଣ, ୧୯୮୨ରେ ପାକିସ୍ତାନର ପେଶାୱରଠାରେ ଆୟୋଜିତ ପାକିସ୍ତାନ ନେସନ୍‌ସ ଗେମ୍‌ସରେ ସ୍ବର୍ଣ୍ଣ, ଅଷ୍ଟ୍ରେଲିଆରେ ଆୟୋଜିତ କମନ୍‌ୱେଲ୍ଥ ଗେମ୍‌ସରେ ରୌପ୍ୟ, ୧୯୮୩ ମସିହାରେ ସିରିଆର ଡାମାସ୍‌କସ୍‌ରେ ଆୟୋଜିତ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ରେଳବାଇରୁ ଅବସର ପରେ ବ୍ରହ୍ମପୁରରେ ବି ଭାରୋତ୍ତୋଳନକୁ ଦିଗଦର୍ଶନ ‌ଦେଇ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳକଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ। କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର ବି ପାଇଥିଲେ। ଅନେକ ବେସରକାରୀ ସମ୍ମାନ ଓ ସ୍ବୀକୃତି ପାଇଥିଲେ ବି ସରକାରଙ୍କ ଅଣଦେଖା ତାଙ୍କୁ ଅବସୋସ ଓ ଅବସାଦରେ ବୁଡ଼ାଇ ଦେଇଛି।

ସମ୍ବନ୍ଧିତ ଖବର