ପର୍ଥ ଟେଷ୍ଟ୍‌: ଅଡ଼ୁଆରେ ନ୍ୟୁଜିଲାଣ୍ଡ୍‌

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ତଥା ଦିବା-ରାତ୍ର ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ (୧୧-୧-୩୧-୪)ର ସମ୍ମୁଖୀନ ହୋଇନପାରି ଭ୍ରମଣକାରୀ ଦଳ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୧୦୯ ରନ୍‌ରେ ୫ ୱିକେଟ୍ ହରାଇ ଦେଇଛି। ପୂର୍ବରୁ ଅଷ୍ଟ୍ରେଲିଆ ୪୧୬ ରନ୍ କରିଥିବାରୁ ନ୍ୟୁଜିଲାଣ୍ଡ୍‌କୁ ଏବେ ଫଲୋଅନ୍ ଏଡ଼ାଇବା ଲାଗି ସଂଘର୍ଷ କରିବାକୁ ପଡ଼ିବ।

ଶୁକ୍ରବାର ଅଷ୍ଟ୍ରେଲିଆ ପୂର୍ବଦିନର ସ୍କୋର୍‌ ୨୪୮/୪ରୁ ଖେଳିଥିଲା। ହ୍ୟାଟ୍ରିକ୍‌ ଶତକ ହାସଲକାରୀ ମାର୍ନସ ଲବୁସାନ୍‌ (୧୪୩, ୨୪୦ ବଲ୍‌, ୧୮ ଚୌକା, ୧ ଛକା) ଶୁକ୍ରବାର ମାତ୍ର ୩୩ ରନ୍ ଯୋଡ଼ି ପାରିଥିଲେ। ତଥାପି ଟ୍ରାଭିସ୍ ହେଡ୍‌ (୫୬, ୯୭ ବଲ୍‌, ୧୦ ଚୌକା)ଙ୍କ ସହ ମିଶି ସେ ୭୬ ରନ୍ ଭାଗୀଦାରି କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ନିମ୍ନକ୍ରମରେ ଛୋଟ ଛୋଟ ଅବଦାନ ପାଇବାରୁ ୪୦୦ ଅତିକ୍ରମ କରିଯାଇଥିଲା। ଅଧିନାୟକ ତଥା ୱିକେଟ୍‌ରକ୍ଷକ ଟିମ୍ ପେନ୍‌ ୩୯ (୧୦୫ ବଲ୍‌, ୨‌ ଚୌକା), ପ୍ୟାଟ୍ କମିନ୍ସ (୨୦, ୮୫ ବଲ୍‌, ୨ ଚୌକା) ଓ ମିଚେଲ ଷ୍ଟାର୍କ (୩୦, ୪୧ ବଲ୍‌, ୩ ଚୌକା, ୧ ଛକା) ଭଲ ଖେଳିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟିମ୍ ସାଉଦି ଏବଂ ନିଲ୍ ୱାଗ୍‌ନର୍‌ ପ୍ରତ୍ୟେକ ୪-୪ ୱିକେଟ୍‌ ନେଇ ଅଷ୍ଟ୍ରେଲିଆକୁ ବିଶାଳ‌ ସ୍କୋର୍‌ କରାଇ ଦେଇନଥିଲେ।
୪୧୬ ରନ୍ ଜବାବରେ କିନ୍ତୁ ନ୍ୟୁଜିଲାଣ୍ଡ୍‌ ପ୍ରଥମ ୧୦ ବଲ୍‌ ଭିତରେ ପ୍ରାରମ୍ଭିକ ଯୋଡ଼ି ଜିତ୍ ରାଭାଲ୍ (୧) ଏବଂ ଟମ୍ ଲଥାମ (୦)ଙ୍କୁ ହରାଇ ଦେଇଥିଲା। ହାଜେଲଉଡ୍ ଏବଂ ଷ୍ଟାର୍କ ଏହି ବିପର୍ଯ୍ୟୟ ଆରମ୍ଭ କରିଥିଲେ। ଏହି ସମୟରେ ଅଧିନାୟକ କେନ୍ ୱିଲିୟମସନ୍ (୩୪, ୭୦ ବଲ୍‌) ଏବଂ ପୂର୍ବତନ ଅଧିନାୟକ ରସ୍ ଟେଲର୍ (୬୬*, ୮୬ ବଲ୍‌, ୮ ଚୌକା)ଙ୍କ ମଧ୍ୟରେ ୭୬ ରନ୍ ଭାଗୀଦାରି ହୋଇଥିଲା। କିନ୍ତୁ ଶେଷ ଘଣ୍ଟାକ ଖେଳରେ ମିଚେଲ୍ ଷ୍ଟାର୍କ ଯଥାକ୍ରମେ ୱିଲିୟମସନ୍, ହେନରି ନିକୋଲ୍ସ ଏବଂ ନାଇଟୱାଚ୍‌ମ୍ୟାନ୍‌ ନିଲ୍ ୱାଗନରଙ୍କୁ ଆଉଟ୍ କରି ଦେଇଥିଲେ। ନିକୋଲ୍ସ ଏବଂ ୱାଗନର୍‌ ଲଗାତାର ବଲ୍‌ରେ ଆଉଟ୍ ହୋଇଥିଲେ। ହାଜେଲଉଡ୍‌ ମାତ୍ର ୧.୨ ଓଭର‌ ବୋଲିଂ କରିବା ପରେ ଆହତ କାରଣରୁ ଅଧାରୁ ଓହରିଯିବା ଦ୍ବିତୀୟ ଦିନର ଅନ୍ୟତମ ଘଟଣା ଥିଲା।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୪୬.୨ ଓଭରରେ ୪୧୬ (ମାର୍ନସ ଲବୁସାନ୍‌-୧୪୩, ଟ୍ରାଭିସ୍ ହେଡ୍‌-୫୬, ନିଲ୍ ୱାଗ୍‌ନର୍-୪/୯୨, ଟିମ୍ ସାଉଦି-୪/୯୩, ଜିତ୍ ରାଭାଲ୍‌-୧/୩୩, କଲିନ୍ ଗ୍ରାଣ୍ଡ୍‌ହୋମ୍‌-୧/୩୭)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୩୨ ଓଭରରେ ୧୦୯/୫ (କେନ୍‌ ୱିଲିୟମ୍‌ସନ୍-୩୪, ରସ୍ ଟେଲର୍‌-୬୬*, ମିଚେଲ୍ ଷ୍ଟାର୍କ-୪/୩୧, ଜୋସ୍ ହାଜେଲଉଡ୍‌-୧/୦)।

ସମ୍ବନ୍ଧିତ ଖବର