ଖେଳାଳିଙ୍କ ଦରମା କଟାଯିବନି, ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ ପାଇଁ ଚିନ୍ତା କରାଯିବ: ବିସିସିଆଇ

ନୂଆଦିଲ୍ଲୀ: ସାରା ବିଶ୍ବକୁ କବଳିତ କରିଥିବା ସାଂପ୍ରତିକ କରୋନା ମହାମାରୀ ଆତଙ୍କ କ୍ରୀଡ଼ା ଓ କ୍ରୀଡ଼ୀବିତ୍‌ଙ୍କ ଚିନ୍ତା ବଢ଼ାଇଛି। ଗୋଟିଏପଟେ ପ୍ରାୟ ସମସ୍ତ ପ୍ରକାର କ୍ରୀଡ଼ା ବାତିଲ କିମ୍ବା ସ୍ଥଗିତ ରହିଥିଲା ବେଳେ କେବେ ପୁଣି ଆରମ୍ଭ ହୋଇପାରିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଅନ୍ୟପଟେ ସ୍ଥାଣୁ ଅବସ୍ଥାରେ ରହିଥିବା କ୍ରୀଡ଼ାବିତ୍‌ମାନେ ସେମାନଙ୍କ ଦରମା ହରାଇବାର ଆଶଙ୍କାରେ ପଡ଼ିଯାଇଛନ୍ତି। ବିଶ୍ବର ସବୁଠୁ ବିତ୍ତଶାଳୀ ବୋର୍ଡ ଭାବେ ପରିଗଣିତ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ବିସିସିଆଇ ଖେଳାଳିମାନଙ୍କର ଦରମା କାଟ୍‌ କରିବ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଶୁକ୍ରବାର ଏଭଳି ଆଶଙ୍କା ଉପରୁ ପରଦା ହଟାଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ। କରୋନା ପ୍ରଭାବରୁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ସମେତ କ୍ରିକେଟ୍‌ ସଂପର୍କିତ ସମସ୍ତ କାର୍ଯ୍ୟକଳାପ ଠପ୍‌ ଯୋଗୁଁ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ସତ୍ତ୍ବେ ଖେଳାଳିଙ୍କ ଦରମା ବା ପାଉଣା କାଟିବା ପାଇଁ ବୋର୍ଡ କୌଣସି ଆଲୋଚନା କରୁନି; ବରଂ ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ କରିବା ଚିନ୍ତା କରୁଛି ବୋଲି ଧୂମାଲ କହିଛନ୍ତି। କରୋନା

ମହାମାରୀ ଯୋଗୁଁ ମାର୍ଚ୍ଚ ଅଧାରୁ ଦେଶରେ କ୍ରିକେଟ୍‌ ଖେଳ ବନ୍ଦ ରହିଛି। ତେଣୁ କ୍ଷତି ଭରଣା ପାଇଁ ଖେଳାଳିଙ୍କ ଦରମା କାଟ କରିବା ହିଁ ଶେଷ ବିକଳ୍ପ ରହିଛି। ହେଲେ ଏବେ ସୁଦ୍ଧା ଆମେ ଖେଳାଳିଙ୍କ ଦରମା କାଟ୍‌ କଥା ଆଲୋଚନାକୁ ନେଇନାହୁଁ। ଆର୍ଥିକ ସଂକଟ ସତ୍ତ୍ବେ ଆମେ ଏହାକୁ ଟାଳି ଦେଇପାରିବୁ ବୋଲି ଆଶା ରଖିଛୁ। କିନ୍ତୁ ହଁ, ଆଇପିଏଲ୍‌ ବନ୍ଦ ହୋଇଗଲେ ବିସିସିଆଇର ବିପୁଳ ରାଜସ୍ବ କ୍ଷତି ଘଟିବ। ଯେତେବେଳେ ପରିସ୍ଥିତିରେ ସୁଧାର ଆସିଯିବ ସେତେବେଳେ ଆମେ ଏନେଇ ଚିନ୍ତା କରିବୁ। ହେଲେ ଖେଳାଳିଙ୍କ ଦରମା କାଟ୍‌ ଶେଷ ବିକଳ୍ପ ବୋଲି ଧୂମାଲ କହିଛନ୍ତି। ଅନ୍ୟ ବାଟରେ ଏହାକୁ ଭରଣା କରିବାକୁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି। କିନ୍ତୁ ଯେଉଁଠାରେ ଖର୍ଚ୍ଚ କାଟ୍‌ କରାଯାଇପାରିବାର ସମ୍ଭାବନା ରହିବ ଏବଂ ଯେଉଁ ସୂତ୍ରରୁ ରାଜସ୍ବ ଆଦାୟ ହୋଇପାରିବ ତା’ଉପରେ ନଜର ରଖିଛୁ ବୋଲି ଧୂମାଲ ସ୍ବୀକାର କରିଛନ୍ତି। ଯଥାସମ୍ଭବ ଆମେ ଖର୍ଚ୍ଚ କାଟ୍‌ କରିବୁ ଏବଂ ଯେତେ ଅଧିକ ସଞ୍ଚୟ କରିପାରିବୁ ତାହାହିଁ ଆମେ ଖୋଜୁଛୁ। ତାହା ମଧ୍ୟ ଏକ ଲମ୍ବା ପ୍ରକ୍ରିୟା ଏବଂ ମହାମାରୀ ପୂର୍ବରୁ ହିଁ ଆରମ୍ଭ ହୋଇଛି। ସେହି ଯୋଜନାକୁ ନେଇ କାର୍ଯ୍ୟ କରୁଛୁ।

ବିଶେଷକରି ବିସିସିଆଇ ତା’ର କର୍ମଚାରୀଙ୍କ ଦରମା ଖର୍ଚ୍ଚ କାଟ କରି ରାଜସ୍ବ କ୍ଷତିର ଭରଣା କରିବ ବୋଲି କହିଛି। କିନ୍ତୁ ଏପର୍ଯ୍ୟନ୍ତ ଖେଳାଳିଙ୍କ ଆଡ଼କୁ କୌଣସି ବିପଦ ନାହିଁ। କେବଳ କର୍ମଚାରୀ ଓ ଅଧିକାରୀମାନଙ୍କ ଖର୍ଚ୍ଚ କାଟ କରାଯିବ। ସେମଧ୍ୟରେ କର୍ମଚାରୀ ଓ ଅଧିକାରୀଙ୍କ ଗସ୍ତ ଖର୍ଚ୍ଚ ଓ ରହଣୀ ବାବଦ ଖର୍ଚ୍ଚ ସବୁ ହ୍ରାସ କରାଯିବାର ଯୋଜନା ରହିଛି ବୋଲି ଧୂମାଲ କହିଛନ୍ତି। ଲକ୍‌ଡାଉନ୍‌ ପରେ ‌କେବେ ଦେଶରେ କ୍ରିକେଟ୍‌ର ପୁନଃଆରମ୍ଭ ହେବ ବୋଲି ପଚାରିବାରୁ ଧୂମାଲ କହିଥିଲେ, ତାହା ଲକ୍‌ଡାଉନ୍‌କୁ ନଜରରେ ରଖି ନିଷ୍ପତ୍ତି ନିଆଯିବ। ହେଲେ ଆମ ପ୍ରଷିକ୍ଷଣ ଓ ସହକାରୀ ଷ୍ଟାଫ୍‌ମାନେ ଶାରୀରିକ କାର୍ଯ୍ୟକଳାପକୁ ଦୃଢ଼ ରଖିଛନ୍ତି। ଲକ୍‌ଡାଉନ୍‌ ସମୟରେ କ’ଣ କରିବା ଓ କ’ଣ ନକରିବା କଥା ତାକୁ ସମସ୍ତେ ବୁଝି କାର୍ଯ୍ୟ କରୁଛୁ। ଲକ୍‌ଡାଉନ୍‌ ନିୟମରେ କିଛିଟା କୋହଳ ହୋଇଥିଲେ ମଧ୍ୟ ଆମକୁ ପୂରା ସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ। ଏତେ ବ୍ୟସ୍ତ ହେବାଟା ଠିକ୍‌ ନୁହେଁ। କାରଣ ଯେତେବେଳେ ଭ୍ରମଣ କଟକଣା ଉଠିଯିବ ଏବଂ ଖେଳାଳିମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିବାର ସୁଯୋଗ ମିଳିବ ସେତେବେଳେ ଆମେ ନିଷ୍ପତ୍ତି ନେବୁ। ଆଉ ଯଦି ତାହା ସମ୍ଭବ ନହୁଏ ତାହାଲେ କ୍ରିକେଟ୍‌ର ପୁନଃଆରମ୍ଭ ବିଳମ୍ବିତ ହେବା ନିଶ୍ଚିତ। ତଥାପି କିଛି ଆଞ୍ଚଳିକ ଷ୍ଟାଡିୟମ୍‌ରେ ସାମର୍ଥ୍ୟଭିତ୍ତିକ ପ୍ରଶିକ୍ଷଣ ଉପରେ ଜୋର୍‌ ଦେବୁ ବୋଲି କହିଛନ୍ତି ଧୂମାଲ।

ସମ୍ବନ୍ଧିତ ଖବର